ନନ୍ଦନକାନନରେ ଦୁଇ ବାଘଛୁଆଙ୍କ ନାମକରଣ ଅନ୍ଲାଇନରେ

ବଭୁବନେଶ୍ୱର: ୨୦୨୦-୨୧ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀଉଦ୍ୟାନ ଶହେ ଜୀବଜନ୍ତୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି । ୨୦୨୦ ଏପ୍ରିଲଠାରୁ ଏପର୍ଯ୍ୟନ୍ତ ପର୍ଯ୍ୟଟକମାନେ ବାଘ, ଭାଲୁ, ହାତୀ, ସିଂହ, ସାପ, ପକ୍ଷୀ ଆଦିଙ୍କୁ ବର୍ଷକ ପାଇଁ ପୋଷ୍ୟ ଭାବେ ଗ୍ରହଣ କରିସାରିଛନ୍ତି । ଯାହକି ଏକ ବଡ଼ ସଫଳତା ବୋଲି କୁହାଯାଉଛି । ବିଶେଷକରି ଲକ୍ଡାଉନ୍ ସମୟରେ ଅଧିକରୁ ଅଧିକ ପର୍ଯ୍ୟଟକ ଏଠାକାର ଜୀବଜନ୍ତୁଙ୍କ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ କର୍ତୃପକ୍ଷ (ଓଟିଡିସି) ପକ୍ଷରୁ ଦେଢ଼ ଲକ୍ଷ ଟଙ୍କା ଦିଆଯାଇ ବାଘ ‘ସ୍ପନ୍ଦନ’କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିଲା । ଏହାପରେ ପୋଷ୍ୟ ଭାବେ ଜୀବଜନ୍ତୁଙ୍କ ଗ୍ରହଣ କରିବା ଲାଗି ପର୍ଯ୍ୟଟକଙ୍କ ମଧ୍ୟରେ ବିଶେଷ ଆଗ୍ରହ ବଢ଼ିଥିଲା । ଏମିତିକି ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପ୍ରାୟ ୪୦ଟି ଜୀବଜନ୍ତୁଙ୍କ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିଲାା । ଜୀବଜନ୍ତୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ପର୍ଯ୍ୟଟକଙ୍କୁ ସେମାନଙ୍କ ଖର୍ଚ୍ଚ ବାବଦରେ ବର୍ଷକର ଅର୍ଥ ପଇଠ କରିବାକୁ ପଡ଼ିଥାଏ । ଅମିତ କୁମାର ଜେନା ନାମକ ଜେଣ ଯୁବକ ଶହେତମ ପର୍ଯ୍ୟଟକ ଭାବେ ଏକ ପକ୍ଷୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ମହାବଳ ବାଘ ‘ସଫ୍’ ଓ ବାଘୁଣୀ ‘ସ୍ନେହା’ ମିଳନରୁ ଜାରୁଆରି ୯ରେ ଜନ୍ମ ନେଇଥିବା ଦୁଇଟି ବାଘ ଶାବକଙ୍କ ନାମକରଣ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ୪ ଦିନ ଅନ୍ଲାଇନ୍ରେ ଚାଲିଥିବା ଏହି ନାମକରଣ କାର୍ଯ୍ୟକ୍ରମରେ ୬୦ଟି ନାମ ପ୍ରସ୍ତାବ ଆସିଥିଲା । ସେଗୁଡ଼ିକ ମୂଲ୍ୟାୟନ କରାଯିବା ପରେ ଶେଷରେ ୬ଟି ନାଁକୁ ନେଇ ସଂକ୍ଷିପ୍ତ ତାଲିକା କରାଯାଇ ପର୍ଯ୍ୟଟକଙ୍କ ଭୋଟିଂପାଇଁ ପୁଣିଥରେର ଅନ୍ଲାଇନ୍ରେ ଛଡ଼ାଯାଇଛି । ୧୫ ତାରିଖ ସୁଦ୍ଧା ୬ଟି ନାମ ମଧ୍ୟରୁ ଯେକୌଣସି ଗୋଟିଏକୁ ଚୟନ କରିବାକୁ କୁହାଯାଇଛି । ନାମଗୁଡ଼ିକ ହେଲା ‘ପ୍ରାରମ୍ଭ ଓ ସ୍ମରକ’, ‘ଲବ ଓ କୁଶ’, ‘ଅଞ୍ଜନ ଓ ସମୀର’, ‘ଆରଭ ଓ ଧ୍ରୁବ’ । ଉକ୍ତ ନାଁଗୁଡିକ ଭିତରୁ ଯେଉଁଟାକୁ ଅଧିକ ପର୍ଯ୍ୟଟକ ପସନ୍ଦ କରିବେ, ତାହା ରଖାଯିବ ବୋଲି ନନ୍ଦନକାନନ କର୍ତୃପକ୍ଷ ସୂଚନା ଦେଇଛନ୍ତି । ବର୍ତମାନ ସମୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନ ଦେଶୀ, ବିଦେଶୀ ପକ୍ଷୀଙ୍କ ବାସସ୍ଥଳୀ ପାଲିଟିଛି । ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆସି ପକ୍ଷୀମାନେ ଏଠାରେ ବସା ବାନ୍ଧି ରହିଛନ୍ତି । ଭିତରକନିକା ପରେ ଏବେ ଏଠାରେ ସବୁଠାରୁ ଅଧିକ ପକ୍ଷୀ ରହିଥିବା ନେଇ ଆଜି ନନ୍ଦନକାନନ ଉପ ନିଦେ୍ର୍ଧଶକ ବିମଳ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଲକ୍ଡାଉନ୍ ସମୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ମନଲୋଭା ପ୍ରାକୃତିକ ପରିବେଶ ସାଙ୍ଗକୁ ଜୀବଜନ୍ତୁଙ୍କ କିଚିରିମିଚିରି ଶବ୍ଦ ମଧ୍ୟରେ ରହିବା ପାଇଁ ପକ୍ଷୀମାନେ ଆଗ୍ରହ ଦେଖାଇଛନ୍ତି । କାଞ୍ଜିଆ ହ୍ରଦ ଓ କିଆଖାଣୀ ହ୍ରଦ ସହ ଶାନ୍ତ କାନ୍ତ ସବୁଜ ବନାନୀ ପକ୍ଷୀଙ୍କୁ ଆକୃଷ୍ଟ କରିଛି । ଶିକାରୀଙ୍କ ପ୍ରକୋପ ବି ଏଠାରେ ନାହିଁ, ଯେଉଁଥିପାଇଁ ବିଭିନ୍ନ ପ୍ରଜାତିର ପକ୍ଷୀ ଛୁଟି ଆସି ୨୪୭ଟି ଗଛରେ ୩୧୬୮ଟି ବସା ବାନ୍ଧିଛନ୍ତି । ଛୁଆ ଓ ବଡ଼ ପକ୍ଷୀଙ୍କୁ ମିଶାଇ ଏବେ ମୋଟ ୧୨ ହଜାର ୬୭୩ଟି ପକ୍ଷୀ ରହୁଛନ୍ତି । ରବିବାର କରାଯାଇଥିବା ପକ୍ଷୀ ଗଣନାରେ ଏ କଥା ଜଣାପଡ଼ିଥିବା ନନ୍ଦନକାନନ ଉପନିଦେ୍ର୍ଧଶକ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ନନ୍ଦନକାନନ ଏସିଏଫ୍ ଅମୂଲ୍ୟ ପରିଡ଼ାଙ୍କ ତତ୍ୱାବଧାନରେ କରାଯାଇଥିବା ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ସେଂଚୁରିଆନ୍ ବିଶ୍ୱବିଦ୍ୟାଳୟ ପ୍ରଫେସର୍ ଡ. ଶିବ ପ୍ରସାଦ ପରିଡ଼ା, ନନ୍ଦନକାନନ ଶିକ୍ଷା ବିଭାଗର ମୁଖ୍ୟ ମିଲନ ପଣ୍ଡା, ବାୟୋଲୋଜିଷ୍ଟ ରାଜେଶ ମହାପାତ୍ରଙ୍କ ସମେତ ୬ ଜଣିଆ ଟିମ୍ ସାମିଲ ହୋଇଥିଲେ ।

Leave A Reply

Your email address will not be published.

5 × one =