ଧାନ ବିକ୍ରିନେଇ ନଅ ଦିନ ହେଲା ଚାଷୀ ଧାରଣାରେ

ପଦ୍ମପୁର : ଧାନ ବିକ୍ରିହୋଇ ପାରୁନଥିବା ନେଇ ପଦ୍ମପୁର ଉପଖଣ୍ଡର ଚାଷୀମାନେ ଦୀର୍ଘ ନଅ ଦିନ ହେଲା ଆନେ୍ଦାଳନ କରିଆସୁଅଛନ୍ତି । ଉପଜିଲ୍ଲାପାଳଙ୍କ ଅଫିସରେ ତାଳା ପକାଇ ତଥା ଧାନ ଟ୍ରାକ୍ଟରେ ଲଦାହୋଇ ଚାଷୀମାନେ ଧାରଣାରେ ବସିଛନ୍ତି । ତେବେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାଶ ଚାଷୀଙ୍କ ଧାରଣା ସ୍ଥଳକୁ ଆସି ଆଲୋଚନା କରିଥିଲେ । ଶ୍ରୀ ଦାଶ ଧାରଣାରତ ଚାଷୀଙ୍କୁ ଧାନ ବିକ୍ରିର ପ୍ରତିଶୃତି ଦେଇ ନପାରିବାରୁ ଚାଷୀମାନେ ତାଙ୍କୁ ଧାରଣାରେ ବସିବାକୁ ବାଧ୍ୟ କରିଥିଲେ । ପଦ୍ମପୁର ଉପଖଣ୍ଡରେ ଧାନ ବିକ୍ରିକୁ ନେଇ ଚାଷୀଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଦୀର୍ଘ ନଅ ଦିନହେଲା ଟ୍ରାକ୍ଟରରେ ଧାନରଖି ଉପଜିଲ୍ଲାପାଳ ଅଫିସ୍, ତହସିଲଦାର ଅଫିସ୍ ସିଲ୍ କଲାପରେ ଲେପ୍ସ ଟୋକନକୁ ପୁୁନଃ ପ୍ରଚଳନ, ମଣ୍ଡିରୁ ଧାନ କିଣିବା ନେଇ କୌଣସି ପ୍ରକାର ସନ୍ତୋଷ ଜନକ ପଦକ୍ଷେପ ନିଆଯାଇ ନାହିଁ । ବରଂ ମଣ୍ଡିରେ ଆଉ ଧାନ କିଣାଯିବା ନାହିଁବୋଲି ସଂପୃକ୍ତ କାର୍ଯ୍ୟାଳୟକୁ ପ୍ରଶାସନ ଚିଠି କରିଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟାକ୍ରମ ଅନୁସାରେ ଡି.ଆର୍୍.ସି.ଏସ୍ ଭକ୍ତବନ୍ଧୁ ସାହୁ, ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାଶ, ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଯୋଗାଣ ଅଧିକାରୀ ଶମ୍ଭୁପ୍ରସାଦ ହରିପାଳ ପ୍ରମୁଖ ଚାଷୀମାନଙ୍କ ସହ ଆଲୋଚନା ପାଇଁ ଧାରଣା ସ୍ଥଳକୁ ଆସିଥିଲେ । ଚାଷୀ ନେତା ରମେଶ ମହାପାତ୍ର, ଅଶୋକ ସାହୁ, ରୋହିତ ପ୍ରଧାନ, ଶେଷଦେବ ପ୍ରଧାନ, ଅରକ୍ଷିତ ପ୍ରଧାନ, ଉମାକାନ୍ତ ପଟେଲ, ଦହିତ ସାହୁ, ନେତ୍ରାନନ୍ଦ ଭିଲ ଓ ଅନନ୍ୟା ଚାଷୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପଦ୍ମପୁର ନାଗରିକ କମିଟୀ ସଂପାଦନ ଅଜିତ ଶତପଥୀ, ବଣିକ ସଂଘ ସଭାପତି ପ୍ରତାପ ମିଶ୍ର, ଓକିଲ ସଂଘ ସଭାପତି ସନ୍ତୋଷ ଶତପଥୀ ପ୍ରମୁଖ ଚାଷୀଙ୍କ ସମସ୍ୟାକୁ ଗୁରୁତର ସହ ବିଚାର କରିବାକୁ ଅଧିକାରୀଙ୍କୁ ଜଣାଇଥିଲେ । ଟୋକନ ଲେପ୍ସ ସହିତ ମଣ୍ଡି ବନ୍ଦ ଘଟଣା ଚାଷୀଙ୍କୁ ବିବ୍ରତ କରିଛି । ଚାଷୀମାନେ ବର୍ଷା ଭିଜି ଭିଜି ଚାଷୀମୀନେ ଧାରଣା ସ୍ଥଳରେ ବସିରହିଥିବା ବେଳେ ମଣ୍ଡିଗୁଡିକରେ ପଡିଥିବା ଧାନ ମଧ୍ୟ ଗୁରୁବାର ରାତିରେ ଭିଜି ଥିବା ଦେଖାଦେଇଛି । ଧାନ ନ ଉଠିବା ଯାଏ ଆନେ୍ଦାଳନ ପ୍ରତ୍ୟାହାର ହେବନାହିଁ ବୋଲି ଚାଷୀମାନେ ରୋକଠୋକ କହିଛନ୍ତି । ଧାନ ନଉଠିବା ପର୍ଯ୍ୟନ୍ତ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଛଡାଯିବ ନାହିଁ ବୋଲି ଚାଷୀମାନେ ଜିଦ ଧରିଛନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ ଧାରଣାରତ ଚାଷୀଙ୍କ କୌଣସି ସମାଧାନର ବାଟ ବାହାରି ନଥିବା ଜଣାପଡିଛି ।

Leave A Reply

Your email address will not be published.

1 × 4 =