ଯାଜପୁର,୨୧.୬ (ନି.ପ୍ର) : ଦିନକୁ ଦିନ ଦେଢଶୂର ନିର୍ଯ୍ୟାତନା ଅସହ୍ୟ ହେବାରୁ ଭାଇଭୋହୂ ବାଧ୍ୟହୋଇ ବାପ ଘରେ ଆଶ୍ରୟ ନେଇଛି । ଅଭିଯୁକ୍ତ ଦେଢଶୂର ବିରୁଦ୍ଧରେ ଥାନାରେ ଅଭିଯୋଗ ପରେ ପୁଲିସ୍ ଅଭିଯୁକ୍ତକୁ ଦଣ୍ଡିତ କରିବା ପରିବର୍ତେ ଅଭିଯୋଗକାରିଣୀ ଭାଇବୋହୂଙ୍କ ଠାରୁ ପାଂଚ ହଜାର ଟଙ୍କା ଲାଂଚ ନେଇ ମାମଲାକୁ ରଫାଧଫା କରିବାକୁ କହିବା ସହ ଧରାଛୁଆଁ ଦେଉନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ୍ ରାହାଶୋଇ ପଂଚାୟତ ଚମ୍ପା ଗ୍ରାମରେ । ଅଭିଯୋଗ ମୂତାବକ ଦଶରଥପୁର ବ୍ଲକ ରାହାସୋଇ ପଂଚାୟତ ଚମ୍ପା ଗ୍ରାମ ବଲ୍ଲଭ ଯେନାଙ୍କ ଝିଅ ଗେହ୍ଲି ଯେନା (୪୦) ବିଂଝାରପୁର ଥାନା ଅଳକୁଣ୍ଠ ପଂଚାୟତ ଝିଙ୍କିରି ଗ୍ରାମର ବିନୋଦ ଯେନାଙ୍କୁ ବିବାହ କରିଥିଲେ । ବିନୋଦ ଓ ଗେହ୍ଲିଙ୍କ ଦୁଇ ଗୋଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ଘରବାଡି ସମ୍ପତିକୁ ନେଇ ବିନୋଦ ଓ ଗେହ୍ଲିଙ୍କର ଦେଢଶୂର ସୁନନ୍ଦ ଯେନାଙ୍କ ସହ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ବିଭିନ୍ନ ସମୟରେ ଦେଢଶୂର ସୁନନ୍ଦଙ୍କ ସହ ବିନୋଦ ଓ ଗେହ୍ଲିଙ୍କ ମଧ୍ୟରେ ବାରମ୍ବାର କଳହ ଲାଗିରହୁଥିଲା । ଏପରିକି ଦେଢଶୂର ସୁନନ୍ଦ ଭାଇବୋହୂ ଗେହ୍ଲିକୁ ଶାଶୂ ଘର ପୈତୃକ ସମ୍ପତିରୁ କାଣିଚାଏ ନଦେବାକୁ ଧମକ ଦେବା ସହ ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରି ମାଡ ମାରି ଘରୁ ତଡି ଦେଇଥିଲା । ଶାଶୂଘର ପୈତୃକ ସମ୍ପତିରୁ ଭାଇବୋହୂ ଘର କରିବା ପାଇଁ ଜାଗାଟିଏ ନପାଇବାରୁ ବାଧ୍ୟ ହୋଇ ଗାଁର ଶେଷମୁଣ୍ଡରେ ଖଣ୍ଡିଏ ଜମି କ୍ରୟ କରି ପ୍ରଧାନମନ୍ତ୍ରୀ ଆବାଶ ଯୋଜନାରେ ଘର ତିଆରି କରୁଥିବା ବେଳେ ସେଠାରେ ଦେଢଶୂର ସୁନନ୍ଦ ପହଂଚି ଏହି ସମ୍ପତିରେ ତାହାର ମଧ୍ୟ ଭାଗ ଅଛି ବୋଲି କହି ଭାଇବୋହୂ ଗେହ୍ଲି ଓ ବିନୋଦ ସହିତ ଝଗଡା କରି ମାଡ ମାରିଥିଲା । ଘଟଣାକୁ ନେଇ ଗେହ୍ଲି ସ୍ଥାନୀୟ ସରପଂଚଙ୍କୁ ଗୁହାରି କରିଥିଲେ ହେଁ ସରପଂଚ ଏ ଘଟଣାରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ପୁଲିସ୍ର ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଥିଲେ । ସରପଂଚଙ୍କ ପରାମର୍ଶ ଅନୁଯାଇ ଗେହ୍ଲି ସ୍ଥାନୀୟ ଅଳକୁଣ୍ଡ ଫାଣ୍ଡିରେ ଦେଢଶୂର ସୁନନ୍ଦଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ । ଅଳକୁଣ୍ଡ ଫାଣ୍ଡି ଅଧିକାରୀ ଭାଇବୋହୂ ଠାରୁ ପାଂଚ ହଜାର ଟଙ୍କାର ଲାଂଚ ନେଇ ଘଟଣାର ସମାଧାନ କରିଦେବେ ବୋଲି କହିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ବିଂଝାରପୁର ଥାନାର ଆଶ୍ରୟ ନେବାକୁ କହିବା ପରେ ଗେହ୍ଲି ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବିଂଝାରପୁର ପୁଲିସ୍ ନିର୍ଯ୍ୟାତିତା ଗେହ୍ଲିଙ୍କୁ କୌଣସି ନ୍ୟାୟ ପ୍ରଦାନ କରିନଥିବା ବେଳେ ଚଳିତ ରଜ ସଂକ୍ରାତି ତଥା ସୋମବାର ସକାଳେ ଗେହ୍ଲି ନିକଟସ୍ଥ ପଡିଆକୁ ଶୌଚ ହେବାକୁ ଯାଇଥିବା ବେଳେ ଦେଢଶୂର ଓ ତାର ସମ୍ପର୍କୀୟମାନେ ଭାଇବୋହୂକୁ ଟେକିଆଣି ଉଲଗ୍ନ କରି ମାଡ ମାରି ତୁରନ୍ତ ଗାଁ ଛାଡି ପଳାଇ ନଗଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଯାହାକୁ ନେଇ ଗେହ୍ଲି ପୁର୍ନବାର ବିଂଝାରପୁର ଥାନାରେ ପହଂଚି ଅଭିଯୁକ୍ତ ଦେଢଶୂର ସୁନନ୍ଦଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ନେବା ସହ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ଗୁହାରି କରିଥିଲେ ହେଁ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଯୋଗୁଁ ଭୟରେ ଭାଇବୋହୂ ଗେହ୍ଲି ଚମ୍ପାସ୍ଥିତ ବାପ ଘରେ ଆଶ୍ରୟ ନେଇଛନ୍ତି । ଆସନ୍ତା ସପ୍ତାହ ମଧ୍ୟରେ ଅଭିଯୁକ୍ତ ଦେଢଶୂର ବିରୁଦ୍ଧରେ ପୁଲିସ୍ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ସପରିବାରେ ଜିଲ୍ଲାପାଳ ଓ ଆରକ୍ଷି ଅଧ୍ୟିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ପ୍ରକାଶ କରିଛନ୍ତି ।