ରାଜନଗର: ସମ୍ପତି ପାଇଁ ଜନ୍ମକଲା ବାପକୁ ପୁଅ କଟୁରୀରେ ହାଣି ଦେବାକୁ ଉଦ୍ୟମ କରୁଥିବା ବେଳେ ବାପ କୌଶଳକ୍ରମେ ଖସି ଯାଇଥିବା ବେଳେ ବାପକୁ ସୁରକ୍ଷା ଦେବାକୁ ଯାଇ ପଡୋଶୀ ପୁଅର କଟୁରୀ ଚୋଟରେ ଲହୁଲୁହାଣ ହେବାକୁ ପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜନଗର ଥାନା ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପଚାଂୟତ କୁସୁନୁପୁର ଗ୍ରାମରେ । ଏହି ଗ୍ରାମର ବାମନ ରାଉତଙ୍କୁ ତାଙ୍କ ସାନପୁଅ ସମ୍ପତି ପାଇଁ ଜୀବନରେ ମାରିଦେବାକୁ ଧମକ ଚମକ ଦେଇ ଆସୁଥିଲେ । ତାଙ୍କ ସାନପୁଅ ଦୀପକ ରାଉତ(ଭୋଳା) କଟୁରୀ ଧରି ବାମନଙ୍କୁ ହାଣିବାକୁ ଗୋଡାଇଥିଲା । ବାମନ ଭୟରେ ପଡୋଶୀ ସୂର୍ଯ୍ୟମଣୀ ରାଉତଙ୍କ ଘରେ ପଶି ଯାଇଥିଲେ । ଦୀପକ କଟୁରୀ ଧରି ସୂର୍ଯ୍ୟମଣୀଙ୍କ କବାଟକୁ ଗୋଇଠା ମାରି ଭାଙ୍ଗି ଘରେ ପଶିଥିଲା । ନିଶାସକ୍ତ ଅବସ୍ଥାରେ କଟୁରୀ ଧରି ଦୀପକ ଆସିଥିବାରୁ ସୂର୍ଯ୍ୟମଣୀ ତାକୁ ବାଧା ଦେଇଥିଲେ । ଦୀପକ ସୂର୍ଯ୍ୟମଣୀଙ୍କ ମୁଣ୍ଡରେ କଙ୍କୁରୀରେ ଚୋଟମାରି ଲହୁଲୁହାଣ କରିଦେଇଥିଲା । ସେ ତଳେ ପଡିଯିବାରୁ ତାଙ୍କ ସ୍ତ୍ରୀ ମହନୀ ଆସି ପହଞ୍ଚି ଯିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଖଣ୍ଡିଆ ଖାବରା କରିଥିବା ନେଇ ଥାନାରେ ବାମନ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ଦୀପକ ନାମରେ ୪୦/୨୧ରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଛି ।