ଭୁବନେଶ୍ୱର : ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କର ଆଜି ଭୋର ସମୟରେ ତାଙ୍କର ପରଲୋକ ହୋଇଯାଇଛି । ସେ ଯକୃତ ରୋଗରେ ପୀଡ଼ିତ ଥିଲେ । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ରବିବାର ଭୋର ସମୟରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ ୧୯୪୮ ମସିହାରେ ଝାରସୁଗୁଡ଼ାର ପୁରୁଣାବସ୍ତିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ସେ ଝାରସୁଗୁଡ଼ାରୁ କଂଗ୍ରେସ ଟିକେଟରେ ୩ ଥର ନିର୍ବାଚନ ଜିତିଥିଲେ । ସେ ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାଛଡ଼ା ବୀରେନ୍ଦ୍ର ପାଣ୍ଡେ ଝାରସୁଗୁଡ଼ାର ପୌରପାଳ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ସେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ସଭାପତି ଭାବେ ମଧ୍ୟ ଦାୟିତ୍ୱ ବହନ କରିଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ ଓ କଂଗ୍ରେସ ନେତା ଗଭୀର ଶୋକପ୍ରକାଶ କରିଛନ୍ତି ।