ଭୁବନେଶ୍ୱର: ଏଣିକି ପଞ୍ଚାୟତ ସମେତ ସମସ୍ତ ନିର୍ବାଚନରେ ବିଜେଡି ୨୭% ପଛୁଆ ବର୍ଗ (ଓବିସି) ପ୍ରାର୍ଥୀ ଦେବ । ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଆଜି ଏହି ଘୋଷଣା କରିଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ୨୭ ପ୍ରତିଶତ ପଛୁଆ ବର୍ଗର (ଓବିସି) ପ୍ରାର୍ଥୀ ଦେବ । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଦଳ ଏହି ନିଷ୍ପତ୍ତି ନେଇଛି ବୋଲି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ୱାଇଁ ଏବଂ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ସାଂପ୍ରତିକ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ସଂସ୍ଥାଗୁଡିକରେ ଆଗାମୀ ନିର୍ବାଚନ ପାଇଁ ଆବଶ୍ୟକ ସଂରକ୍ଷଣ ନିମନ୍ତେ ସରକାର ବିଚାର କରୁଛନ୍ତି ବୋଲି ଦୁଇ ମନ୍ତ୍ରୀ କହିଛନ୍ତି । ସେମାନେ ଆହୁରି କହିଛନ୍ତିି ଯେ, କେବଳ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନୁହେଁ ଏଣିକି ସମସ୍ତ ନିର୍ବାଚନରେ ଦଳ ପଛୁଆ ବର୍ଗରୁ ସର୍ବନିମ୍ନ ୨୭% ପ୍ରାର୍ଥୀ ଦେବ । ବିଭିନ୍ନ କ୍ଷେତ୍ରରେ ଓବିସି ବର୍ଗକୁ ପ୍ରତିନିଧିତ୍ୱ ସୁବିଧା ଦେବା ଲାଗି ଦଳର ସୁପ୍ରିମୋ ଶ୍ରୀ ପଟନାୟକଙ୍କ ଏହି ନିଷ୍ପତି ଐତିହାସିକ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ।
ଏହା ସଂପ୍ରତି ବିଭିନ୍ନ ନ୍ୟାୟାଳୟର ଅନ୍ତରୀଣ ନିର୍ଦେଶକୁ କାର୍ଯ୍ୟକାରୀ କରିବାରେ ସହାୟକ ହେବା ସଙ୍ଗେ ସଙ୍ଗେ ଏକ ଚୂଡାନ୍ତ ନିଷ୍ପତ୍ତି ନେବାରେ ସହାୟତା କରିବ । ତେବେ କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନମାନଙ୍କରେ ନାମ ଲେଖାଇବାକୁ ସଂରକ୍ଷଣର ସୁବିଧା ପାଉଛନ୍ତି । ସେହିପରି ରାଜ୍ୟର ତାଲିକା ଅନୁସାରେ ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗ (ଏସିବିସି)ର ପ୍ରାର୍ଥୀମାନେ ୨୦୦୮ ରାଜ୍ୟ ସରକାରଙ୍କ ସଂରକ୍ଷଣ ଆଇନ୍ଅନୁଯାୟୀ ରାଜ୍ୟସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରିରେ ସଂରକ୍ଷଣ ସୁବିଧା ପାଉଛନ୍ତି । ମାତ୍ର ସଂରକ୍ଷଣର ସବୋର୍ଚ ସୀମା ୫୦% ରହିଥିବାରୁ ଓବିସିଙ୍କ କ୍ଷେତ୍ରରେ ୨୭% ସଂରକ୍ଷଣ ଲାଗୁ ହୋଇପାରୁନାହିଁ । ଏବେ ଅନୁସୂଚିତ ଜାତି ୧୫% ଅନୁସୂଚିତ ଜନଜାତି ୨୨% ସଂରକ୍ଷଣ ସୁବିଧା ପାଉଛନ୍ତି । ତେଣୁ ଓବିସିଙ୍କ ପାଇଁ ୨୭% ସଂରକ୍ଷଣ ସୁପ୍ରିମକୋର୍ଟ ନିେଦେ୍ର୍ଧଶ ଅନୁଯାୟୀ ଲାଗୁ ହୋଇପାରୁନାହିଁ । ତୁରନ୍ତ ସର୍ବୋଚ୍ଚ ସଂରକ୍ଷଣ ସୀମା ୫୦%ରୁ ବୃଦ୍ଧି ହେବା ଜରୁରୀ । ରାଜ୍ୟ ପଛୁଆ ବର୍ଗ କମିସନ ଆଇନ୍ ବଳରେ ରାଜ୍ୟ ସରକାର ଚାହିଁଲେ କୌଣସି ଯୋଗ୍ୟ ଜାତିକୁ ଏସଇବିସି ତାଲିକାରେ ଅନ୍ତର୍ଭୁକ୍ତ କରିପାରୁଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟର ୨୦୯ ଜାତି ଓ ଉପଜାତି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ପାର୍ଲାମେଂଟର ମୌସୁମୀ ଅଧିବେଶନର ଅନ୍ତିମ ଦିବସରେ ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍ ତଥା ଓବିସି ସଂରକ୍ଷଣ ବିଧାୟକ ସର୍ବସମ୍ମତି କ୍ରମେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନୁମୋଦିତ ହେବା ପରେ ଏବେ ଓବିସିକୁ ନେଇ ବିଭିନ୍ନ ଦଳ ମଧ୍ୟରେ ରାଜନୀତି ଜୋର ଧରିଛି । ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଲୋକଙ୍କୁ ନିର୍ବାଚନରେ ୨୭% ସଂରକ୍ଷଣ ଦେବାରେ ବିଜେଡି ଦେଶରେ ପ୍ରଥମ ରାଜନୈତିକ ଦଳ । ଗତ ଲୋକସଭା ନିର୍ବାଚନରେ ବିଜେଡି ୩୩% ମହିଳାଙ୍କୁ ପ୍ରାର୍ଥୀ କରିଥିଲା । ବିଧାନସଭା ଓ ଲୋକସଭାରେ ୩୩% ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ବିଜେଡି ସମସ୍ତ ରାଜନୈତିକ ଦଳ ମାନଙ୍କୁ ଆହ୍ୱାନ ଦେଇଛି ।