ଯାଜପୁର (ନି.ପ୍ର): ରାଜ୍ୟ ସରକାର ଗ୍ରାମାଂଚଳର ଉନ୍ନତି ସହିତ ଲୋକମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଏବଂ ସ୍ୱାସ୍ଥ୍ୟପ୍ରତି ଗୁରୁତ୍ୱ ଦେବାକୁ ଯାଇଁ ବିବିଧ ଯୋଜନା ମାନ ପ୍ରଣୟନ କରିଛନ୍ତି । ଗ୍ରାମାଂଚଳ ଲୋକଙ୍କୁ ସ୍ୱଛ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ ଗ୍ରାମାଂଚଳମାନଙ୍କରେ ପାଣି ଟାଙ୍କି ନିର୍ମାଣ କରି ଲୋକମାନଙ୍କୁ ସ୍ୱଛ ପାଣି ଯୋଗାଇ ଦେଉଛନ୍ତି । ରାଜ୍ୟ ସରକାରଙ୍କ ଯୋଜନା ଲୋକମାନଙ୍କର ହିତ ପାଇଁ ଉଦ୍ଧିଷ୍ଟ ଥିବା ବେଳେ କିଛି ସରକାରୀ କର୍ମଚାରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଗ୍ରାମାଂଚଳ ଲୋକମାନେ ବସୁଧା ଯୋଜନାରେ ସୁଫଳ ପାଉନାହାଁନ୍ତି । ଏପରିକି ସ୍ୱଛ ପାଣି ଯୋଗାଇଦିଆଯିବା ନିମନ୍ତେ ପାଣି ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ଟାଙ୍କିରେ ପାଣି ରହୁନଥିବାରୁ ସ୍ୱଛ ପାଣିର ସୁବିଧା ଗ୍ରାମାଂଚଳ ଲୋକମାନେ ନେଇ ପାରୁନାହାଁନ୍ତି । ଏପରିକି ପାଣି ଟାଙ୍କି ନିର୍ମାଣ ହୋଇ ରକ୍ଷଣା ବେକ୍ଷଣର ଅଭାବରୁ ସମୟ ପର୍ବୂରୁ ପାଣି ଟାଙ୍କିର ଛାତ ଫାଟି ଯାଇଥିବାରୁ ଟାଙ୍କିରେ ପାଣି ରହୁନାହିଁ । ଯଦ୍ୱାରା ଲୋକମାନେ ସରକାରଙ୍କର ବସୁଧା ଯୋଜନାରେ ସ୍ୱଛଳ ଜଳ ପାଇ ପାରୁନାହାଁନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ବ୍ଲକ୍ ସାନସୁଆର ପଂଚାୟତ ସାନସୁଆର ଗ୍ରାମରେ । ୨୦୧୭ -୧୮ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ସାନସୁଆର ପଂଚାୟତ ଲୋକମାନଙ୍କୁ ସ୍ୱଛଳ ପାନୀୟ ଜଳ ଯୋଗାଇ ଦେବା ପାଇଁ ଓଭରହେଡ଼୍ ପାଣି ଟାଙ୍କି ନିର୍ମାଣ ହୋଇଥିଲା । ୧୨ ମିଟର ଉଚ୍ଚତା ବିଶିଷ୍ଟ ୧ ଲକ୍ଷ ଲିଟର ପାଣି ରହିବା ପାଇଁ ଜୈନିକ ଠିକାଦାର ଏହି ନିର୍ମାଣ କାର୍ଯ୍ୟ କରିଥିଲେ । ୨୪ ଘଂଟିଆ ଜଳ ଯୋଗାଇ ଦେବା ନିମନ୍ତେ ଏହି ପାଣି ଟାଙ୍କି ନିର୍ମାଣ ହୋଇଥିଲା । ପାଣି ଟାଙ୍କିରୁ ସାନସୁଆର ପଂଚାୟତର ସାନସୁଆର, ବଇଁଭୁଇଁ, ତରତୋଠା ସମେତ ୪ ଟି ୱାଡର଼୍ର ୫୦୦ରୁ ଉର୍ଦ୍ଧ ପରିବାରକୁ ଜଳ ଯୋଗାଇ ଦେବା ନିମନ୍ତେ ପାଣି ପାଇପ ଲାଇନ୍ ସଂଯୋଗ କରାଯାଇ କାର୍ଯ୍ୟ ଶେଷ କରାଯାଇଥିଲା । ଟାଙ୍କିରେ ପାଣି ଭର୍ତି କରିବା ଓ ଲୋକମାନଙ୍କୁ ପାଣି ଯୋଗାଇ ଦେବା ନିମନ୍ତେ ମଟର ପମ୍ପ୍ ଲାଗି ସାରିଥିଲା । କିନ୍ତୁ ନିର୍ମାଣ ଶେଷ ହେବା ପରେ ଟାଙ୍କିରେ ପାଣି ଭର୍ତି କରାଯିବା ପାଇଁ ମଟର ଚଲାଇବା ପରେ ଟାଙ୍କିରେ ପାଣି ରହିନଥିଲା । ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଉକ୍ତ ଓଭରହେଡ଼ ପାଣି ଟାଙ୍କିରୁ ପାଣି ଝରି ତଳେ ପଡ଼ିବାରୁ ଟାଙ୍କିରେ ପାଣି ରହିଲା ନାହିଁ । ଫଳରେ ପାଣି ପାଇଁ ସଂଯୋଗ ନେଇଥିବା ପରିବାରମାନେ ପାଣି ପାଇ ପାରିଲେ ନାହିଁ । ଏପରିକି ସଂପୃକ୍ତ ଠିକାଦାର ପାନୀୟ ଜଳ ଯୋଗାଣ ପାଇଁ ପ୍ରତି ପରିବାରଠାରୁ ୫୦୦ ଲେଖାଁଏ ଟଙ୍କା ନେଇଥିବା ବେଳେ ଏବେ ଏହି ସବୁ ପରିବାର ପାନୀୟ ଜଳ ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଓଭରହେଡ଼୍ ପାଣି ଟାଙ୍କି ଅକାମି ହୋଇପଡ଼ିଥିବାରୁ କେବଳ ଦିନକୁ ମାତ୍ର ଅଧଘଂଟାଏ ପାଇଁ ମଟର ଚଳାଇ ପାନୀୟ ଜଳ ଯୋଗାଣ ହେଉଛି । ତାହା ପୁଣି ନିର୍ଦ୍ଧିଷ୍ଟ ସମୟରେ ନୁହେଁ । ଅନିୟମିତତା ଭାବେ ଜଳ ଯୋଗାଣ ହେଉଥିବାରୁ ଗ୍ରୀଷ୍ମ ଋତୁରେ ସ୍ଥାନୀୟ ଲୋକେ ଜଳ କଷ୍ଟର ସମ୍ମୁଖୀନ ହେଉଛନ୍ତି । ଏ ସମ୍ବନ୍ଧରେ ଗ୍ରାମବାସୀଙ୍କ ପକ୍ଷରୁ ସଂପୃକ୍ତ ଠିକାଦାର, ପାନୀୟ ଜଳ ଯୋଗଣ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଉପଖଣ୍ଡ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ହେଁ କେହି ଏଥି ପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ଅପରପକ୍ଷେ ଅଭିଯୋଗକାରୀଙ୍କୁ ଠିକାଦାରଙ୍କ ପକ୍ଷରୁ ସ୍ଥାୟୀ ଭାବେ ପାନୀୟ ଜଳ ଯୋଗାଣ ବନ୍ଦ କରିଦେବାକୁ ଧମକ ଦିଆଯାଉଛି । ଗ୍ରୀଷ୍ମ ଦିନେ ସ୍ଥାନୀୟ ଅଧିବାସୀମାନେ ସ୍ୱଛ ପାନୀୟ ଜଳ ପାଇପାରୁନଥିବାରୁ ଦୈନନ୍ଦିନ ନିତ୍ୟ କାର୍ଯ୍ୟ ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗ୍ରାମବାସୀମାନେ ସ୍ୱଛ ପାନୀୟ ଜଳ ପାଇବା ପାଇଁ ବାରମ୍ବାର ପାନୀୟ ଜଳ ବିଭାଗରେ ଆପତି ଜଣାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାରୁ ସ୍ୱଛ ପାନୀୟ ଜଳ ପାଇବା ପାଇଁ ଗ୍ରାମବାସୀମାନେ ଯାଜପୁର ଟାଉନ-ସିଂହପୁର ରାସ୍ତାର କପାସୀ ଛକଠାରେ ଗଣ ଧାରଣା ଦେବା ପାଇଁ ଚେତାବନୀ ଦେବା ସହ ଉଚ୍ଚ ନ୍ୟାୟଳୟର ଆଶ୍ରୟ ନେବେ ବୋଲି ସ୍ଥାନୀୟ ବାସିନ୍ଦା ମହେନ୍ଦ୍ର କୁମାର ନାୟକ, ନିରଞ୍ଜନ ନାୟକ, ସଂଗ୍ରାମ ବେହୁରିଆ, ଶ୍ରୀକାନ୍ତ ବେହୁରିଆ, ସୁଶାନ୍ତ ତ୍ରିପାଠୀ, ପ୍ରଶାନ୍ତ ତ୍ରିପାଠୀ, ଅଜୟ ଜେନା, ନଟବର ଜେନା, ସୁରେଶ ନାୟକ, କୁମୁଦିନୀ ନାୟକ, ମାମିନା ବେହୁରିଆ, ଝୁମା ବେହୁରିଆ, ବାସନ୍ତୀ ଜେନା, ରେବତୀ ଜେନା, ଶୁକୁଟି ସାହୁ, ଲମ୍ବୋଦର ନାୟକ, ଅକ୍ଷୟ କୁମାର ବେହୁରିଆ ପ୍ରମୁଖ ଚେତାବନୀ ଦେଇଛନ୍ତି ।