ପାରାଦୀପ : ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ କ୍ରମେ ପାରାଦୀପ ମହାବିଦ୍ୟାଳୟରେ ଦୀର୍ଘ ୫ଦିନ ଧରି କ୍ରୀଡା , ସଂସ୍କୃତି ଓ ସାହିତ୍ୟ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କଳା, ସଙ୍ଗୀତ, ନୃତ୍ୟ, ବକୃତା, ଚିତ୍ରାଙ୍କନ ପ୍ରତିଯୋଗିତା ସହ ଜାଭେଲିନ୍ ଥ୍ରୋ, ଡିସକସ ଥ୍ରୋ, ଲଙ୍ଗଜମ୍ପ, ହାଇଜମ୍ପ, ବ୍ୟାଡମିଣ୍ଟନ, ଭଲିବଲ, ଫୁଟବଲ ଓ କ୍ରିକେଟ ଖେଳର ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା । ଏଥିରେ ୨୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର କୌଶଳ ପ୍ରଦର୍ଶନ କରିଥିଲେ । ପାରାଦୀପ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ସସ୍ମିତା ଶତପଥି ଏହି ସମସ୍ତ ପ୍ରତିଯୋଗିତାର ଉଦଘାଟନ କରି ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଭାଷଣ ଦେଇଥିଲେ । ଗୁରୁବାର ଦିନ ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ସବିତା ମହାପାତ୍ର ଓ ପ୍ରୀତିଆରତି ପରିଜା ଯଥାକ୍ରମେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି କୃତୀ ପ୍ରତିଯୋଗୀ ମାନଙ୍କୁ ପୁରଷ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ପ୍ରଧ୍ୟାପିକା, ପ୍ରଧ୍ୟାପକ, ଅଧ୍ୟାପକ ଓ ଅଧ୍ୟାପିକା ଡଃ. ସ୍ମିତା ବିଶ୍ୱାଳ, ଡଃ. ସନ୍ତୋଷ କୁମାର ସାମଲ, ଗଣେଶ୍ୱର ପାତ୍ର, ବ୍ରହ୍ମାନନ୍ଦ ବିଶ୍ୱାଳ, ନିତ୍ୟାନନ୍ଦ ମହାପାତ୍ର, ତପସ୍ୱିନୀ ବେହେରା, ସଂଘମିତ୍ରା ଦାଶ, ଅଭିଷେକ ବିଶ୍ୱାଳ, ଶାସ୍ୱତୀ ପଟ୍ଟନାୟକ, ଜୀବନାନନ୍ଦ ଦାସ ପ୍ରମୁଖ ପରିଚାଳନା କରିଥିଲେ । ସୂଚନା ଥାଉକି, ଏହି ପ୍ରତିଯୋଗିତା ପାରାଦୀପ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ତାଙ୍କର ଆତ୍ମବିଶ୍ୱାସ ବୃଦ୍ଧି ଉଦେଶ୍ୟରେ ଆୟୋଜିତ ହୋଇଥିଲା । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରାଙ୍କନ କଳାକୁ ଏକ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶିତ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯାଇଥିଲା ।