ପାନ୍ଥନିବାସରେ ରଜ ମହୋତ୍ସବ ଉଦ୍ଘାଟିତ ଝୁଲିଲା ପ୍ରତୀକ ଦୋଳି : ପିଠା ଅନ୍ ହ୍ୱିଲ୍ ବ୍ୟବସ୍ଥା

ଭୁବନେଶ୍ୱର,୧୩.୬ (ନି.ପ୍ର.): ଭୁବନେଶ୍ୱର ପାନ୍ଥନିବାସରେ ନିରାଡ଼ମ୍ବର ଭାବେ ରଜ ମହୋତ୍ସବ ଉଦ୍ଘାଟିତ ହେଲା । ସଂସ୍କୃତି ଓ ପରମ୍ପରା ରକ୍ଷା ଲାଗି ପ୍ରତୀକ ଦୋଳି ଝୁଲିଲା ଓ ଏକ ଝିଅର ପ୍ରତୀକକୁ ବସାଇ ମହୋତ୍ସବର ଶୁଭାରମ୍ଭ ହେଲା । ଗ୍ରାହକମାନଙ୍କୁ ଯୋଗାଇ ଦେବାକୁ ଖୋଲିଲା ଓଟିଡିସି ପକ୍ଷରୁ ପିଠା ଓ ମିଠା କାଉଂଟର । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ପର୍ଯ୍ୟଟନ ନିର୍ଦେଶକ ତଥା ନିଗମର ପରିଚାଳନା ନିର୍ଦେଶକ ସଚିନ୍ ଆର୍ ଯାଦବ ଏହାର ଉଦ୍ଘାଟନ କରିଥିଲେ । ପିଠା କାର୍ଯ୍ୟକ୍ରମ ଜୁନ୍ ୧୩ରୁ ୧୭ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଯେହେତୁ ଲୋକେ ଘରୁ ବାହାରି ପାରୁନାହାନ୍ତି ତେଣୁ ସେମାନଙ୍କ ସୁବିଧା ଅନୁଯାୟୀ ଜୁନ୍ ୧୩ ଓ ୧୪ ତାରିଖରେ ହୋମ୍ ଡେଲିଭରି ବ୍ୟବସ୍ଥା କରାଯାଇଛି । ୩ରୁ ୫କି.ମି ଭିତରେ ଏହି ହୋମ୍ ଡେଲିଭରୀ ବ୍ୟବସ୍ଥା କରାଯିବ । ଜୁନ୍ ୧୫ରୁ ୧୭ ତାରିଖରେ ‘ପିଠା ଅନ୍ ହ୍ୱିଲ୍’ ମାଧ୍ୟମରେ ସହରର ପ୍ରମୁଖ ୬ଟି ସ୍ଥାନରେ ପିଠା ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ଭୁବନେଶ୍ୱର ପାନ୍ଥନିବାସ ସମେତ ପୋଖରିପୁଟ, ସିଆର୍ପି, ଖଣ୍ଡଗିରି, ରୂପାଲି ଛକ ଓ ନିଳାଦ୍ରୀ ବିହାରଠାରେ ଗାଡ଼ିରେ ପିଠା ବିକ୍ରି କରାଯିବ । ଏହି ଯୋଜନା ପଛର ଉଦେଶ୍ୟ ହେଲା ଯେଉଁ ସ୍ଥାନୀୟ ଲୋକମାନେ ପାନ୍ଥନିବାସ ପିଠା କିଣିବାକୁ ଚାହିଁବେ ସେମାନେ ନିଜ ଅଂଚଳରେ ତାହା ପାଇ ପାରିବେ । ଏହା ଦ୍ୱାରା ପାନ୍ଥନିବାସରେ ଭିଡ଼ ହେବ ନାହିଁ । ଏହି ଯୋଜନାକୁ କାର୍ଯ୍ୟକାରି କରିବାରେ ଓଟିଡିସିକୁ ସହଯୋଗ କରିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) । ଭୁବନେଶ୍ୱର ସହିତ ପାନ୍ଥନିବାସ ସମ୍ବଲପୁର, କଟକ ଏବଂ ରାଉରକେଲାରେ ସମାନ ପ୍ରକାର ପିଠା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ସମ୍ବଲପୁରଠାରେ ପିଠା ଅନ୍ ହ୍ୱିଲ୍ସ ମାଧ୍ୟମରେ ଯୋଗାଇ ଦେବାର କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଛି । ପୋଡ଼ ପିଠା ଏବଂ ଅନ୍ୟାନ୍ୟ ସବୁ ପ୍ରକାରର ପିଠା ସହିତ ମାଣ୍ଡିଆ, ମହୁଲ ଆଦି ଆଦିବାସୀ ପିଠାର ବ୍ୟବସ୍ଥା ହୋଇଛି । ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ଓ ଓଟିଡିସି ତରଫରୁ ସମଗ୍ର ଓଡ଼ିଶାବାସୀଙ୍କୁ ରଜ ଲାଗି ଶୁଭେଚ୍ଛା ଓ ଶୁଭକାମନା ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ମହାମାରୀ କରୋନା ସଂକ୍ରମଣ ପାଇଁ ଜୁନ୍ ଏବଂ ଜୁଲାଇ ମାସ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି, ଏହାକୁ ହୃଦୟଙ୍ଗମ କରି ସମସ୍ତେ ନିଷ୍ଠାର ସହ ସାମାଜିକ ଦୂରତା ରକ୍ଷା କରି ନିୟମ ମାନି ରଜ ପାଳନ କରନ୍ତୁ ।

Leave A Reply

Your email address will not be published.

1 × 2 =