କଟକ: କରୋନା ସଂକ୍ରମଣ ସ୍ଥ୍ତିରେ ପିପିଲି ଉପନିର୍ବାଚନ ଏବେ ସ୍ଥଗିତ ରଖିବାକୁ ଉଚ୍ଚନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ସମାଜସେବୀ ନାରାୟଣ ଚନ୍ଦ୍ର ଜେନାଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରେଲୋକ ପରେ ଉପନିର୍ବାଚନ ନେଇ ନିର୍ବାଚନ କମିସନ୍ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏପ୍ରିଲ ୧୭ ତାରିଖରେ ଉପନିର୍ବାଚନ ପାଇଁ ମତଦାନ ହେବ ବୋଲି ଧାର୍ଯ୍ୟ କରାଯାଇଥିବା ବେଳେ ମତଦାନ ତାରିଖର ଦୁଇଦିନ ପୂର୍ବରୁ ଜଣେ ପ୍ରାର୍ଥୀଙ୍କ ମୃତୁ୍ୟ ହୋଇଥିଲା । ଫଳରେ ନିର୍ବାଚନ ସ୍ଥଗିତ ରହିଥିଲା । ପରବର୍ତୀ ସମୟରେ ପୁଣି ପିପିଲି ବିଧାନସଭା ଆସନ ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରାଯାଇଥିଲା । ଉପନିର୍ବାଚନ ପାଇଁ ମତଦାନ ଲାଗି ମେ ୧୬ ତାରିଖ ଧାର୍ଯ୍ୟ କରାଯାଇଥିଲା । ସମଗ୍ର ନିର୍ବାଚନ ପ୍ରକ୍ରିୟା ମେ ୨୧ ସୁଦ୍ଧା ଶେଷ ହେବ ବୋଲି ଏପ୍ରିଲ ୧୯ରେ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା । କରୋନା ସଂକ୍ରମଣ ରୋକିବାକୁ ସାମାଜିକ ତୂରତ୍ୱ ରକ୍ଷା, ମାସ୍କ ପିନ୍ଧିବା ଓ ଘରେ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥିବା ବେଳେ ସରକାର ଏଥି ପାଇଁ ନିୟମାବଳୀ ଜାରି କରିବା ସହିତ ସପ୍ତାହାନ୍ତ ବନ୍ଦ, ରାତ୍ରିକାଳୀନ ବନ୍ଦ ଭଳି କଟକଣା କରିଛନ୍ତି, କିନ୍ତୁ ନିର୍ବାଚନ ସମୟରେ ଏହି ସବୁ ନିୟମ ପାଳନ କରାଯାଉନାହିଁ । ଫଳରେ ନେତା ଓ ସାଧାରଣ ଲୋକଙ୍କ ସହିତ ସରକାରୀ କର୍ମଚାରୀଙ୍କ କରୋନା ଭୂତାଣୁ ସଂକ୍ରମଣରେ ମୃତୁ୍ୟ ହେଉଛି । ସ୍ଥିତିରେ ସୁଧାର ନ ହେବା ପର୍ଯ୍ୟନ୍ତ ପିପିଲି ଉପନିର୍ବାଚନ ବନ୍ଦ ରଖାଯାଉ । କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପିପିଲି ଉପନିର୍ବାଚନ କରିବାକୁ ନିର୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।