ପୋତି ହୋଇଗଲାଣି ପୋଖରୀ, ପୁନଃରୁଦ୍ଧାର ଦାବି

ଯାଜପୁର,୧୭/୦୬ (ନି.ପ୍ର) : ଦଶରଥପୁର ବ୍ଳକର ବିଭିନ୍ନ ପଂଚାୟତରେ ଥିବା ବହୁ ପୁରାତନ ପୋଖରୀ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହେବାକୁ ବସିଛି । ଦେଶ ସ୍ୱାଧୀନତା ଅମଳର ଏହି ପୋଖରି ଗୁଡିକ ପରିତ୍ୟକ୍ତ ଅବସ୍ଥାରେ ରହିଥିବାରୁ ସ୍ଥାନୀୟ ଅଂଚଳରେ ଜରୁରୀ ଜଳାଭାବ ସହିତ ଅସ୍ୱାସ୍ଥକର ପରିବେଶ ସୃଷ୍ଟି ହେଉଥିବାରୁ ଆଖପାଖ ସାହିର ଲୋକେ ବହୁ ଅସୁବିଧା ଭୋଗୁଛନ୍ତି । ସରକାରୀ ଯୋଜନାରେ ନୂତନ ପୋଖରୀ ଖନନ ହେଉଥିବା ବେଳେ ପ୍ରଶାସନିକ ଉଦାସିନତା ହେତୁ ଐତିହ ବହନ କରୁଥିବା ପୁରାତନ ପୋଖରୀ ଗୁଡିକର ଅବସ୍ଥାରେ ସୁଧାର ଆସିପାରୁନାହିଁ । ଫଳରେ ସ୍ଥାନୀୟ ଅଂଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଦଶରଥପୁର ବ୍ଲକ ଖଣ୍ଡରା ପଂଚାୟତ ବାଲିପଦା ଗ୍ରାମ ତଥା ଚିତାଳୋ ମହାବିଦ୍ୟାଳୟ ରାସ୍ତା ପାଶ୍ୱର୍ରେ ଥିବା ପଂଚାୟତ ପୋଖରିଟି ରକ୍ଷଣାବେକ୍ଷଣ ଅଭାବରୁ ପୋତି ହୋଇପଡିଲାଣି । ଏହାର ପୁନଃରୁଦ୍ଧାର କରାଯାଉନଥିବାରୁ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି । ପୂର୍ବରୁ ଏହା ଅଂଚଳ ବାସିଙ୍କ ନିତିଦିନିଆ କାର୍ଯ୍ୟରେ ଲାଗି ଆସୁଥିଲା । ସ୍ଥାନୀୟ ଲୋକେ ସ୍ନାନ, ସୌଚ ସହ ଶୁଦ୍ଧିକ୍ରିୟା ଓ ଅନ୍ୟାନ୍ୟ ଆବଶ୍ୟକିୟ କାର୍ଯ୍ୟରେ ଏହି ପୋଖରି ଉପରେ ନିର୍ଭର କରିଥାନ୍ତି । ସେହିପରି ଗ୍ରୀଷ୍ମ ଋତୁରେ ବୁଲା ଗାଇ,ଗୋରୁ ଭଳି ଅନ୍ୟାନ୍ୟ ପଶୁ ପକ୍ଷି ଏହି ପୋଖରି ପାଣି ପିଇ ତୃଷ୍ଣା ମେଂଟାଉଥିବା ବେଳେ ଘରପୋଡି ଭଳି ଜରୁରୀକାଳିନ କାର୍ଯ୍ୟରେ ଏହି ପୋଖରି ପାଣି ବହୁ ପରିବାରଙ୍କ ଆବଶ୍ୟକ ମେଂଟାଇଥାଏ । ଏପରିକି ପୂର୍ବରୁ ଏହି ପୋଖରିରେ ମାଛ ଚାଷ ଦ୍ୱାରା ପଂଚାୟତର ରାଜସ୍ୱ ବୃଦ୍ଧି ହେଉଥିଲା । ତେବେ ଦୀର୍ଘ ଦିନ ହେବ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପୋଖରିଟି ଦୂଷିତ ହେବା ସହ ପଙ୍କରେ ପୋତି ହୋଇଯାଇଛି । ଏହାସହ ଆଖପାଖ ଅଂଚଳର ନର୍ଦ୍ଧମା ପାଣି ବିଭିନ୍ନ ମାଧ୍ୟମରେ ଏହି ପୋଖରି ପାଣିରେ ମିଶୁ ଥିବା ସହ ଅବବ୍ୟବହୃତ ହୋଇ ପଡିଥିବା ଏହି ପୋଖରି ରେ ସ୍ଥାନୀୟ ଅଳିଆ, ଆବର୍ଜନା ଓ ବିଭିନ୍ନ ବର୍ଜବ୍ୟସ୍ତୁ ପଡି ପାଣି ପ୍ରଦ୍ୟୁସିତ ହୋଇଛି । ଯଦ୍ୱାରା ଚର୍ମରୋଗ ବ୍ୟାପିବା ଆଶଙ୍କାରେ ସ୍ଥାନୀୟ ଲୋକେ ଚିନ୍ତାରେ ପଡିଛନ୍ତି । ଅପରପକ୍ଷେ ପୋଖରୀ ସୌନ୍ଦର୍ଯ୍ୟକରଣ ଯୋଜନାରେ ଗାଧୁଆତୁଠ ନିର୍ମାଣ ଠାରୁ ଆରମ୍ଭ କରି ପୋଖରି ଚତୁଃପାଶ୍ୱର୍ରେ ଆଲୋକିକରଣ ଏବଂ ନର୍ଦ୍ଧମା ପାଣି ପୋଖରିରେ ପ୍ରବେଶ ନହେବା ଦିଗରେ ବିଭିନ୍ନ ଯୋଜନା ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ଗ୍ରାମାଂଚଳ ବିକାଶ ବିଭାଗ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରୁଥିବା ସତ୍ୱେ ଖଣ୍ଡରା ପଂଚାୟତର ସର୍ବପୁରାତନ ଏହି ପୋଖରିଟି ପଙ୍କ ଓ ଦଳରେ ପରିପୂର୍ଣ୍ଣ ହୋଇ ପଡିରହିବା ସ୍ଥାନୀୟ ବାସିନ୍ଦାଙ୍କୁ ବ୍ୟଥିତ କରିଛି । ପୋଖରୀର ପୁନଃରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.

eleven − three =