* ଅଧିକାରୀଙ୍କ ଦାୟିତ୍ୱରେ ଅବହେଳା ଅଭିଯୋଗ
* ଜଂଗଲରୁ ଲୋପ ପାଇଯିବ ଶହେ ବର୍ଷର ପୁରୁଣା ଗଛ
ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ଅଂଚଳରେ ଗଛ କଟା ବନ୍ଦ ହେବାର ନାଁ ନେଉନି l ବିଭିନ୍ନ ସଂରକ୍ଷିତ ତଥା ଗ୍ରାମ୍ୟ ଜଂଗଲରୁ ପ୍ରତିଦିନ ଶହ ଶହ ଗଛ କାଟି ନେଇ ଯାଉଥିବା ବେଳେ ଏହାକୁ ରୋକିବାରେ ବନ ବିଭାଗ ବିଫଳ ହୋଇଛି |ଏଭଳି ଘଟଣା ଦେଖିବାକୁ ମିଳିଛି ଫୁଟାନଡ଼ା ଜଂଗଲରେ l କାଠମାଫିଆମାନେ ଦିନ ଦିପହରରେ ବହୁ ପୁରୁଣା ତଥା ମୂଲ୍ୟବାନ ଗଛ ସବୁ କାଟି ଘରେ ବୋହି ନେଇଯାଉଥିବା ଦେଖିବାକୁ ମିଳିଛି | ସୂଚନା ଯୋଗ୍ୟ ଯେ ଗୋନାଠାରୁ ଭାଟିପଖନା ଯିବା ରାସ୍ତାରେ ଦିନ ଦିପହରରେ କିଛି ଲୋକ ବହୁ ପୁରୁଣା ତଥା ମୂଲ୍ୟବାନ ଶାଳ ଓ ପିଆଶାଳ କାଠ ଗଣ୍ଡି ଦଉଡ଼ି ସାହଯ୍ୟ ଟାଣି ନେଇ ଯାଉଥିବା ଦେଖିବାକୁ ମିଳିଛି l ହଳଦୀ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଗଛ କାଟି ଏହି କାଠ ସବୁ ନେଉଥିବା ବେଳେ ବନ ବିଭାଗ ନିକଟରେ କୌଣସି ସୂଚନା ନଥିବା ଜଣାପଡ଼ିଛି | ଅପରପକ୍ଷରେ ସ୍ଥାନୀୟ ରେଞ୍ଜର ପ୍ରାୟ ସମୟରେ ଛୁଟିରେ ରହିଥିବାରୁ ତଳିଆ କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି |ପ୍ରକାଶ ଥାଉକି ସ୍ଥାନୀୟ ଅଂଚଳରେ ଖିଲୋଲି, କୁନ୍ଦେଇ, ହାତିଗାଁ, କୁସୁମପୁର , ଗୋନା , ଟିମନପୁର , ମୁଣ୍ଡିବେଡ଼ା, ବାଘବେଡା ଓ ହଳଦୀ ବେହେଡା ଭଳି ସଂରକ୍ଷିତ ଜଂଗଲ ରହିଥିବା ବେଳେ ପ୍ରାୟ ରାଜସ୍ୱ ଗ୍ରାମ ଗୁଡ଼ିକରେ ଗ୍ରାମ୍ୟ ଜଂଗଲ ରହିଛି | ଏହି ସବୁ ଜଂଗଲ ଗୁଡ଼ିକର ସୁରକ୍ଷା ତଥା ନୁତନ ଜଂଗଲ ସୃଷ୍ଟି କରିବା ନିମନ୍ତେ ବନ ବିଭାଗର ଗୁରୁ ଦାୟିତ୍ୱ ରହିଛି | ସେଥିପାଇଁ ସ୍ଥାନୀୟ ବ୍ଲକରେ ରାଇଘର , ଗୋନା ଓ କୁନ୍ଦେଇ ଠାରେ ବନପାଳଙ୍କ କାର୍ଯ୍ୟାଳୟ ସହିତ ମୁଖ୍ୟ ଦପ୍ତରଠାରେ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି | ଏଥିସହିତ ସମଗ୍ର ରେଞ୍ଜରେ ଖିଲୋଲି , ନାକଟିସିମୋଡା, ଖୁଡ଼ୁକୁ, ଛତାବେଡ଼ା , ଗୋନା , ହଳଦୀ, ହାତିଗାଁ , କୁସୁମପୁର, ରାଇଘର ଟିମନପୁର ଓ ହାତିବେନା ଆଦି ୧୧ ଗୋଟି ବିଟରେ ବନରକ୍ଷୀ ନିଯୁକ୍ତ ରହିଛନ୍ତି l ତେବେ ଏତେ ସଂଖ୍ୟାକ ବନ ବିଭାଗ କର୍ମଚାରୀ ରହିବା ସତ୍ବେ ପ୍ରତିଦିନ କିଭଳି ଜଂଗଲ ସଫା ହେଉଛି ତାହା ଏବେ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହେଉଛି | ଅନ୍ୟପଟେ କିଛି ବନ କର୍ମଚାରୀ ଠିକ୍ ଭାବେ ଡ୍ୟୁଟି କରୁନଥିବା ଅଭିଯୋଗ ହେଉଛି | ଯାହା ଫଳରେ କାଠ ମାଫିଆଙ୍କ ରାଜ୍ ଦିନକୁ ଦିନ ବଢିବାରେ ଲାଗିଛି l ଗତ କିଛି ବର୍ଷ ହେବ ବନ ବିଭାଗର ଅବହେଳା ଯୋଗୁଁ ଜଂଗଲ ସଫା ହେଉଥିବା ବେଳେ ନକ୍ସଲ ମାନଙ୍କ ପକ୍ଷରୁ ଏହାକୁ ବିରୋଧ କରି ବାରମ୍ବାର ବ୍ୟାନର ଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳୁଛି l ନକ୍ସଲଙ୍କ ଭୟ ସହିତ ଛତିଶଗଡ଼ ହାତୀପଲର ଭୟ ଦେଖାଇ ବନ ବିଭାଗ ପ୍ରାୟ ସମୟରେ ରେଞ୍ଜ କାର୍ଯ୍ୟାଳୟରେ ରହୁଥିବା ଦେଖିବାକୁ ମିଳିଛି l ବେଳ ଥାଉ ଥାଉ ବନ ବିଭାଗ ସଜାଗ ନ ହେଲେ ବଳକା ଜଂଗଲ ଅଚୀରେ ଶେଷ ହୋଇଯିବ ଏଥିରେ ସନ୍ଦେହ ନାହିଁ |