ବାଲିକୁଦା: ଶୁଣିଲାନି ଡ୍ରେନେଜ ବିଭାଗ । ଶେଷରେ ଉପାୟ ନ ପାଇ ନିଜ ଚାଷ ଜମିକୁ ଜଳ ବନ୍ଦିରୁ ରକ୍ଷା କରିବା ଫାଇଁ ଅଂଟା ଭିଡିଛନ୍ତି ଚାଷୀ । ବାଲିକୁଦା ବ୍ଲକ ବୋରିକିନା ପଂଚାୟତ ପାଳଧୁଆ ବନ୍ଧ ପୋଲ ନିକଟରେ ଅଳକା ନଦୀରେ ଚଳିତ ଲଘୁଚାପ ବର୍ଷାରେ ଭାସି ଆସି କାଗିଥିବା ଦଳକୁ ସଫା କରିବାକୁ ପ୍ରୟାସ କରିଛନ୍ତି ସ୍ଥାନୀୟ ଅଂଚଳର ଚାଷୀ । ଏହି ନଦୀର ଗୁନେଇ ମୁହାଣ ଠାରେ ଥିବା କ୍ରୀକର ଅଧିକାଂଶ ଗେଟ ଖରାପ ହୋଇ ପଡିବାରୁ ମଧ୍ୟ ନଦୀରେ ଜଳ ପ୍ରବାହର ସ୍ରୋତ ଯୋଗୁ ଚାଷ ଜମିରେ ଜମି ରହୁଛି ପାଣି । ଏହି କାରଣରୁ ଉକ୍ତ ଅଂଚଳର ୫ ଟି ପଂଚାୟତର ପ୍ରାୟ ୨୨ ଟି ଗାଁର ଚାଷ ଜମିରେ ଫସଲ ହାନୀ ହେବା ଆଶଙ୍କା ଦେଖା ଦେଇଛି । ପାଳଧୁଆ ବନ୍ଧ ପୋଲ ନିକଟରେ ଲାଗିଥିବା ଦଳକୁ ସଫା କରିବାକୁ ସ୍ଥାନୀୟ ଅଂଚଳରୁ ବିଭାଗ ନିକଟରେ ଦାବି ହୋଇଥିଲା । ମାତ୍ର ବିଭାଗ ଏଥର ପ୍ରତି କର୍ଣ୍ଣପାତ ନ କରିବା ଓ କାର୍ଯ୍ୟକରିବାରେ ବିଳମ୍ବ ପ୍ରଦର୍ଶନ କରିବାରୁ ବାଧ୍ୟ ହୋଇ ଚାଷୀ ମାନେ ଏକାଠି ହୋଇ ଦଳ ସଫା କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଏଥିରେ ଚାଷୀ ମାନଙ୍କୁ ସହାୟତା କରିଛନ୍ତି ସମାଜସେବୀ ତଥା ବରିଷ୍ଠ ବିଜେପି ନେତା ସଞ୍ଜୟ କୁମାର ମହାନ୍ତି । ଜମି ଜଳ ନିଷ୍କାସନରେ ବାଧକ ସାଜିଛି । ସେୂଚନା ଥାଉକି ଏଠାରେ ଦଳ ଭର୍ତି ହୋଇ ଯିବାରୁ ନଦୀର ଉଦ୍ବୃତ ଜଳ ନିଷ୍କାସନ ହୋଇ ନ ପାରି ନଦୀ ବନ୍ଧ ବୁଡି ଚାଷ ଜମିରେ ପାଣି ଜମି ରହିଛି । ଧାନ ବିଲର ରୁଆ ଧାନ ପଚି ଗଲାଣି । ଏ ବର୍ଷ ଫସଲ ହାନୀ ଚିନ୍ତାରେ ଅଂଚଳର ଶହ ଶହ ଚାଷୀ ପରିବାର । ଉକ୍ତ ସମସ୍ୟାକୁ ନେଇ ଜଳ ନିଷ୍କାସନ(ଡ୍ରେନେଜ) ଜଗତସିଂହପୁର ଡିଭିଜନକୁ ସ୍ଥାନୀୟ ଅଂଚଳର ଚାଷୀ ମାନେ ଅବଗତ କରାଇଥିଲେ । ହେଲେ ବିଭାଗ ଏ ଦିଗରେ ପଦକ୍ଷପ ନେଇ ନଦୀରେ ଜମି ରହିଥିବା ଦଳକୁ ସଫା କରିବାରେ ବିଳମ୍ବ କରିଥିଲା । ଶ୍ରୀ ମହାନ୍ତି ଆଜି ସକାଳେ ଉକ୍ତ ସ୍ଥାନରେ ପହଂଚି ସ୍ଥାନୀୟ କେତେକ ଲୋକଙ୍କୁ ଡାକି ଦଳ ସଫା କରିବା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଚାଷୀ ମାନଙ୍କ ସହଯୋଗରେ ଜମି ରହିଥିବା ଦଳକୁ ସଫା କରାଯିବାର ବ୍ୟବସ୍ଥା କରାଯାଇଥିଲା । ଏଥରେ ପ୍ରାୟ ୪୦ ରୁ ବେଶୀ ଚାଷୀ ଅଂଶ ଗ୍ରହଣ କରିଥିଲେ । ଏଥି ପାଇଁ ଶ୍ରୀ ମହାନ୍ତି ସମସ୍ତ ସହାୟତା ଯୋଗାଇ ଦେଇଥିଲେ । ଏଥି ସହିତ ପ୍ରତ୍ୟେକ ବର୍ଷ ନଦୀରେ ଆସୁଥିବା ବର୍ଷା ଦିନର ଜଳ ନିଷ୍କାସନର ସୁ ବନେ୍ଦାବସ୍ତ ପାଇଁ ମଧ୍ୟ ବିଭାଗ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ସୂଚନା ଥାଉକି ପାଳଧୂଆ ବନ୍ଧ ନିକଟର ପୋଲରେ ଦଳ ଲାଖି ରହିଥିବା କାରଣରୁ ଏରସମା ବ୍ଲକର ଗୋଡ଼ା, ଜାନକାଦେଇପୁର, ବାଲିକୁଦା ବ୍ଲକର ତିତିରା, ବୋରିକିନା, ରାହାଣ ଆଦି ୫ ଟି ପଂଚାୟତର ୨୨ ଖଣ୍ଡ ଗାଁର ୭ ଶହ ହେକ୍ଟର ଚାଷ ଜମିରେ ପାଣି ଜମି ରହିଛି । ଫସଲ ହାନୀ ଚିନ୍ତାରେ ଶତାଧିକ ଚାଷୀ ପରିବାର ।