କଟକ: ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ତଦନ୍ତର ଅଗ୍ରଗତି ସଂକ୍ରାନ୍ତରେ ହାଇକୋର୍ଟ ତଲବ କରିଛନ୍ତି । ପରବର୍ତୀ ଶୁଣାଣି ପୂର୍ବରୁ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଂଚକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଏଥିସହିତ ଘଟଣାର ତଦନ୍ତ ଶୀଘ୍ର ଶେଷ କରିବା ପାଇଁ ହାଇକୋର୍ଟ କହିଛନ୍ତି । ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଦିତ୍ୟଙ୍କ ମା’ ପଦ୍ମାଳୟା ଦାସ, ବାପା ନନ୍ଦକିଶୋର ଦାସ ଓ ପତ୍ନୀ ବିଦ୍ୟାଶ୍ରୀ ଶିଶୁଙ୍କ ପକ୍ଷରୁ ଦାୟର ଏ ସମ୍ପର୍କିତ ଆବେଦନର ଶୁଣାଣି କରି ଏପରି ନିର୍ଦେଶ ଦେଇଛନ୍ତି । ମାମଲା ପରବର୍ତୀ ଶୁଣାଣି ଏକ ମାସ ପରେ କରାଯିବା ପାଇଁ ଧର୍ଯ୍ୟ କରାଯାଛି । ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାୟର ଏହି ମାମଲାରେ ଦର୍ଶାଯାଇଛି ଯେ, ଆଦିତ୍ୟ ବୃଦ୍ଧାଶ୍ରମ କରିବାା ସହିତ ମଦ ବିରୋଧୀ ଅଭିଯାନରେ ସାମିଲ ହୋଇଥିଲେ । ତାଛଡା ଆଦିତ୍ୟ ‘ମୋଟିଭେସନାଲ ସ୍ପିକର’ ଭାବେ ବି ଖୁବ୍ ଲୋକପ୍ରିୟ ଥିଲେ । ନିଜ ସେବା ଓ ସାମାଜିକ କର୍ଯ୍ୟ ପାଇଁ ଆଦିତ୍ୟ ରାଜ୍ୟ ତଥା ଦେଶବିଦେଶରେ ମଧ୍ୟ ଲୋକପ୍ରିୟ ହୋଇପାରିଥିଲେ । ଉଭୟ ପରିବାର ସହମତିରେ ବିଦ୍ୟାଶ୍ରୀଙ୍କ ସହିତ ଆଦିତ୍ୟଙ୍କ ବିବାହ ହୋଇଥିଲା । କିନ୍ତୁ ବିଭାଗରର ୨୭ ଦିନ ପରେ ଆଦିତ୍ୟ ଘରେ ମିଳି ନଥିଲେ । ବହୁତ ଖୋଜାଖୋଜି ପରେ ଲିଙ୍ଗରାଜ ରେଳଷ୍ଟେସନ ନିକଟରୁ ତାଙ୍କ ମୃତଦେହ ମିଳିଥିଲା । ଏହି ଘଟଣାକୁ ନେଇ ଜିଆରପି ଥାନାରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରିଥିଲା ଓ ପରବର୍ତୀ ସମୟରେ କ୍ରାଇମବ୍ରାଂଚକୁ ତଦନ୍ତ ଭାର ପ୍ରଦାନ କରାଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ କରାଯାଇଥିବା ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଛି । ପରିବାର ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏହି ଘଟଣାର ଠିକ୍ ଭାବେ ତଦନ୍ତ କରାଯାଉନାହିଁ । ଆଦିତ୍ୟଙ୍କ ମୃତ୍ୟୁର କାରଣ ଦତନ୍ତକାରୀ ସଂସ୍ଥା ଜାଣି ପାରିନାହିଁ । ଏହି ଘଟଣାରେ ଅପରାଧୀଙ୍କ ଗିରଫଦାରୀ, ସତ୍ୟ ଉନ୍ମୋଚନ ଓ ମୃତ୍ୟୁ ରହସ୍ୟ ଖୋଲିବାରେ ଦିଗରେ କିଛି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଦାୟର ଆବେଦନରେ ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ ତଦନ୍ତର ନିଜର ଦିଆଯାଇଛି । ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରାଯାଉ ବା ରାଜ୍ୟ ସରକାରଙ୍କ ଅଧୀନରେ ନଥିବା କୌଣସି ସ୍ୱାଧୀନ ଏଜେନ୍ସିକୁ ତଦନ୍ତ ଦାୟିତ୍ୱ ଦିଆଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି । ମାମଲାରେ ରାଜ୍ୟ ଗୃହ ସଚିବ, ଜିଆରପି ଏସପି, ସିବିଆଇ ଓ କ୍ରାଇମବ୍ରାଂଚକୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ପରିଚାଳନା କରୁଛନ୍ତି ।