ଭୁବନେଶ୍ୱର,୧୨ ।୦୬(ନି.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡି.ସି.ପି. ତଥା ଏସ୍ପିମାନଙ୍କ ସହିତ ଆଲୋଚନା କରିଥିଲେ । ଲକଡାଉନ୍ ସମୟରେ ଓଡ଼ିଶା ପୋଲିସ ଯେଭଳି ଉଚ୍ଚମାନର ସଞ୍ଜମତା ସହିତ ମର୍ଯ୍ୟାଦା ଓ ମାନବିକତା ପ୍ରଦର୍ଶନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଛନ୍ତି, ସେଥିପାଇଁ ଓଡ଼ିଶା ପୋଲିସ ବାହିନୀକୁ ଉଚ୍ଚପ୍ରଶଂସା କରିଛନ୍ତି । ଲକ୍ଡାଉନ୍ ସମୟରେ ଅନ୍ୟ ରାଜ୍ୟ ଗୁଡ଼ିକର ପ୍ରବାସୀ ଶ୍ରମିକମାନେ ଓଡ଼ିଶା ମଧ୍ୟ ଦେଇ ଯିବା ସମୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ରାଜ୍ୟ ସରକାର ଜିରୋ ୱେଲ୍କିଙ୍ଗ୍ ଇନ୍ସାଇଡ୍ ଓଡ଼ିଶା ନୀତି କାର୍ଯ୍ୟକାରୀ କରିଥିଲେ । ଏହି ନୀତିକୁ ପୋଲିସ ବାହିନୀ ଯେଭଳି ଉତମ ସମନ୍ୱୟ ରଖି ସଫଳତାର ସହ କାର୍ଯ୍ୟକାରୀ କଲେ ଏବଂ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ମାନବୀୟ ସେବା ଯୋଗାଇ ଦେଲେ, ତାହା ଓଡ଼ିଶା ପୋଲିସର ଦକ୍ଷତା ଓ ବୃତିଗତ ଉକ୍ରର୍ଷତାର ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବାତ୍ୟା ଅମ୍ଫାନ ସମୟରେ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀମାନେ ପଶ୍ଚିମବଙ୍ଗ ଯାଇ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । କରୋନା ଭୟ ସତ୍ୱେ ସେମାନେ କୋଲକତାରେ ଯେଭଳି ସାହସ ଓ ମାନବିକତାର ସହ ବିପନ୍ନ ଲୋକଙ୍କୁ ସେବା ଯୋଗାଇ ଦେଲେ, ତା’ର ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ସେମାନଙ୍କର ଏହି କାର୍ଯ୍ୟକୁ ସାରା ଦେଶ ପ୍ରଶଂସା କରୁଛି ବୋଲି ପ୍ରକାଶ କରି ଏହା ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୋଲକାତାରେ ବାତ୍ୟା ସମୟରେ ସହାୟତା ଯୋଗାଇବାକୁ ଯାଇ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲକ୍ଡାଉନ ସମୟରେ ପୋଲିସ ମାନବିକତା ଉପରେ ଗୁରୁତ୍ୱ ଦେଇ କାମ କରିଛି । କରୋନା ଯୁଦ୍ଧ ସରିନାହିଁ । ତେଣୁ ଆମକୁ ଅଧିକ ସତର୍କ ହେବା ସହିତ ବୃତିଗତ ଦକ୍ଷତାର ସହ କାମ କରିବାକୁ ପଡ଼ିବ । ସେହିପରି ଆଗାମୀ ଦିନରେ ଏହି ମନୋଭାବ ନେଇ ସେବା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପୋଲିସ ବାହିନୀକୁ ଆହ୍ୱାନ ଜଣାଇଥିଲେ ।