ଝରିଗାଁ : ଝରିଗାଁ ସଦର ମହକୁମା ଜନସାଧାରଣ ଙ୍କ ପାନୀୟଜଳ ଯୋଗାଣ ପାଇଁ ଦୀର୍ଘ ଦଶନ୍ଧି ରୁ ଉର୍ଦ୍ଧ ସମୟ ଧରି ପୁରୁଣା ପାଇପ୍ ଲାଇନ୍ ଯୋଗେ ଜଳ ଯୋଗାଣ ହୋଇ ଆସୁଥିଲା। ସମ୍ପ୍ରାତିକ ସ୍ଥିଥିରେ ତାହା ଯଥେଷ୍ଟ ହେଉନଥିବା ବେଳେ ଜନସଂଖ୍ୟା ଦୃଷ୍ଟିରୁ ନୂତନ ପାଇପ୍ ଲାଇନ୍ ବିଛାଯାଉଛି। ଯାହାଫଳରେ ତାଲିଆମ୍ବା ସାହିରେ ରହିଥିବା ସିମେଣ୍ଟ କଂକ୍ରିଟ ରାସ୍ତାର ଉଭୟ ପାର୍ଶ୍ଵରେ ପାଣି ପାଇପ୍ ପୋତିବାକୁ ଯାଇ ଜେସିପି ଦ୍ଵାରା ଗାତ ଖୋଳିବା ପରେ ରାସ୍ତାର ଏହି ବିକଳ ଚିତ୍ର ଦେଖିବାକୁ ମିଳିଛି। ଝରିଗାଁ ସଦର ମହକୁମାର ଏକ ନଂ ୱାର୍ଡ ତାଳିଆମ୍ବା ରାସ୍ତା ସର୍ବଦା ଲୋକଙ୍କ ଚଳପ୍ରଚଳ ହେଉଥିବା ବେଳେ ଯାନବାହାନ ଚଳାଚଳ ଭିଡ଼ ଲାଗି ରହିଥାଏ। ମୁଖ୍ୟ ରାସ୍ତା ସହ ଏହା ସଂଯୋଗ ହୋଇଥିବାରୁ ବ୍ୟସ୍ତବହୁଳ ରାସ୍ତା ଭାବେ ବ୍ୟବହୃତ ହେଉଛି। ଏହି ରାସ୍ତା ଦେଇ ଦୈନିକ ବଜାର,ସାପ୍ତାହିକ ହାଟ ଯିବାକୁ ଲୋକଙ୍କ ଭିଡ଼ ସର୍ବଦା ଲାଗିରହିଥିବା ଦେଖିବାକୁ ମିଳୁଛି। ବାଇପାସ୍ ରାସ୍ତା ଭାବେ ଏହି ରାସ୍ତା ବ୍ୟବହାର ହୋଇ ଆସୁଛି। ସାହିରେ ହୋଲେସେଲ ଗ୍ରୋସେରି ଗୋଦାମ,ସାର ବିହନ ଗୋଦାମ,ହାର୍ଡୱେର ଗୋଦାମ ରହିଥିବାରୁ ଟ୍ରାକ୍ଟର, ପିକପ୍, ଅଟୋ,ଜିପ୍ କାର ଟ୍ରକ ମେଟାଡର ଚଳପ୍ରଚଳ ଅଧିକ ମାତ୍ରାରେ ଯିବାଆସିବା କରୁଛି। ହେଲେ ପାଇପ୍ ସଂଯୋଗ କରିବାକୁ ଯାଇ ବର୍ତ୍ତମାନ ରାସ୍ତାର ଅବସ୍ଥା ଶୋଚନୀୟ। ବର୍ଷା ଯୋଗୁଁ ରାସ୍ତା ଉପରେ ପଡି ରହିଥିବା ମାଟି କାଦୁଅ ରେ ଘାଣ୍ଟି ହେଉଛନ୍ତି ଲୋକେ। ସଂକୀର୍ଣ୍ଣ ସି ସି ରାସ୍ତା ହୋଇଥିବା ବେଳେ ପ୍ରାୟ ୪୦୦ ମିଟର ରାସ୍ତା ମାଟି କାଦୁଅ ପାଣିରେ ପୋତି ହୋଇଯାଇଛି। ଯାତାୟତରେ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି। ପ୍ରାୟ ଛଅ ଇଞ୍ଚ୍ ମୋଟାରେ କଂକ୍ରିଟ ରାସ୍ତାରେ ଖେଳେଇ ଯାଇଛି ମାଟି। ବର୍ଷା ପରେ ପରସ୍ତ ପରସ୍ତ କାଦୁଅ ଗାଡ଼ି ଚକରେ ଓ ପାଦରେ ଲାଗୁଛି। ରାସ୍ତାର ଉଭୟ ପାର୍ଶ୍ବରେ ଖୋଳା ଯାଇଥିବା ଡ୍ରେନ ପାଇପ୍ ପୋତିବା ପରେ ମାଟିକୁ ସମାନ ଭାବରେ ପୁନଃ ଗାତରେ ନ ପୋତିବା ଦ୍ଵାରା ରାସ୍ତା ଉପରେ ପଡି ରହିବାଯୋଗୁ କଂକ୍ରିଟ ରାସ୍ତା ପାଲଟିଛି ମାଟି ରାସ୍ତା। ଠିକ୍ ବର୍ଷା ସମୟରେ କାର୍ଯ୍ୟ ଆରମ୍ଭ କରି ଥିବାରୁ ଲୋକେ ଯାତାୟତରେ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି। ବର୍ଷାରେ କାଦୁଅ ଏବଂ ଖରାରେ ଧୂଳି ଉଡି ଲୋକେ ନୟାନ୍ତ ହେଉଛନ୍ତି। ପ୍ରାୟ ୧୦ ଦିନ ହେବ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ରହିଛି। ପଞ୍ଚାୟତ ପ୍ରଶାସନ ଦୃଷ୍ଟି ଦେବାକୁ ଟାଲିଆମ୍ବା ବାସୀ ଦାବି କରିଛନ୍ତି। ଝରିଗାଁ ସରପଂଚ ଶ୍ରୀ ଯୋଗେଶ୍ୱର ପୂଜାରୀ ଙ୍କୁ ପଚାରିବାରୁ ବିଭାଗୀୟ ଯନ୍ତ୍ରୀ ଶ୍ରୀ ଲିଙ୍ଗରାଜ ବାଘ ଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ଖୋଳା ଯାଇ ଥିବା ମାଟି କିଛି ମାତ୍ରାରେ ଦବିଗଲା ପରେ ତାରି ଉପରେ ସିମେଣ୍ଟ କଂକ୍ରିଟ ପୁନଃ ଫିଲପ୍ କରାଯିବାକୁ ରହିଛି ବୋଲି ସରପଂଚ ପ୍ରକାଶ କରିଛନ୍ତି।