ପାରାଦୀପ : ଦୀର୍ଘ ୮ ଦିନ ଧରି ସଫଳତାର ସହ ଚାଲିଥିବା ଓଡ଼ିଶାର ଦ୍ଵିତୀୟ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି l ପାରାଦ୍ଵୀପ ସ୍ଥିତ ସମୁଦ୍ର ବେଳାଭୂମିର ବିଜୁ ମଇଦାନଠାରେ ଗତ ୨୬ ତାରିଖଠାରୁ ଆରମ୍ଭ ହୋଇଥିବା କଳିଙ୍ଗ ବାଲିଯାତ୍ରା ୨0୨୩ ର ଉଦଯାପନୀ ସମାରୋହ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଅର୍ଥ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରାଚୀନ ନୌବାଣିଜ୍ୟର ଐତିହ୍ୟ ଓ ପରମ୍ପରାର ସ୍ମୃତିଚାରଣ ନିମନ୍ତେ ଜଗତସିଂହପୁର ଜିଲ୍ଲାର ଏହି ପ୍ରୟାସକୁ ଅନେକ ପ୍ରଶଂସା କରିଥିଲେ । ଉତ୍କଳର ନୌବାଣିଜ୍ୟ ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି, ଏଥିପାଇଁ ଦିନେ ବଙ୍ଗୋପସାଗରକୁ କଳିଙ୍ଗ ସାଗର ଭାବେ ଅଭିହିତ କରାଯାଉଥିଲା । ଏହି ମହାନ ପରମ୍ପରାର ପୁନରୁଦ୍ଧାର ପାଇଁ ଜଗତସିଂହପୁରବାସୀ ସର୍ବଦା ତତ୍ପର ଓ ଆଜି କଳିଙ୍ଗ ବାଲିଯାତ୍ରା ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।ସେଥିପାଇଁ ପାରାଦ୍ଵୀପ ଆଜି ଉନ୍ନତିର ମୁଖଶାଳା ପାଲଟିଛି ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ,କ୍ରୀଡା ଓ ଯୁବ ସେବା,ସ୍ବରାଷ୍ଟ୍ର ବିଭାଗ ରାଜ୍ୟ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା କହିଥିଲେ ଯେ, ଜଗତସିଂହପୁର ମାଟି, ବିଜୁ ବାବୁଙ୍କ ମାଟି ଏବଂ ଏହା ସବୁବେଳେ ଐତିହ୍ୟର ଗୁଣଗାନ କରିଥାଏ । ପାରାଦ୍ବୀପରେ ଅନୁଷ୍ଠିତ ହେଉଥିବା କଳିଙ୍ଗ ବାଲିଯାତ୍ରା ଆମର ପୂର୍ବ ସାଧବ ପୁଅମାନଙ୍କର ମହାନ କିର୍ତ୍ତୀରାଜିକୁ ମନେ ପକାଇବା ସହ ଅର୍ଥନୈତିକ ଅଭିବୃଦ୍ଧିର ସୋପାନ ବୋଲି ଶ୍ରୀ ବେହେରା କହିଥିଲେ। ସ୍ଥାନୀୟ ଲୋକମାନଙ୍କ ଆମୋଦ ପ୍ରମୋଦକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ କଳିଙ୍ଗ ବାଲିଯାତ୍ରାକୁ ଆଉ ଅଧିକ ଦିନ କରିବା ପାଇଁ ସେ ଜିଲ୍ଲାପାଳ ତଥା ପାରାଦ୍ଵୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ପାରାଦ୍ବୀପ ସମେତ ସମସ୍ତ ଜିଲ୍ଲାବାସୀଙ୍କୁ ଆଗାମୀବର୍ଷ ଆହୁରି ସଫଳତାର ସହ କଳିଙ୍ଗ ବାଲିଯାତ୍ରାକୁ ସ୍ବାଗତ କରିବାପାଇଁ କହିଥିଲେ । ସୁଦୂର ଇଣ୍ଡୋନେସିଆରେ ଯେଉଁ ସଂସ୍କୃତି ପରମ୍ପରା ଦେଖାଯାଏ ତାହାର ଓଡିଶା ସଂସ୍କୃତି ସହିତ ଅନେକ ସାମଞ୍ଜସ୍ୟ ରହିଛି ଯାହା ସମ୍ଭବ ହୋଇ ପାରିଛି କଳିଙ୍ଗ ନୌବାଣିଜ୍ୟ ପାଇଁ । ବର୍ତ୍ତମାନର ଯୁବପିଢିଙ୍କୁ ଏହାର ମହାନତା ବିଷୟରେ ଅବଗତ କରାଇବା ପାଇଁ ଶ୍ରୀ ରାଉତ କହିଥିଲେ । ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି କହିଥିଲେ ଯେ ଚଳିତ ବର୍ଷ କୋଭିଡ ପରବର୍ତ୍ତି ଦ୍ବିତୀୟ ବାଲିଯାତ୍ରା । ଏ ବର୍ଷ ଖୋଲାଯାଇଥିବା ୮00 ଟି ଷ୍ଟଲରେ ଯଥେଷ୍ଟ କିଣା ବିକା ହୋଇଛି ଯାହା ପ୍ରତ୍ୟକ୍ଷ ବା ପରୋକ୍ଷରେ ଜିଲ୍ଲାର ଅର୍ଥନୀତିକୁ ସୁଦୃଢ କରିବା ସହ ଅନେକଙ୍କୁ ଆତ୍ମ ନିର୍ଭର କରିପାରିଛି । ରାଜ୍ୟ ତଥା ରାଜ୍ୟ ବାହାରୁ , ଯେପରି ରାଜସ୍ଥାନ, ଦିଲ୍ଲୀ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ବିହାର ପରି ୯ ଟି ରାଜ୍ୟରୁ ଆସିଥିବା ୨୮0 ଟି ସ୍ଵୟଂ ସହାୟକ ଗୋଷ୍ଠୀର ହସ୍ତ ଶିଳ୍ପ ସାମଗ୍ରୀ ଗୁଡିକ ଆଦୃତ ହୋଇଛି । ଓରମାସ ପଲ୍ଲୀଶ୍ରୀ ମେଳାରେ ଗତ ବର୍ଷ ୧ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଚଳିତ ବର୍ଷ ଏହା ୧ କୋଟି ୫୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ବ୍ୟବସାୟ କରିଛି ଯାହା ନିଶ୍ଚିତ ଭାବରେ ଏକ ଖୁସିର କଥା ବୋଲି ଜିଲ୍ଲାପାଳ କହିଥିଲେ। ଜିଏମ୍ ଡିଇସି ତରଫରୁ ହୋଇଥିବା ୪0 ଟି ଷ୍ଟଲ୍ ଓ ଜଗତସିଂହପୁର ଜିଲ୍ଲାର ୩0 ଟି ଷ୍ଟଲରେ ଜିଲ୍ଲାର ଅନେକ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନିଜର ସ୍ବାବଲମ୍ବନର ପନ୍ଥା ଖୋଜି ପାଇଛନ୍ତି ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲାପାଳ ଚଳିତ ବର୍ଷର ବାଲିଯାତ୍ରା ର ସୁପରିଚାଳନା ପାଇଁ ପୋଲିସ ପ୍ରଶାସନ, ପାରାଦ୍ଵୀପ ପୌର ପରିଷଦ, ବାଲିଯାତ୍ରା ଆୟୋଜକ କମିଟି, ପାରାଦୀପ ବନ୍ଦର କତୃପକ୍ଷ ତଥା ସମସ୍ତ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ କହିଥିଲେ ଯେ ,କଳିଙ୍ଗ ବାଲିଯାତ୍ରା ଏକ ସୁନ୍ଦର ପରମ୍ପରା ଯାହା ଇତିହାସର ମୂକସାକ୍ଷୀ ଓ କଳିଙ୍ଗ ବାଲିଯାତ୍ରା ବର୍ତ୍ତମାନ ରାଜ୍ୟରେ ଦ୍ଵିତୀୟ ସର୍ବବୃହତ୍ ବାଣିଜ୍ୟ ସ୍ଥଳ ହୋଇପାରିଛି । ଚଳିତ ବର୍ଷର ସଫଳ ଆୟୋଜନ ନିଶ୍ଚିତ ଭାବେ ଆଗାମୀବର୍ଷ ପାଇଁ ପ୍ରେରଣାର ଉତ୍ସ ହେବ ଏବଂ ଏହାକୁ ଆହୁରି ଉନ୍ନତ କରିବାପାଇଁ ଶ୍ରୀ ବେହେରା କହିଥିଲେ । ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର ମଧ୍ଯ କଳିଙ୍ଗ ବାଲିଯାତ୍ରାର ସଫଳ ଆୟୋଜନ ଏବଂ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଉଦଯାପନୀ ସମାରୋହରେ ପାରାଦ୍ବୀପ ର ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ଥିବାବେଳେ ପାରାଦ୍ଵୀପ ପୌର ପରିଷଦର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ପାରାଦ୍ଵୀପ ପୌର ପରିଷଦର ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ,ଉପାଧ୍ୟକ୍ଷା ଶ୍ରୀମତୀ ଛବିଲତା ରାଉତ ,ପାରାଦ୍ଵୀପ ପୋର୍ଟ ଅଧ୍ୟକ୍ଷ ପି.ଏଲ.ହରନାଦ, ଆଇଓସିଏଲ୍ ର ସିଜିଏମ୍ ତ୍ରିନାଥ ସାହୁ, ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲର ମୁଖ୍ୟ ଅରୁଣ ରଥ ପ୍ରମୁଖ ଯୋଗଦେଇ କଳିଙ୍ଗ ବାଲିଯାତ୍ରାର ସଫଳତା ବିଷୟରେ କହିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ସହରର ବୁଦ୍ଧିଜୀବୀ,ବିଭିନ୍ନ ରାଜ୍ୟ ତଥା ଜିଲ୍ଲାରୁ ଆସିଥିବା ବ୍ୟବସାୟୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଉଦଯାପନୀ ସନ୍ଧ୍ୟାରେ ଶ୍ରେଷ୍ଠ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ତନ୍ମଧ୍ୟରୁ ଅଧିକ ନମ୍ବର ଷ୍ଟଲ୍ ପାଇଁ ମା ସିଂହ ବାହିନୀ ଟସର ପ୍ରଡ୍ୟୁସର ଗ୍ରୁପ ,ଯାଜପୁର, ସୁନ୍ଦର ଉପସ୍ଥାପନା ପାଇଁ ଧନ ଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀ, ସୁନ୍ଦରଗଡ, ମୋଷ୍ଟ ଇନୋଭେସନ୍ ଉତ୍ପାଦନ ପାଇଁ ଜୁହାରି ଆଗ୍ରୋ ପ୍ରଡକ୍ଟସ ପ୍ରଡ୍ୟୁସର କମ୍ପାନୀ, କୋରାପୁଟ, ଶ୍ରେଷ୍ଠ ସ୍ଵୟଂ ସହାୟକ ଗୋଷ୍ଠୀ, ମିଶନ ଶକ୍ତି ପାଇ ଲକ୍ଷ୍ମୀ ନାରାୟଣ ଏସ୍ଏଚଜି , ମୟୁରଭଞ୍ଜ,ଶ୍ରେଷ୍ଠ ବିକ୍ରେତା ଭାବେ ମା ଗଙ୍ଗୋତ୍ରୀ ଏସ୍ ଏଚ୍ ଜି ,କୋରାପୁଟ ର ସୁମିତ୍ରା ଦାସ ଏବଂ ସବୁଠାରୁ ସଫଳ ଉଦ୍ୟୋକ୍ତା ଭାବେ ଜଗତସିଂହପୁର କୁଜଙ୍ଗ ବ୍ଲକ ଅନ୍ତର୍ଗତ ଫତେହପୁରର ସାମ୍ଭାବୀ ଟେରାକୋଟା କ୍ଳଷ୍ଟରର ଗୀତା ମୁଦୁଲିଙ୍କୁ ପୁରସ୍କାର ସହ ସମ୍ଵର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ସ୍ବନାମଧନ୍ଯ କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ସାଙ୍ଗକୁ ଘରକରଣା ଜିନିଷ ସହ ଟେରାକୋଟା ସାମଗ୍ରୀ, ଓଡ଼ିଶାର ପାରମ୍ପରିକ ଖାଦ୍ୟ ସାଙ୍ଗକୁ ବାହାର ରାଜ୍ୟର ଖାଦ୍ୟ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥିଲା । ପିଲାମାନଙ୍କ ପାଇଁ ଆୟୋଜିତ ମୀନା ବଜାର, ବିଭିନ୍ନ ପ୍ରକାରର ଦୋଳି ଲୋକମାନଙ୍କ ମନୋରଞ୍ଜନ କରିଥିଲା।