ଭୁବନେଶ୍ୱର: ଖାରବେଳନଗର ପୋଲିସ ଜଣେ ନକଲି ଆୟକର ଅଧିକାରୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲା ବିରିଡିଥାନା ଅଧୀନସ୍ଥ ହଳଦୀପଡ଼ିଆ ଗ୍ରାମ ଜେନା ସାହିର ଉମାକାନ୍ତ ରାଉତ । ପୋଲିସ ସୂଚନା ମୁତାବକ ଅଭିଯୁକ୍ତ ଜଣକ ଆୟକର କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ ପିଅନ । ପୂର୍ବରୁ ଲାଂଚ ଦେବା ମାମଲାରେ ବିଭାଗ ପକ୍ଷରୁ ତାକୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ବିଭିନ୍ନ ବ୍ୟବସାୟୀ, ଫାର୍ମ ହାଉସ ମାଲିକଙ୍କୁ ଫୋନ୍ କରି ଟଙ୍କା ଆଦାୟ କରୁଥିଲା । ଏନେଇ କଟକ ଓ ଭୁବନେଶ୍ୱରରେ ଅନେକ ଥର ଅଭିଯୋଗ ମଧ୍ୟ ହୋଇଥିଲା । ଗିରଫ ଅଭିଯୁକ୍ତର କଟକ ମାଲଗୋଦାମ, ଚାଉଳିଆଗଞ୍ଜ ଏବଂ ଇନ୍ଫୋସିଟି ଥାନାରେ ୫ଟି ଘଟଣୋର ସମ୍ପୃକ୍ତି ଥିବା ଜଣା ପଡ଼ିଛି । ଗତ ଜୁଲାଇ ମାସରେ ଜଣେ ବ୍ୟକ୍ତିଙ୍କଠାରୁ ଫୋନ୍ରେ ନିଜକୁ ଆୟକର ଅଧିକାରୀ କହି ସେ ୧୦ହଜାର ଟଙ୍କା ଦାବି କରିଥିଲା । ପରେ ଏନେଇ ଭୌମନଗରସ୍ଥିତ ଦେବା ଏଜେନ୍ସି ମାଲିକ ଦେବାଶିଷ ପଟ୍ଟନାୟକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ଉମାକାନ୍ତ ଆୟକ ଅଧିକାରୀ ପରିଚୟ ଦେବାସହ ତାଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରିଥିଲା । ଫୋନରେ ଧମକ ମଧ୍ୟ ଦେଇଥିଲା । ପୋଲିସ ଘଟଣାର ତଦନ୍ତ କରିବା ସହ ମୋବାଇଲ ଫୋନ୍ ଟ୍ରାକ୍ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ।