ଦବିଲା ଗହୀରାପାଳ ବିଜୁ ସେତୁ ସଂଯୋଗୀ କରଣ ରାସ୍ତା

ଯାଜପୁର, ୧୯.୬ (ନି.ପ୍ର) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାଣଙ୍କ ଗମନାଗମନ ଓ ପରିବହନର ସୁବିଧା ପାଇଁ ନୂତନ ରାସ୍ତା ନିର୍ମାଣ, ରାସ୍ତା ପ୍ରଶ୍ୱସ୍ତିକରଣ କାର୍ଯ୍ୟ କରୁଛନ୍ତି । ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ନଦୀ ନାଳ ଉପରେ ନୂତନ ସେତୁ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ କିଛି ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ଥିବା ମଧୁର ସଂପର୍କ ଯୋଗୁ ସରକାରଙ୍କ ବହୁ ମହତ୍ୱାକାଂକ୍ଷୀ ଯୋଜନା ସବୁ ଫେଲ ମାରୁଛି । ଅନେକ ପ୍ରକଳ୍ପ ନିର୍ଦ୍ଧାରିତ ଅବଧି ମଧ୍ୟରେ ସଂପୂର୍ଣ୍ଣ ହୋଇ ପାରୁନଥିବା ବେଳେ ଆଉ କିଛି ପ୍ରକଳ୍ପ ନିମ୍ନ ମାନର କାର୍ଯ୍ୟ ଯୋଗୁ ଲୋକଙ୍କ କାର୍ଯ୍ୟରେ ଲାଗୁନି । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଳାର ଉପାନ୍ତ ଅଂଚଳ କୟାଁ ପଞ୍ଚାୟତ ଗହୀରାପାଳ ବିଜୁ ସେତୁ କ୍ଷେତ୍ରରେ । ଦଶରଥପୁର ବ୍ଲକ୍ କୟାଁ ପଂଚାୟତ ଗହୀରାପାଳ, ଧରମପୁର, କୟାଁ ଗ୍ରାମବାସୀଙ୍କ ସମେତ ପଡେ଼ାଶୀ କେନ୍ଦ୍ରାପଡ଼ା ଜିଲ୍ଳାର କନପୁର, ପେଗରପଡ଼ା, ଦୋମୁଣ୍ଡା, ଓଳାଭର, ଭାମଣ୍ଡା, ସିଓପଡ଼ା ଆଦି ଅଂଚଳର ଶହସ୍ରାଧିକ ଜନସାଧାରଣଙ୍କ ଦାବିକୁ ସମ୍ମାନ ଜଣାଇ ଡ଼ିସେମ୍ବର ୨୦୧୪ ମସିହାରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ମଂଜୁରପ୍ରାପ୍ତ ଦଶରଥପୁର ବ୍ଲକ୍ କୟାଁ ପଞ୍ଚାୟତ ଗହୀରାପାଳ ଦେଇ ପ୍ରବାହିତ ପେଟା ନାଳ ଉପରେ ବିଜୁ ସେତୁ ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା । ୫ କୋଟି ୬୭ ଲକ୍ଷରୁ ଉର୍ଦ୍ଧ ବ୍ୟୟ ଅଟକଳରେ କଟକର ରାଜଲକ୍ଷ୍ମୀ କନଷ୍ଟ୍ରକସନ୍ ଠିକା ସଂସ୍ଥା ଏହି ବିଜୁ ସେତୁ ନିର୍ମାଣ କରିବାକୁ ଟେଣ୍ଡର ହାତେଇଥିଲା । ୬୧.୯୯ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ନିର୍ମାଣ କାର୍ଯ୍ୟ ଜୁଲାଇ ୨୦୧୬ରେ ଶେଷ କରିବାକୁ ବିଭାଗୀୟ ଚୁକ୍ତି ହୋଇଥିଲେ ହେଁ ସେତୁ ନିର୍ମାଣ ତଦାରଖ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ କାର୍ଯ୍ୟାଳୟରେ ବସି କାର୍ଯ୍ୟନିର୍ବାହୀ ଠିକାସଂସ୍ଥା ଇସାରାରେ ପ୍ରକଳ୍ପ କାର୍ଯ୍ୟ ଛାଡ଼ି ଦେଇଥିବାରୁ ସେତୁ ନିର୍ମାଣ ଅବଧିର ପାଖାପାଖି ୩ ବର୍ଷରୁ ଉର୍ଦ୍ଧ ସମୟ ପରେ ଶେଷ ହୋଇଥିଲା । ସେତୁ ନିର୍ମାଣ ସରିଥିଲେ ମଧ୍ୟ ସେତୁର ଉଭୟ ପାଶ୍ୱର୍ ସଂଯୋଗୀ ରାସ୍ତା ନିର୍ମାଣ ପ୍ରତି ସଂପୃକ୍ତ ଠିକା ସଂସ୍ଥା ଅହେତୁକ ଅବହେଳାକୁ ସ୍ଥାନୀୟ ଲୋକେ ବିରୋଧ କରିବା ପରେ ସେତୁ ସଂଯୋଗୀ ରାସ୍ତା କାର୍ଯ୍ୟ ସରିଥିଲା । କିନ୍ତୁ ଏହି ସଂଯୋଗୀକରଣ ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ହେତୁ ନିର୍ମାଣର ୫ ମାସ ବିତିନି ସେତୁର ଉଭୟ ପାଶ୍ୱର୍କୁ ସଂଯୋଗ କରୁଥିବା ଏହି ରାସ୍ତାଟି ବିରାଟ ଆକାରରେ ତଳକୁ ଦବି ଯାଇଛି । ଫଳରେ ଏହି ସେତୁ ଦେଇ ଲୋକେ ଯାତାୟତ କରିବାକୁ ଭୟ କରୁଛନ୍ତି । କାଳେ କିଛି ଅଘଟଣ ଘଟିବ ଦବିଥିବା ସ୍ଥାନରେ ସ୍ଥାନୀୟ ଲୋକେ ମାଟି ପକାଇ ରାସ୍ତାକୁ ସମତୁଲ କରିଥିଲେ । ହେଲେ ମୈାସୁମୀ ଆଗମନ ବର୍ଷା ପାଣିରେ ପୁନର୍ବାର ଉକ୍ତ ଦୁଇପଟ ରାସ୍ତା ଆହୁରୀ ବଡ଼ ଆକାରରେ ଦବି ଯାଇଥିବା ଦେଖିବାକୁ ମିଳିଛି । ଯଦ୍ୱାରା ଲୋକମାନେ ଭୟଭୀତ ହୋଇ ସେତୁ ଉପରେ ଯାତାୟତ କରିବାକୁ ଉଚିତ୍ ମନେ କରୁନାହାଁନ୍ତି । ସଂଯୋଗୀ କରଣ ରାସ୍ତା ବାରମ୍ବାର ଦବୁଥିଲେ ହେଁ ବିଭାଗୀୟ ଯନ୍ତ୍ରୀ ଏହି ଘଟଣାକୁ ଗୁରୁତ୍ୱ ପ୍ରଦାନ କରିବା ପରିବର୍ତେ ରାସ୍ତା ସଜାଡ଼ିବା କାମକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ବାରମ୍ବାର ସେତୁର ଦୁଇ ପାଶ୍ୱର୍ ସଂଯୋଗୀ ରାସ୍ତା ଦବୁ ଥିବା ଯୋଗୁ ନିର୍ମାଣ ହୋଇଥିବା ଏହି ସେତୁଟି କେତେବେଳେ ସଂପୂର୍ଣ୍ଣ ଭୁଷୁଡ଼ିଯିବ ତାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ତୁରନ୍ତ ଉକ୍ତ ସେତୁ ନିର୍ମାଣରେ ହୋଇଥିବା ଅନିୟମିତତାର ଭିଜୁଲାନସ ତଦନ୍ତ କରିବା ସହ ସମସ୍ୟା ସମାଧାନ କରାନଗଲେ ଆସନ୍ତା ୭ ଦିନ ମଧ୍ୟରେ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

twelve − 10 =