ଭୁବନେଶ୍ୱର: ଝଲସିବ ପୁରୁଣା ଭୁବନେଶ୍ୱର ଅଂଚଳ । ଏଭଳି ଯୋଗନାର ନକ୍ସା ପ୍ରସ୍ତୁତ କରୁଛି ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ) । ପୁରୁରା ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ, ସାଧାରଣ ଲୋକେ ଏବଂ ପର୍ଯ୍ୟଟକଙ୍କ ଯାତାୟାତ ପାଇଁ ମୁକ୍ତ ଜାଗା ରଖିବା ଏବଂ ବିକାଶ ପାଇଁ ବିଡିଏ ସହରରେ ପ୍ରଥମ କରି ଲୋକାଲ ଏରିଆ ପ୍ଲାନ୍ ଅର୍ଥାତ୍ ସ୍ଥାନୀୟ ଅଂଚଳ ଯୋଜନା (ଏଲ୍ଏପି) କାର୍ଯ୍ୟକାରୀ କରିବାକୁ ଯାଉଛି । ସହରର ବିଭିନ୍ନ ଅଂଚଳରେ ଏକକାଳୀନ ଭାବେ ଯୋଜନା କାର୍ଯ୍ୟକାରୀ ପୂର୍ବରୁ ପ୍ରଥମେ ପାଇଲଟ ପ୍ରକଳ୍ପ ଭାବେ ପୁରୁଣା ଭୁବନେଶ୍ୱର ଅଂଚଳକୁ ମନୋନୀତ କରିଛି । ଏକାମ୍ର ବିକାଶ ପ୍ରକଳ୍ପ ସୌନ୍ଦର୍ଯ୍ୟକରଣ ପରିସୀମାରୁ ଚତୁଃପାଶ୍ୱର୍ ବ୍ୟାପି ଅଂଚଳକୁ ଏଲ୍ଏପି ପ୍ରକଳ୍ପରେ ସୌନ୍ଦର୍ଯ୍ୟକରଣ କରାଯିବ । ପୁରୁଣା ଭୁବନେଶ୍ୱର ପ୍ରତିଟି ଐତିହାସମ୍ପନ୍ନ । ଏଠାରେ ହଜାର ହଜାର ବର୍ଷ ତଳର ପ୍ରାଚୀନତମ ମନ୍ଦିର ରହିଛି । ଉପରୋକ୍ତ ଅଂଚଳ ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ । ଏଠାକୁ ପ୍ରତିଦିନ ରାଜ୍ୟର ବିଭିନ୍ନ ଅଂଚଳ ଏବଂ ବାହାର ରାଜ୍ୟରୁ ପର୍ଯ୍ୟଟକ ଆସି ପରିଦର୍ଶନ କରିଥାନ୍ତି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଏକାଗ୍ର ବିକାଶ ପ୍ରକଳ୍ପ ଯୋଜନା ରୂପରେଖ ପ୍ରସ୍ତୁତ କରି ଲିଙ୍ଗରାଜ ମହାପ୍ରଭୁଙ୍କ ଚତୁଃପାଶ୍ୱର୍ ଅଂଚଳକୁ ରେଲୱେ ଅଂଚଳକୁ ଏଲ୍ଏପିରେ ଅନ୍ତର୍ଭୁକ୍ତ କରାଯାଇଛି । ପୁରୁଣା ଭୁବନେଶ୍ୱର ଅଂଚଳର ରେଲୱେ ଲାଇନ,ଗ୍ୟାରେଜ ଛକ, ମାଉସୀ ମା’ ମନ୍ଦିର ଏବଂ କେଦାର ଗୌରୀ ମନ୍ଦିରର ପାଶ୍ୱର୍ର୍ତୀ ଅଂଚଳକୁ ସୌନ୍ଦର୍ଯ୍ୟକରଣ କରାଯିବ । ଏଥିପାଇଁ ବିଡିଏ ଏକ କନ୍ସଲଟାଂଟ କମ୍ପାନୀକୁ ସର୍ଭେ କାର୍ଯ୍ୟ ଦେଇଛି । ସର୍ଭେ ସରିବା ପରେ ଅଂଚଳର ସୌନ୍ଦର୍ଯ୍ୟକରଣ ଏବଂ ବିକାଶ ପାଇଁ କ’ଣ ପ୍ରକଳ୍ପରେ ରହିବେ ସେ ସଂକ୍ରାନ୍ତରେ ରୂପରେଖ ତିଆରି କରାଯିବ ।