ବ୍ରହ୍ମପୁର,୬ ।୦୬(ନି.ପ୍ର.): ଓଡ଼ିଆ ଭାଷା ସାହିତ୍ୟର ପ୍ରାଜ୍ଞ ପଣ୍ଡିତ, ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ, ସମାଲୋଚକ, ମାନବତାବାଦୀ, ସର୍ଜନଶୀଳ ଓ ସୃଜନଶୀଳ ମହାପୁରୁଷ, ଐତିହାସିକ ଭାଷା ଆନ୍ଦୋଳନର ସମର୍ପିତ ଭାଷା ମୁକ୍ତିଯୋଦ୍ଧା ପ୍ରାଧ୍ୟାପକ ଡ.ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ ହୋଇଛି ।
ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ସ୍ୱର୍ଗତ ନିତ୍ୟାନନ୍ଦ ଶତପଥୀଙ୍କ ବିୟୋଗରେ ଏକ ଶୋକସଭା ନବୀନ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ର ସଭାପତି ରବି ରଥ ଅଧ୍ୟକ୍ଷତା କରି ସ୍ୱର୍ଗତ ଶତପଥୀଙ୍କ ସାହିତ୍ୟକୃତି ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ । ଏହି ସଭାରେ ସଂଘର କାର୍ଯ୍ୟକାରୀ ସଭାପତି ଡା.ଶ୍ରୀବତ୍ସ ଦଳାଇ, ସାଧାରଣ ସମ୍ପାଦକ ଡା.ଚନ୍ଦ୍ରମଣି ସ୍ୱାଇଁ, ଉପଦେଷ୍ଟା ଡମ୍ବରୁଧର ସାହୁ, ବରିଷ୍ଠ ସାହିତ୍ୟିକ କୃଷ୍ଣଚନ୍ଦ୍ର ତ୍ରିପାଠୀ, ସମ୍ପାଦକ ସୁଶାନ୍ତ କର, ଶ୍ରମିକ ନେତା ସତ୍ୟ ନାରାୟଣ ତ୍ରିପାଠୀ, ସାମ୍ବାଦିକ ପବିତ୍ର ମୋହନ ଚୌଧୁରୀ, ନବୀନର ପ୍ରକାଶିକା ମଞ୍ଜୁ ରଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସ୍ୱର୍ଗତ ଶତପଥୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରି ଓଡ଼ିଶାର ଜଣେ ବରିଷ୍ଠ ସାହିତ୍ୟିକଙ୍କୁ ହରାଇଲା ବୋଲି କହିଥିଲେ । ପ୍ରଥମେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।