ପୋକ ଖାଇଗଲା ୧୫ କୁଇଂଟାଲ୍ ‘ଚୁଡ଼ା ଗୁଡ଼’ ରିଲିଫ୍ ସାମଗ୍ରୀ

କେନ୍ଦ୍ରାପଡ଼ା: କେନ୍ଦ୍ରପଡ଼ା ବ୍ଲକ୍ କାର୍ଯ୍ୟାଳୟରେ ଖତ ଖାଉଛି ୧୫ କୁଇଂଟାଲ ଚୁଡା-ଗୁଡ଼ ଅମ୍ଫାନ ବାତ୍ୟା ବିପନ୍ନଙ୍କୁ ଦେବା ପାଇଁ ଆସିଥିବା ଏହି ରିଲିଫ୍ ସାମଗ୍ରୀ ବଂଟା ନହୋଇ ଏଭଳି ପୋକ ଖାଇବା ପ୍ରଶାସନର ଦାୟିତ୍ୱହୀନତାକୁ ପଦାରେ ପକାଇଛି । ଗୋଟିଏ ପଟେ ବିପିନ୍ନ ଭୋକଉପାସରେ ଛଟପଟ ହେଉଛନ୍ତି । ଜିଲ୍ଳପାଳଙ୍କ ନିକଟରେ ରିଲିଫ ସାମଗ୍ରୀ ପାଇଁ ଫେରାଦ୍ ହେଉଛନ୍ତି । ଅଥଚ ସେମାନଙ୍କ ପାଇଁ ଆସିଥିବା କୁଇଂଟାଲ୍ କୁଇଂଟାଲ୍ ଚୁଡ଼ା-ଗୁଡ଼ ବଂଟ ନ ହୋଇ ବ୍ଲକ୍ କାର୍ଯ୍ୟାଳୟରେ ଖତ ଖାଉଛି । ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର୍ ଦୂର କେନ୍ଦ୍ରାପଡ଼ା ବ୍ଲକ୍ କାର୍ଯ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଦାୟିତ୍ୱରେ ଥିବା ବିଡିଓ କିନ୍ତୁ ସଂପୂର୍ଣ୍ଣ ବେଫିକର୍ । ଗତ ଛଅ ମାସ ମଧ୍ୟରେ ବାତ୍ୟା ଓ ବନ୍ୟା ଭଳି ଦୁଇଟି ପ୍ରାକୃତିକ ଦୁର୍ବିପାକକୁ ସାମ୍ନା କରିଛି କେନ୍ଦ୍ରାପଡ଼ା ଜିଲ୍ଲା । ଗତ ମେ’ ମାସେ ଅମ୍ଫାନ ବାତ୍ୟା ଜିଲ୍ଲାରେ ପ୍ରଭୂତ କ୍ଷତି କରିଥିଲା । ବିପନ୍ନ ମାନେ ବାତ୍ୟା ମାଡ଼ରୁ ଅଂଟା ସଳଖି ନଥିବା ବେଳେ ଅଗଷ୍ଟରେ ବନ୍ୟା ଜିଲ୍ଲାରେ ତାଣ୍ଡବ ରଚିଥିଲା । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ଏଭଳି ବିପତି ସମୟରେ ରିଲିଫ୍ ଦେବାର ସରକାର ଯେଉଁ ବ୍ୟବସ୍ଥା କରିଥିଲେ, ତାହା ପ୍ରଶାସନିକ ଅଧିକାରୀଙ୍କ ଅବହେଳା ପାଇଁ ବହୁ ବିପନ୍ନଙ୍କ ପାଖେ ପହଂଚି ପାରିନାହିଁ । ନିକଟରେ ରାଜନଗର ଘଡିଆମାଳ ପଂଚାୟତର ନୂଆଗାଁ ଲୋକ ଜିଲ୍ଲାପାଳଙ୍କୁ ଆସି ୨୦୦ରୁ ଅଧିକ ପରିବାର ରିଳିଫ ବଂଟା ହୋଇଥିବା କଥା ଲିଖିତ ଭାବେ ଜଣାଇଥିଲେ । ହେଲେ କେନ୍ଦ୍ରପଡ଼ା ବ୍ଲକ୍ରେ ରିଲିଫ ବଂଟନ ଯେଉଁ ସାଂଘାତିକ ଅବହେଳା ହୋଇଛି, ତାହା ଆଖି ତରାଟି ଦେବା ଭଳି । ଗତ ଅମ୍ଫାନ ବାତ୍ୟା ବେଳେ ବ୍ଲକ୍କୁ ଆସିଥିବା ରିଲିଫ୍ ଚୁଡ଼ା, ଗୁଡ଼ ଏଯାଏ ବଂଟାଯାଇନାହିଁ । ପାଖପାଖି ୪୦ରୁ ଅଧିକ ବସ୍ତା ବା ୧୫ କୁଇଂଟାଲ ଚୁଡ଼ା ସହିତ ଗୁଡ଼ ବ୍ଲକ୍ କାର୍ଯ୍ୟାଳୟରେ ଖତ ଖାଉଛି । ଚୁଡ଼ା ବସ୍ତାରେ ପୋକ ଲାଗି ଯାଇଥିବା ବେଳେ ଗୁଡ଼ ନଷ୍ଟ ହୋଇଯାଇଛି । ଅଥଚ, କେନ୍ଦ୍ରାପଡ଼ା ବ୍ଲକ୍ର ୨୭ ପଂଚାୟତରେ ପ୍ରଭାବିତ ବିପନ୍ନନଙ୍କୁ ବଂଟା ଯାଇ ନାହିଁ । ଅନେକ ପଂଚାୟକ ଏପରି ଅଛି, ଯେଉଁମାନଙ୍କୁ ଅମ୍ଫାନ୍ ହଜାର ବିପନ୍ନଙ୍କୁ ବଂଚିତ ରଖାଗଲା । କେନ୍ଦ୍ରପଡ଼ା ବ୍ଲକରେ କଣ କେହି ବାତ୍ୟା ବିପନ୍ନ ରିଲିଫ ପାଇବାକୁ ନ ଥିଲେ ଯଦି ହିଁ, ତା’ ହେଲେ କାହିଁକି ବଂଟାଗଲା ନାହିଁ । ଆଉ ଯଦି ନା, ତା’ ହେଲେ ବ୍ଲକ୍ ପ୍ରଶାସନ ଏହି ରିଲିଫ୍କୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କଲା ନାହିଁ କାହିଁକି ।
ଅନ୍ୟପକ୍ଷରେ ବିଡିଓ ସୁଧୀର ସିଂହ କହିଛନ୍ତି ଯେ ଅମ୍ଫାନ ବାତ୍ୟାରେ ଟ୍ରକ୍ରେ ଆସିଥିବା ରିଲିଫ ଚୁଡ଼ା, ଗୁଡ଼ ବିଭିନ୍ନ ପଂଚାୟତକୁ ଦିଆଯାଇଥିଲା । ମାତ୍ର ଯେଉଁଗୁଡ଼ିକ ରହିଯାଇଛି, ତାହା ଟ୍ରକ୍ ଡାଲା ତଳେ ଥିବାରୁ ଓଦା ହୋଇଥିଲା । ତେଣୁ ବଂଟାଯାଇପାରିନାହିଁ । କିନ୍ତୁ ବିଡିଓଙ୍କ ଏପରି ଦୋଷଖସା ଯୁକ୍ତି ଅନେକ ପ୍ରଶ୍ନକୁ ଜନ୍ମ ଦେଉଛି । ଯଦି ଚୁଡ଼ା ଓଦା ହୋଇଥିଲା, ହସ୍ତାନ୍ତର କରାଯାଇପାରିଥାନ୍ତି । ମାତ୍ର ନ କରି ଦୋଷ ଲୁଚାଇବା ପାଇଁ ଓଦା ଖରାପ କହି ଖସିଯିବାକୁ ବିଡିଓ ଯେଉଁ ଫନ୍ଦି ଆପଣାଇଛନ୍ତି, ତାହା ସବୁକିଛି ଧରା ପକାଇ ଦେଉଛି । ଏଭଳି ସ୍ଥିତିରେ ଜିଲ୍ଲାପାଳ ଘଟଣା ଉପରେ କି’ ପ୍ରକାର ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.

eighteen − 3 =