ଭୁବନେଶ୍ୱର: ରାଜ୍ୟରେ ଏବେ ପିଡିଏସ ଚାଉଳ ଏବଂ କେନ୍ଦ୍ର ସରକାର ମେ ଓ ଜୁନ ମାସ ପାଇଁ ଦେଇଥିବା ଚାଉଳ ବଂଟାଯିବାର ଯୋଜନା ରହିଛି । ଗତ ମେ ୧ ତାରିଖରୁ କିଛି ଜାଗାରେ ତାହା ବଂଟା ଆରମ୍ଭ ହୋଇ ସାରିଛି । ମାତ୍ର ଏହାକୁ ବାଂଟିବା ବେଳେ ଯେଉଁ ବାୟୋମେଟ୍ରିକ ବା ଇ –ପୋସ ମେସିନ ବ୍ୟବହାର କରାଯିବାର ନିୟମ ଅଛି ତାହା ବର୍ତମାନ କରୋନା ମହାମାରୀର ପ୍ରବଳ ପ୍ରାଦୁର୍ଭାବ ସମୟରେ ଆତ୍ମଘାତି ହେବ । ଆଖିର ଫଟୋ ନେବା ସହିତ ଆଙ୍ଗୁଳି ଟିପ ନେବା ଦ୍ୱାରା କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି ବୋଲି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି । ତେଣୁ ସରକାର ଏହାକୁ ବନ୍ଦ କରିବାକୁ ସେ ଦାବୀ କରିଛନ୍ତି । ଏକ ଟ୍ୱିଟ ଯୋଗେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରକାଶ ଥାଉକି ଓଡ଼ିଶା ସରକାରୀ ରିଟେଲ ବିକ୍ରେତା ୱେଲଫେଆର ସମିତି ପକ୍ଷରୁ ଏହି ସମସ୍ୟା ପ୍ରତି ବାରମ୍ବାର ଦୃଷ୍ଟି ଆକର୍ଷଣ ପୂର୍ବକ ବିଭାଗୀୟ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି । ସେମାନଙ୍କର ଦାବୀ ଯଥାଥ ର୍ଏବଂ ରାଜ୍ୟ ସରକାର ତୁରନ୍ତ ବାୟୋମେଟ୍ରିକ ଯନ୍ତ୍ର ବନ୍ଦ କରି ସେମାନଙ୍କ ତଥା ଖାଉଟି ମାନଙ୍କର ସୁରକ୍ଷା ଦିଅନ୍ତୁ । ବାୟୋମେଟ୍ରିକ ଯନ୍ତ୍ର ବ୍ୟବହାର ଦ୍ୱାରା ବିଦେଶ ଫେରନ୍ତା ପ୍ରବାସୀ ମାନେ ମଧ୍ୟ ଅନେକ ଚାଉଳ ପାଇବାର ବଂଚିତ ହେବେ । ଏସମସ୍ତ କଥାକୁ ବିଚାରକୁ ନେଇ ସରକାର ତୁରନ୍ତ ନିଷ୍ପତି ନେଇ ଚାଉଳ ବାଂଟିବା ସମୟରେ ବାୟୋମେଟ୍ରିକ ବ୍ୟବହାର କୁ ପ୍ରତ୍ୟାହାର କରନ୍ତୁ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଶ୍ରୀ ଦାସ ଏବଂ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ମହାନନ୍ଦ ଦାବୀ କରିଛନ୍ତି ।