ପିଲେଟ ପ୍ଲାଣ୍ଟ ନିମନ୍ତେ ଜନ ଶୁଣାଣି ସଫଳ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ତଥା ବଡ଼ବିଲ ତହସିଲ ଅନ୍ତର୍ଗତ ଟଣ୍ଚୋ ଗ୍ରାମରେ ଥିବା ନର୍ଭେରାମ ଷ୍ଟିଲ ଏଣ୍ଡ ପାୱାର ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଅନେକ ଦିନରୁ ଏ ଅଂଚଳରେ ଖଣିଜ ଖନନ ଓ ପରିବହନ  କରି ଆସୁଥିଲା । ଓଡିଶା ସରକାର ଭଦ୍ରାସାହି ପଂଚାୟତରେ ବିଭିନ୍ନ ଖଣି ଥିବାରୁ ଏକ ପିଲେଟ ପ୍ଲାଣ୍ଟ ବସାଇବାକୁ ପ୍ରସ୍ତାବ ଦେଇଥିଲେ । ଉକ୍ତ ପ୍ରସ୍ତାବକୁ ସ୍ୱାଗତ ଜଣାଇ ନର୍ଭେରାମ କମ୍ପାନୀ ପିଲେଟ ପ୍ଲାଣ୍ଟ ନିମନ୍ତେ ଆବଶ୍ୟକୀୟ ଜମି ଅଧିଗ୍ରହଣ ନିମନ୍ତେ ଆବେଦନ କରିଥିଲେ । ଉକ୍ତ ଆବେଦନକୁ ରାଜ୍ୟ ସରକାର ଗ୍ରହଣ କରିବା ସହିତ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜନ ଶୁଣାଣି କରିବାକୁ ପରାମର୍ଶ ଦେଇଥିଲେ । ସରକାରଙ୍କ ପରାମର୍ଶ ଅନୁଯାଇ ଆଜି ବୁଧବାର ଭଦ୍ରାସାହି ପଂଚାୟତ ଅନ୍ତର୍ଗତ ଝାଡ଼ଗାଁରେ କମ୍ପାନୀ ପକ୍ଷରୁ ଜନ ଶୁଣାଣି ନିମନ୍ତେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାଟି କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହାଲା ପରିଚାଳନା କରିଥିବାବେଳେ କେନ୍ଦୁଝର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ପ୍ରଶାନ୍ତ କର ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଭଦ୍ରାସାହି ତଥା ଆଖପାଖ ୫ ଟି ପଂଚାୟତର ଜନସାଧାରଣ , ସରପଞ୍ଚ ସମେତ ସମିତି ସଭ୍ୟ ସଭ୍ୟା , ୱାର୍ଡ ମେମ୍ବର , ଚମ୍ପୁଆ ନିର୍ବାଚନ ମଣ୍ଡଳୀର  ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁ , ଭଦ୍ରାସାହି ପଂଚାୟତର ପୂର୍ବତନ ସରପଞ୍ଚ ଅର୍ଜୁନ ସାଣ୍ଡିଲ , ସେରେଣ୍ଡା ପଂଚାୟତର ପୂର୍ବତନ ସରପଞ୍ଚ କସ୍ତୁରୀ ଓରାମ , ମିତ୍ରଭାନୁ ମହାକୁଡ଼ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବା ଦେଖିବାକୁ ମିଳିଛି । କମ୍ପାନୀ ପକ୍ଷରୁ ସରକାରଙ୍କ ନିକଟରେ ରଖାଯାଇଥିବା ପ୍ରସ୍ତାବ ମୁତାବକ କମ୍ପାନୀ ଭଦ୍ରାସାହି ପଂଚାୟତ ଟଣ୍ଚୋ ଗ୍ରାମରେ ବାର୍ଷିକ ୨.୪ ମିଲିୟନ ଟନ କ୍ଷମତା ବିଶିଷ୍ଠ ଲୌହ ପିଲେଟ ପ୍ଲାଣ୍ଟ ସ୍ଥାପନ କରିବା ସହିତ ଘଣ୍ଟାପ୍ରତି ୫ × ୬୫୦୦ ନର୍ମାଲ ଘନ ମିଟର ପ୍ରଦ୍ୟୁସର ଗ୍ୟାସ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଯୋଜନା ରଖିଛି । ଏଥିନିମନ୍ତେ ଅନୁଷ୍ଠିତ ଜନ ଶୁଣାଣିରେ ପାଞ୍ଚ ପଞ୍ଚାୟତରୁ ଆସିଥିବା ଜନସାଧାରଣଙ୍କ ମଧ୍ୟରୁ ମୋଟ ୯୫ ଜଣ ମତ ପ୍ରକାଶ କରିଥିଲେ । ସମସ୍ତ ୯୫ ଜଣ କମ୍ପାନୀ ସପକ୍ଷରେ ମତ ପ୍ରଦାନ କରିଥିବାବେଳେ ଅଂଚଳର ମୌଳିକ ସମସ୍ୟା ତଥା ଶିକ୍ଷା , ସ୍ୱାସ୍ଥ୍ୟ , ପାନୀୟଜଳ , ଗମନାଗମନ , ସ୍ଥାନୀୟ ବାସିନ୍ଦାଙ୍କୁ ଯୋଗ୍ୟତା ଅନୁଯାଇ ନିଯୁକ୍ତି ଇତ୍ୟାଦିକୁ ପ୍ରାଧାନ୍ୟ ଦେବାକୁ ଦାବି ଉପସ୍ଥାପନ  କରିଥିଲେ । କମ୍ପାନୀର ଉପସଭାପତି ସ୍ମୃତିରଞ୍ଜନ ଦାସ ଲୋକଙ୍କ ସମସ୍ୟା ତଥା ସ୍ଥାନୀୟ ନିଯୁକ୍ତି ଇତ୍ୟାଦି ପ୍ରାଧାନ୍ୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।  ଆଗାମୀ ଦିନରେ ପାଞ୍ଚଟି ପଂଚାୟତର ବିକାଶ ମୂଳକ କାର୍ଯ୍ୟ ଓ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାରେ ଯାହା ଆବଶ୍ୟକ ସେଥିପ୍ରତି କମ୍ପାନୀ ଯତ୍ନବାନ ଅଛି ଏବଂ ରହିଥିବ ବୋଲି କମ୍ପାନୀର ମାନବ ସମ୍ବଳ ଅଧିକାରୀ ପିୟୁସ ପାଣ୍ଡେ କହିଥିଲେ । ଖଣି ଖାଦାନ ନିମନ୍ତେ କେନ୍ଦୁଝର ଜିଲ୍ଲା ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇପାରିଛି । କିନ୍ତୁ ଏଠାରେ ଶିଳ୍ପ ପ୍ରତିଷ୍ଠା ଜରୁରୀ ହୋଇପଡିଛି । ଯାହା ଆଜି ନର୍ଭେରାମ ପୂରଣ କରିବାକୁ ଯାଉଛି । ଏଥିପାଇଁ କମ୍ପାନୀକୁ ଚମ୍ପୁଆ ନିର୍ବାଚନ ମଣ୍ଡଳୀର  ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁ ଶୁଭେଚ୍ଛା ଜଣାଇବା ସହିତ ଏ କମ୍ପାନୀ ଆମର ଜଣେ ଓଡ଼ିଆ ଶିଳ୍ପପତିଙ୍କର ହୋଇଥିବାରୁ ଓଡ଼ିଆଙ୍କ ଦୁଃଖ ନିଶ୍ଚିତ ଅନୁଭବ କରିବେ ବୋଲି କହିଥିଲେ ।

Leave A Reply

Your email address will not be published.

twenty − 16 =