ପିପିଲି ସରକାରୀ ଡାକ୍ତରଖାନା ୨୫ଦିନ ହେଲା ବନ୍ଦ

ଭୁବନେଶ୍ୱର:ସରକାରୀସ୍ତରରେ ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାବେଲେ ପିପିଲି ସରକାରୀ ଡାକ୍ତରଖାନାର ଓପିଡ଼ି ଦୀର୍ଘ ୨୪ଦିନ ହେବ ବନ୍ଦ ରହିଛି । ପ୍ରତିଦିନ ୩ଶହରୁ ଅଧିକ ରୋଗୀ ହନ୍ତସନ୍ତ ହୋଇ ଫେରୁଛନ୍ତି । ଏନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ହସ୍ପିଟାଲ ପରିସରରେ ପ୍ରତିଦିନ ସୁରକ୍ଷାକର୍ମୀଙ୍କ ସହ ଫେରୁଥିବା ରୋଗୀମାନଙ୍କର ପାଟିତୁଣ୍ଡ ହେଉଛି । ତେବେ ଡାକ୍ତରଖାନା ବନ୍ଦନେଇ ଏଠାରେ ଆଇନଶୃଙ୍ଖଳାକୁ ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ପିପିଲି ହସ୍ପିଟାଲରୁ ଜଣେ ଡାକ୍ତର, କରୋନା ଚିହ୍ନଟ ହେବା ପରେ ଗତ ଜୁଲାଇ ୨୫ତାରିଖ ଠାରୁ ଓପିଡ଼ି ବନ୍ଦ ରହିଛି । ଏହି ହସ୍ପିଟାଲରେ ୧୦ ଜଣ ଡାକ୍ତରଙ୍କ ବଦଳରେ ମାତ୍ର ଜଣେ ଡାକ୍ତର ଉକ୍ତ ହସ୍ପିଟାଲର ଇନଚାର୍ଜ ଡାକ୍ତର ଅଭିନାଶ ରଥ ଏବେ ୨୪ଘଂଟିଆ ଡ୍ୟୁଟି କରୁଛନ୍ତି । ଜଣେ ଡାକ୍ତରରେ ପିପିଲି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅଂଚଳର ଡାକ୍ତରଖାନାରେ କିଭଳି ସ୍ୱାସ୍ଥ୍ୟସେବା ମିଳିପାରୁଥିବ ତାହା ଅନୁମାନ କରାଯାଇପାରେ । ସୂଚନା ଅନୁସାରେ, ଏହି ସରକାରୀ ଡାକ୍ତରଖାନାଟି ଦୀର୍ଘ ବର୍ଷ ହେବ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇଛି । ଏହାସହ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ(ଏନଆରଏଚଏମ୍) ଏହାକୁ ମଧ୍ୟ ପ୍ରସବ କେନ୍ଦ୍ର(ଡେଲିଭରୀ ପଏଂଟ୍) ଭାବେ ଘୋଷଣା କରିଛି । ଫଳରେ ସ୍ଥାନୀୟ ଆଖପାଖ ଅଂଚଳରୁ ସମସ୍ତ ଗର୍ଭବତୀମାନେ ସନ୍ତାନ ଜନ୍ମ ପାଇଁ ଏଠାକୁ ଆସିଥାନ୍ତି । ଏଥିପାଇଁ ଗର୍ଭବତୀ ଓ ଜନ୍ମିତ ଶିଶୁମାନଙ୍କ ପାଇଁ ୧୦୨ ଆମ୍ବୁଲାନ୍ସ ଏଠାରେ ରଖାଯିବା ସହିତ ଏନଆରଏଚଏମ ଦ୍ୱାରା ଜଣେ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ରହିବା କଥା । ଏହାବ୍ୟତୀତ ଏହି ଡାକ୍ତରଖାନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହୋଇଥିବାରୁ ଏଠାରେ ମେଡିସିନ, ଶିଶୁରୋଗ, ସର୍ଜରୀ ବିଶେଷଜ୍ଞ ଙ୍କ ସମେତ ୧୦ଜଣ ଡାକ୍ତର ରହିବାର ସରକାରୀ ମଂଜୁରୀ ରହଛି । ଏତେ ସବୁ ମଧ୍ୟରୁ ଜଣେ ମେଡ଼ିକାଲ ଅଫିସରଙ୍କୁ ବାଦ ଦେଲେ ଏଠାରେ କେହି ନାହାନ୍ତି । ଦୈନିକ ଆଉଟ-ଡୋର ରୋଗୀଙ୍କ ସଂଖ୍ୟା ୩ଶହରୁ ଅଧିକ ରହୁଥିବା ସହ ଇନ-ଡୋର ରୋଗୀଙ୍କ ସଂଖ୍ୟା ମଧ୍ୟ ସେହି ଅନୁପାତରେ ରହୁଛି । ଏଠାରେ ଆଉଟ-ଡୋର ଚିକିତ୍ସାର କୌଣସି ସମୟ ନଥାଏ । ପିପିଲି ଦେଇ ରାଜ୍ୟର ଅନ୍ୟତମ ବ୍ୟସ୍ତବହୁଳ ଜାତୀୟ ରାଜପଥ ଯାଇଥିବାରୁ ଯେକୌଣସି ସମୟରେ ସଡକ ଦୁର୍ଘଟଣାର ଆହତ, ଗୁରୁତର ଆହତ, ମୃତ ବ୍ୟକ୍ତିମାନେ ଆସି ପହଂଚୁଛନ୍ତି । ଏସବୁକୁ ଜଣେ ଡାକ୍ତର କିଭଳି ସେବା ଦେଉଥିବେ ତାହା ସ୍ପଷ୍ଟ ଅନୁମେୟ । ଡାକ୍ତରଖାନା ଦୀର୍ଘ ୨୪ଦିନ ହେବ ବନ୍ଦ ରହିବା ଓ ଉକ୍ତ ସମସ୍ୟା ସ୍ଥାନୀୟ ଅଂଚଳର ଜାଣିବା ଶୁଣିବା ଲୋକଙ୍କୁ ଆନ୍ଦୋଳିତ କରୁଥିବାବେଳେ ରାଜନେତାମାନଙ୍କର ଏନେଇ କୌଣସି ପ୍ରତିକ୍ରିୟା ନରହିବା ବୁଦ୍ଧିଜିବୀମାନଙ୍କୁ ଆଚମ୍ବିତ କରୁଛି । ଏବେ ଡାକ୍ତରଙ୍କର ଅଭାବ ଦେଖାଦେଇଛି ତେବେ ଖୁବଶିଘ୍ର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପୁରୀ ଜିଲ୍ଲା ସିଡ଼ିଏମଓ ଡାକ୍ତର ସୁଜାତା ମିଶ୍ର କହିଛନ୍ତି । ତେବେ ଡାକ୍ତରଖାନାର ଏହି ସମସ୍ୟା ସମାଧାନ ପାଇଁ ଅଂଚଳବାସୀଙ୍କ ପକ୍ଷରୁ ଏକ ବଡ ଧରଣର ଜନ ଆନ୍ଦୋଳନ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।

Leave A Reply

Your email address will not be published.

one × 2 =