ନୟାଗଡରେ କଙ୍ଗାରୁ କୋର୍ଟ : ଘର ଆଗରେ କଂଟା

ନୟାଗଡ- ନୟାଗଡରେ କଙ୍ଗାରୁ କୋର୍ଟ । ପୋଖରୀ ଲିଜ୍ ନେବାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି । କଥା କଙ୍ଗାରୁ କୋର୍ଟରେ ପହଂଚିଥିବା ବେଳେ ଗ୍ରାମବାସୀ ସମ୍ପୂର୍ଣ୍ଣ ପରିବାରକୁ ନିଆଁ ପାଣି ବାସନ୍ଦ କରିଦେଇଛନ୍ତି । ଏମିତିକି ଘର ଦୁଆର ମୁହଁରେ କଂଟା ପକାଇ ଗେଟ୍କୁ ବନ୍ଦ କରାଯାଇଛି । ଯଦି କେହି ଗେଟ୍ ଖୋଲିବେ , ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଆଯାଉଛି । ଏପରି ଅମାନବୀୟ ଘଟଣା ଘଟିଛି ନୟାଗଡ ଚାନ୍ଦପୁର କେରଣ୍ଡ ଟାଙ୍ଗୀ ପଂଚାୟତ ଉପେନ୍ଦ୍ରପୁର ଗାଁରେ । ସୂଚନା ଅନୁସାରେ , ଉପେନ୍ଦ୍ରପୁର ଗାଁର ପ୍ରସନ୍ନ ସୁନ୍ଦରାୟଙ୍କ ପରିବାର ଗାଁରେ ଏକ ପୋଖରୀ ନିଲାମ ନେଇଥିବା ବେଳେ ଏହାକୁ ଗାଁ ଲୋକେ ବିରୋଧ କରିଥିଲେ । ଯାହାଫଳରେ କି ଗାଁ ଲୋକେ ପ୍ରସନ୍ନ ପରିବାରକୁ କଙ୍ଗାରୁ କୋର୍ଟ କରି ଗତ ୧୦ ତାରିଖରୁ ଏକ ଘରକିଆ କରିଦେଇଛନ୍ତି ।ଏମିତିକି ସେମାନେ ଗାଁ ପୋଖରୀ ଓ ନଦୀକୁ ମଧ୍ୟ ବ୍ୟବହାର କରିପାରିବେ ନାହିଁ କି ଗାଁ ଦୋକାନରୁ ଜିନିଷ କିଣିକି ଆଣିପାରିବେ ନାହିଁ ।ଫଳରେ ପ୍ରସନ୍ନଙ୍କ ପରିବାର ସଦସ୍ୟ ଦୋକାନକୁ ଗଲେ ଦୋକାନୀ ସେମାନଙ୍କୁ ଖାଲି ହାତରେ ଫେରାଇ ଦେଉଛି । ତେବେ ଏହାକୁ ନେଇ ପ୍ରସନ୍ନ କହିଛନ୍ତି ଯେ ପୋଖରୀକୁ ନିଲାମ ନେବା ପରଠାରୁ ଗ୍ରାମବାସୀ ଆକ୍ରୋଶମୂଳକ ଭାବେ ତାଙ୍କୁ ହଇରାଣ ହରକତ କରୁଛନ୍ତି । ଘର ଆଗରେ କଂଟା ପକାଇ ଦେଉଛନ୍ତି । ଗାଳିଗୁଲଜ ମଧ୍ୟ କରୁଛନ୍ତି । କଂଟା ବାହାର କଲେ ଜୀବନରୁ ମାରି ଦେବାକୁ ବି ଧମକ ଦେଉଛନ୍ତି । ପ୍ରଥମେ ଚାନ୍ଦପୁର ଥାନାରେ ଏନେଇ ଅଭିଯୋଗ କରିଥିଲି । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଏହା ପରେ ଉପଜିଲ୍ଲାପାଲଙ୍କୁ ଅବଗତ କରାଇଛି । ଏହାର ତଦନ୍ତ ନିମନ୍ତେ ସେ ଆଇଆଇସି ଙ୍କୁ ନିଦେ୍ର୍ଧଶ ଦେଇଥିବା ଜଣାପଡିଛି । ସୂଚନାଥାଉକି, ପ୍ରସନ୍ନଙ୍କ ପରିବାରକୁ ୫ବର୍ଷ ପୂର୍ବେ ମଧ୍ୟ ଠିକ୍ ଏହିଭଳି ଭାବେ ନିଆଁପାଣି ବାସନ୍ଦ କରିଥିଲେ । କଙ୍ଗାରୁ କୋର୍ଟ ନିଷ୍ପତି ୫ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥାଏ । ଉକ୍ତ ସମୟସୀମା ପୂରି ଯିବା ପରେ ପୁଣି ପରିବାରକୁ ହଇରାଣ କରିବାକୁ ଗ୍ରାମବାସୀ ଏପରି କରୁଥିବା ପ୍ରସନ୍ନ ସୁନ୍ଦରାୟ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

four − 4 =