ଦୈନିକ ଅଣକରୋନା ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପାଇଁ ଦାବୀ

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ଭୟ ଯୋଗୁଁ ସମଗ୍ର ରାଜ୍ୟରେ ସାର୍ବଜନିନ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ବ୍ୟବସ୍ଥାର ଘୋର ଅଭାବ ଯୋଗୁଁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହେଉଛି । ରାଜ୍ୟର ସରକାରୀ, ଘରୋଇ ମେଡିକାଲ କଲେଜଠାରୁ ସରକାରୀ ହସପିଟାଲ ମାନଙ୍କରେ ଆଉଟ ଡୋର ବନ୍ଦ ରହିବା ଓ ଅଣ କରୋନା ରୋଗୀମାନଙ୍କ ଚିକିତ୍ସା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଫଳରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ଠାରୁ ଅଣ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଅସମ୍ଭବ ନୁହେଁ ।ଏହା ସହିତ, ଭୂବନେଶ୍ୱରସ୍ଥିତ ଆପୋଲୋ, ଆମ୍ରି ଓ କିମ୍ସ ପରି ଘରୋଇ ଡାକ୍ତରଖାନା ମାନଙ୍କରେ ଗଞ୍ଜାମ ଜିଲ୍ଲାର ଅଣ କରୋନା ରୋଗୀମାନଙ୍କୁ ଭର୍ତ୍ତି କରାଯାଉନଥିବା ଘଟଣାକୁ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ତୀବ୍ର ନିନ୍ଦା କରୁଛି । ଗତ ଛ’ମାସ ଧରି ପିଡିତ ଥିବା ବ୍ରହ୍ମପୁରର ନରସିଂହ କୁଣ୍ଡୁ ନାମକ ଜଣେ ଅଣ କରୋନା ରୋଗୀଙ୍କୁ ସଂକଟାପନ୍ନ ଅବସ୍ଥାରେ ଭୁବନେଶ୍ୱରର ତିନୋଟି ଘରୋଇ ହସପିଟାଲ ଭର୍ତ୍ତି କରିବାକୁ ହସପିଟାଲ କର୍ତ୍ତୃପକ୍ଷମାନେ ମନା କରି ଦେବାରୁ ତିନିଘଣ୍ଟା ପରେ ଆମ୍ବୁଲାନ୍ସରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଭଳି ହୃଦୟ ବିଦାରକ ଘଟଣା ଘଟିଛିା ଓଡିଶା ରାଜ୍ୟ ସରକାରଙ୍କ ଅନୁମୋଦନ ସାହାଯ୍ୟ ଓ ସରକାରୀ ଜମି ନେଇ ଘରୋଇ ବ୍ୟବସାୟିକ ହସପିଟାଲ ପ୍ରତିଷ୍ଠା କରିଥିବା ଏହି ସଂସ୍ଥାମାନେ ନିର୍ଦ୍ଧିଷ୍ଟ ଜିଲ୍ଲାର ରୋଗୀଙ୍କୁ ଭର୍ତ୍ତି କରିବାକୁ ନଦେବା ବାଛ ବିଚାରମୂଳକ ଅପରାଧିକ କାର୍ଯ୍ୟ ବୋଲି ସି.ପି.ଆଇ.(ଏମ୍) ପକ୍ଷରୁ ଅଭିଯୋଗ କରାଯାଇଛି । ଖବରକାଗଜ ଓ ମିଡିଆରେ ପ୍ରସାରଣ ଓ ମୂଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ ଏହି ଘରୋଇ ହସପିଟାଲମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ଦୂର୍ଭାଗ୍ୟଜନକ । ଆଜି ଏହି ମର୍ମରେ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ପକ୍ଷରୁ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଆଉ ଏକ ପତ୍ର ମାଧ୍ୟମରେ ସବୁ ଜିଲ୍ଲା ଓ ରାଜ୍ୟ ରାଜଧାନୀରେ ଅଣ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ମାନଙ୍କରେ ବ୍ୟବସ୍ଥା କରିବା ସହ ଗଞ୍ଜାମ ଜିଲ୍ଲାର ରୋଗୀଙ୍କୁ ଭର୍ତ୍ତି କରାଇ ଦେଇନଥିବା ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ଦାବୀ କରାଯାଇଛି ।

Leave A Reply

Your email address will not be published.

12 − 1 =