*ପରିବା ଦର ଆକାଶ ଛୁଆଁ ତେଣୁ ଯଥେଷ୍ଟ ଦେବା ସମ୍ଭବ ନୁହେଁ : ପ୍ରଧାନ ଶିକ୍ଷକ
ଉମରକୋଟ : ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ଭାମିନି ଗ୍ରାମ ପଞ୍ଚାୟତ ଅଧିନରେ ଆସୁଥିବା ପୁଜାରୀଗୁଡା ଠାରେ ଥିବା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନିମ୍ନ ମାନର ମଧ୍ୟାହ୍ନ ଭୋଜନ, ପାଣି ସଦୃଶ ଡାଲି, ଛୋଟ ଛୋଟ ପିଲାଙ୍କୁ ଜାଳେଣି କାଠ ଆଣିବା ପାଇଁ ପଠାଇବା, ସ୍କୁଲ ପରିସର ସଫା ସୁତୁରା ରହୁନଥିବା ଅଭିଯୋଗ କରି ଆଜି ଭାମିନି ପଞ୍ଚାୟତର ନାଏବ ସରପଞ୍ଚଙ୍କ ନେତୃତ୍ୱରେ ପୁଜାରୀଗୁଡା ଓ ନିକଟସ୍ଥ କିଛି ଗ୍ରାମର ଶତାଧିକ ଅବିଭାବକ ପ୍ରଧାନ ଶିକ୍ଷକଙ୍କୁ ଘେରିଥିଲେ। ଆଜି ବିଦ୍ୟାଳୟ ର ପ୍ରାୟ ଅଧିକାଂଶ ଛାତ୍ରୀ, ଛାତ୍ର ମଧ୍ୟାହ୍ନ ଭୋଜନ ସ୍କୁଲରେ ନଖାଇ ନିଜ ନିଜ ଘରକୁ ଯାଇ ଖାଇଥିଲେ ଏବଂ ଅପରାହ୍ନ ୨ଟା ପରେ ସ୍କୁଲ ସ୍ୱାଭାବିକ ଭାବେ ପାଠ ପଢା ହୋଇଥିଲା। ଅଭିଭାବକଙ୍କ ଅଭିଯୋଗ ହେଲା ସ୍କୁଲରେ ଅତ୍ୟନ୍ତ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦିଆଯାଉଛି ଏପରିକି ଡାଲି ଏତେ ପାଣିଯେ ଡାଲି ହିଁ ରହୁନି। ନିମ୍ନମାନର ଖାଦ୍ୟ ପାଈଁ ପିଲା ମାନେ ସ୍କୁଲରେ ନଖାଇ ଘରକୁ ଆସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ପାଠ ପଢ଼ା ଠିକ ଭାବରେ ହେଉନଥିବାରୁ ପିଲା ଆଉ ସ୍କୁଲକୁ ଯିବାପାଇଁ ଇଚ୍ଛା କରୁନାହାଁନ୍ତି। ଏପରିକି ସ୍କୁଲର ଶିକ୍ଷକ ମାନେ ଜାଳେଣୀ କାଠ ଆଣିବା ପାଇଁ ନିକଟସ୍ଥ ଡ୍ୟାମ ପ୍ରାୟ ଦୁଇ କିଲୋମିଟର ପଠାଉଛନ୍ତି । ଏପରି ସ୍ଥଳେ ପିଲା ମାନଙ୍କର ଭବିଷ୍ୟତ କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ଅବିଭାବକ। ଏପରିକି ସ୍କୁଲରେ ମୋଟେ ପାଠପଢା ହେଉନଥିବା ମଧ୍ୟ ଅବିଭାବକ ଅଭିଯୋଗ କରିବା ସହ ସ୍କୁଲ ପରିସର ଜଙ୍ଗଲରେ ପରିପୂର୍ଣ୍ଣ ଯାହାକୁ ସଫା ସୁତୁରା ମଧ୍ୟ କରା ଯାଉନଥିବା ଅଭିଯୋଗ ହେଉଛି। ଏପରିକି ଏହି ସବୁ ସମସ୍ୟା ନେଇ ପ୍ରଧାନ ଶିକ୍ଷକଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ବୈକୁଣ୍ଠ ନାଥ ମହାପାତ୍ର କର୍ଣ୍ଣପାତ କରୁନାହାନ୍ତି ବୋଲି ନାଏବ ସରପଞ୍ଚ କଦୁ ଭତ୍ରା ଅଭିଯୋଗ କରିଛନ୍ତି। ଏହି ବିଦ୍ୟାଳୟରେ ୧ ରୁ ୮ମ ଶ୍ରେଣୀ ଯାଏଁ ଥିବାବେଳେ ମୋଟ ୧୨୪ ଜଣ ଛାତ୍ରୀ ଛାତ୍ର ପାଠ ପଢୁଛନ୍ତି। ତେବେ ବିଦ୍ୟାଳୟର ଏପରି ଅବ୍ୟବସ୍ଥାକୁ ଦେଖି ଆଜି ଶତାଧିକ ଅଭିଭାବକ ଗ୍ରାମରେ ଥିବା ଏକ ମନ୍ଦିରରେ ପ୍ରଥମେ ଏକ ବୈଠକ କରି ବିଦ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷକଙ୍କୁ ଘେରିଥିଲେ। ଏସବୁ ସମସ୍ୟାର ସମାଧାନ ଶିଘ୍ର ନହୁଏ ତାହେଲେ ସ୍କୁଲରେ ତାଲା ପକାଇବୁ ବୋଲି ମଧ୍ୟ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଅପର ପକ୍ଷେ ଅଭିଯୋଗକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମିଥ୍ୟା ବୋଲି କହିବା ସହ ପନିପରିବା ଦର ଆକାଶ ଛୁଆଁ ହୋଇଥିବାରୁ ଏପରି ପରିସ୍ଥିତି ଉପୁଜିଛି। ସରକାରଙ୍କ ନିର୍ଦ୍ଧେଶ ମୁତାବକ ମଧ୍ୟାହ୍ନ ଭୋଜନ ଦିଆଯାଉଛି ଗ୍ରାମବାସୀ ଅଧିକ ପରିମାଣର ଖାଦ୍ୟ ଦାବୀ କରିବା ଆଉ ଦେବା ସମ୍ଭବ ନୁହେଁ ବୋଲି ପ୍ରଧାନ ଶିକ୍ଷକ ବୈକୁଣ୍ଠ ନାଥ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି।