ନିତ୍ୟ ବ୍ୟବହୃତ ଜିନିଷର ଦର ଆକାଶଛୁଆଁ

ରାୟଗଡା: କରୋନା ଓ ଲକଡାଉନ ଯୋଗୁଁ ନିତ୍ୟ ବ୍ୟବହୃତ ଜିନିଷର ଯୋଗାଣରେ ବାଧା ଉପୁଜିଥିବା ବେଳେ କିଛି କଳାବଜାରୀ ଏହାର ସୁଯୋଗ ନେଇ ନିତ୍ୟ ବ୍ୟବହୃତ ଜିନିଷର ଦର ଆକାଶ ଛୁଆଁ କରିଛନ୍ତି । ଦିନକୁ ଦିନ ଦର ବୃଦ୍ଧି ଯୋଗୁଁ ଖାଉଟି ହନ୍ତସନ୍ତ ହେବାକୁ ପଡୁଛି । ସରକରାଙ୍କ ତରଫରୁ ଏ ନେଇ ଦୋକାନୀମାନଙ୍କୁ ଚେତାବନୀ ଦିଆଯାଉଥିଲେ ମଧ୍ୟ ଖାତିରି କରୁନାହାନ୍ତି କଳାବଜାରୀ ମାନେ । ସବୁ ଜିନିଷର ଦର ଏବେ ଆକାଶ ଛୁଆଁ । ଆଜି ଶିଳ୍ପ ନଗରୀ ଜେକେପୁରଠାରେ ଲୁଣ ଆମଦାନ କମ ହେଉଥିବା ନେଇ ଗୁଜବ ପ୍ରଚାର ହୋଇଥିଲା । ଯାହାର ପରିଣାମ ଗ୍ରାହକମାନଙ୍କ ଉପରେ ପଡିଥିଲା । ୧୦ ଟଙ୍କା ଲୁଣ ପ୍ୟାକେଟକୁ ୨୦ ଟଙ୍କାରେ କିଣି ନେଉଥିଲେ ଗ୍ରାହକ ମାନେ । ସେହିପରି ଆମିଷ ବଜାରରେ ମଧ୍ୟ ଦର ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଚିକେନ ଦର ୧୫୦ରୁ ବର୍ତମାନ ୩୨୦ ଟଙ୍କାରେ ପହଂଚିଛି । ମଟନ ଦର ୬୦୦ ରୁ ୮୦୦ ଟଙ୍କାରେ ପହଂଚିଛି ।ବିଶେଷ କରି ନିଶା ଦ୍ରବ୍ୟ ଭାଙ୍ଗ ପ୍ୟାକେଟ ୧୧୦ ଟଙ୍କାରେ ବିକ୍ରୀ ହେଉଥିବା ବେଳେ ଏବେ ତାହା ୮୦୦ ଟଙ୍କାରେ ପହଂଚିଛି । ତେବେ ଲୁଣର ଅଭାବ ବିକ୍ରୀ ନେଇ ରାୟଗଡା ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ଯେ ଲୁଣ ପ୍ରଚୁର ମାତ୍ରାରେ ମହଜୁଦ ଅଛି । ତେଣୁ ଅଭାବର ପ୍ରଶ୍ନ ଉଠୁନାହିଁ । କଳା ବଜାରୀକୁ ରୋକିବା ପାଇଁ ପ୍ରଶାସନ ତରଫରୁ କଡା ପଦକ୍ଷେପ ଗ୍ରହଣ କରାଯିବ ଏବଂ ଏଥି ସହ ଗୁଜବକାରୀଙ୍କ କଥାକୁ ବିଶ୍ୱାସ ନ କରିବା ପାଇଁ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।

Leave A Reply

Your email address will not be published.

4 × 3 =