ପାରାଦୀପ : ପାରାଦୀପ ବନ୍ଦର ଜାନୁଆରୀ ୩ ତାରିଖ ବୁଧବାର ଦିନ ତାର ୬୩ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ସବୁ ବର୍ଷ ପରି ବନ୍ଦର ପ୍ରତିଷ୍ଠା ଦିବସ ଅବସରରେ ଗୋପବନ୍ଧୁ କ୍ରୀଡ଼ା ସାଂସଦ ଆନୁକୂଲ୍ୟରେ ୧୯ ତମ ପାରାଦୀପ ମାରାଥନ ୨0୨୪ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ମାରାଥନ ପ୍ରତିଯୋଗିତାରେ ଓଡ଼ିଶା ତଥା ପାର୍ଶ୍ଵବର୍ତ୍ତୀ ରାଜ୍ୟରୁ ୩୫୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ଯେଉଁ ଥିରେ ୨୯୯ ପୁରୁଷ ଏବଂ ୫୯ ଜଣ ମହିଳା ପ୍ରତିଯୋଗୀ ଭାଗ ନେଇଥିଲେ । ଆଜି ସକାଳେ ବନ୍ଦର ଅଧ୍ୟକ୍ଷ ପି.ଏଲ୍.ହରନାଦ ହନୁମାନ ମନ୍ଦିରଠାରେ ସବୁଜ ପତାକା ଦେଖାଇ ମାରାଥନ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ପ୍ରତିଯୋଗୀମାନେ ବନ୍ଦର ସହରର ବିଭିନ୍ନ ଅଞ୍ଚଳ ଦେଇ ଦୀର୍ଘ ୧୪ କିଲୋମିଟର ରାସ୍ତା ଅତିକ୍ରମ କରି ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ ପହଞ୍ଚିଥିଲେ । ଏହି ମାରାଥନ ପ୍ରତିଯୋଗିତାର ପୁରୁଷ ବର୍ଗରେ ଭୁବନେଶ୍ଵରର ଅଶୋକ ଦଣ୍ଡସେନା ପ୍ରଥମ, ରଶ୍ମି ରଂଜନ ନାୟକ ଦ୍ଵିତୀୟ , ଝାଡ଼ଖଣ୍ଡ ରାଜ୍ୟର ବାବୁଲ ଟୁଡୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ମହିଳା ବର୍ଗରେ ସୁନ୍ଦରଗଡର ସୁସ୍ମିତା ତିଗା ପ୍ରଥମ, ମୟୁରଭଞର ସନ୍ଧ୍ୟା ମୁର୍ମୁ ଦ୍ଵିତୀୟ ଓ ବାଲେଶ୍ୱରର ପୂଜା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ଯଥାକ୍ରମେ ୧୪,000, ୧0,୫00, ୭000 ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ପୁରୁଷ ଓ ମହିଳା ବର୍ଗରେ ୨୧ ଜଣ କୃତି ପ୍ରତିଯୋଗୀମାନଙ୍କୁ ଅର୍ଥରାଶି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଧ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ବନ୍ଦର ଉପାଧ୍ୟକ୍ଷ ନିଲଭ୍ର ଦାସଗୁପ୍ତା ଓ ଇଫକୋ, ପାରାଦୀପ ମୁଖ୍ୟ କେ.ଜେ. ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ଗୋପବନ୍ଧୁ କ୍ରୀଡ଼ା ସଂସଦର ସଭାପତି ତଥା ବନ୍ଦର ଅର୍ଥ ପରାମର୍ଶଦାତା ଡି.ଏନ.ସୋନ୍ଧି ଓ କାର୍ଯ୍ୟକାରୀ ସଭାପତି ଡା.ଡି.ପି.ସେଠୀ ଓ ଖେଳ ପରାମର୍ଶଦାତା ରବି ଦାସ ପରିଚାଳନା କରିଥିବାବେଳେ ସମ୍ପାଦକ ରଶ୍ମି ବେଉରା ଧନ୍ୟବାଦ୍ ଦେଇଥିଲେ ।