କାମାକ୍ଷାନଗର: ମୋବାଇଲରେ କଥା ହେବାରୁ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ସ୍ୱାମୀ । ଏଭଳି ହୃଦୟ ବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅନ୍ତର୍ଗତ ଚୂନରଗଡି ଗାଁରେ ଘଟିଛି । ଗ୍ରାମର ନବକିଶୋର କବାଟ ନିଜ ସ୍ତ୍ରୀ ରିଙ୍କି ମହାକୁଡକୁ ପ୍ରଥମେ ମାଡ ମାରିଥିଲା । ଯାହା ପରେ ନିଜ ସ୍ତ୍ରୀକୁ ଏକ ଘର ଭିତରେ ପୂରାଇ ନିଆଁ ଲଗାଇ ଜୀଅନ୍ତା ଜାଳି ଦେଇଛି । ଏ ନେଇ ରିଙ୍କିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ଏଭଳି ଅଭାବନୀୟଘଟଣା ଘଟିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ରିଙ୍କି ମୋବାଇଲ୍ ଫୋନ୍ରେ କ୍ଥା ହେଉଥିଲେ । ଏହାକୁ ନେଇ ସ୍ୱାମୀ ନବକିଶୋର ତାଙ୍କୁ ବାରଣ କରିଥିଲେ । ଫଳରେ ଉଭୟ ସ୍ତ୍ରୀ ଓ ସ୍ୱାମୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ନବକିଶୋର ନିଜ ସ୍ତ୍ରୀକୁ ଖୁବ୍ ମାଡ ମାରିଥିଲେ । ମାମଲା ଏତେ ବିଗିଡି ଗଲା ଯେ, ନବକିଶୋର ବିଳମ୍ବିତ ରାତିରେ ରିଙ୍କିଙ୍କୁ ଚାଳ ଘର ଭିତରେ ରଖି ପୋଡି ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କଙ୍କଡାହାଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହକୁ ଉଦ୍ଧାର କରିବା ସହ ସ୍ୱାମୀ ନବକିଶୋରକୁ ଅଟକ ରଖି ଅଧିକ ପଚରାଉଚରା ଚଳେଇଛି । ଜିଲ୍ଲା ସାଇଂଟିଫିକ୍ ଟିମର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଜଣାପଡିଛି ।