ପ୍ଲାଷ୍ଟିକ୍ ବର୍ଜ୍ୟରେ ଅଣନିଃଶ୍ୱାସୀ ଚିଲିକା

ବ୍ରହ୍ମପୁର: ଏସିଆ ମହାଦେଶର ବୃହତମ ଲୁଣା ହ୍ରଦ ଚିଲିକା ଏବେ ପ୍ଲାଷ୍ଟିକ୍ ବର୍ଜ୍ୟ ପାଇଁ ଅଣନିଃଶ୍ୱାସୀ ହୋଇପଡ଼ିଛି । ଚିଲିକାର ଜଳଜୀବ ଓ ଜୈବ ବିବିଧତା ମଧ୍ୟ ପ୍ରଭାବିତ ହେଉଛି । ୨୦୦୨ ମସିହାରେ ଚିଲିକାରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ନିଷିଦ୍ଧ କରା ଯାଇଥିଲେ ହେଁ ଜନସାଧାରଣ ଓ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଉପଯୁକ୍ତ ସଚେତନା ଅଭାବରୁ ତାହା ଫଳପ୍ରଦ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ପ୍ଲାଷ୍ଟିକ୍ ବର୍ଜ୍ୟ ଲାଗି ଚିଲିବା ବିପଦ ଆଡ଼କୁ ଗତି କରୁଛି । ବୃହତମ ହ୍ରଦ ଚିଲିକା ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଏହି ତିନି ଜିଲ୍ଲାର ୧୦୯୧,୧୦ ବର୍ଗ କିମି ଇଲାକାରେ ବ୍ୟାପ୍ତ ହୋଇ ରହିଛି । ଚିଲିକାରେ ୫୨ଟି ଛୋଟବଡ଼ ନଦୀ ମିଶିଛି । ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ଉପରେ ସରକାର କଟକଣା ଲଗାଇଥିଲେ ହେଁ ଦିନ ଦିନକୁ ଏହାର ବ୍ୟବହାର ବୃଦ୍ଧି ପାଉଛି । ଲୋକ ବ୍ୟବହୃତ ପ୍ଲାଷ୍ଟିକ୍ ଓ ପଲିଥିନ୍ ଏଣେତେଣେ ଫୋପାଡୁଛନ୍ତି । ସେହି ପ୍ଲାଷ୍ଟିକ୍ ବର୍ଷା ଜଳରେ ଯାଇ ନଦୀ ନାଳ ଦେଇ ଚିଲିକାରେ ମଶୁଛି । ଚିଲିକା ଆସୁଥିବା ପର୍ଯ୍ୟଟକମାନେ ପଲିଥିନ୍ରେ ଖାଦ୍ୟ ପଦର୍ଥ ନେଇ ଆସୁଛନ୍ତି । ତାହାକୁ ଖାଇବା ପରେ ମଧ୍ୟ ଅଧିକାଂଶ ଚିଲିକା ଜଳ ରାଶିରେ ଫିଙ୍ଗି ଦେଉଛନ୍ତି । ଚିଲିକା ଉପକୂଳରେ ୩ଟି ଜିଲ୍ଲାରେ ୧୫୪୧ଟି ଗ୍ରାମ ରହିଛି । ଚିଲିକାଠାରୁ ୨ ଲକ୍ଷରୁ ଅଧିକ ଲୋକ ଦୈନିକ ଜୀବନଜୀବିକା ଳାଗି ଚିଲିକା ଉପରେ ନିର୍ଭର କରି ଚଳୁଛନ୍ତି । ସବୁଠରୁ ଗୁରୁତ୍ୱପୂର୍ଣ୍ଣ କଥା ଚିଲିକା ଉପକୂଳରେ ଥିବା ଗ୍ରାମଗୁଡ଼ିକ ଏଯାଏ ପ୍ଲାଷ୍ଟିକ୍ ଓ ପଲିଥିନମୁକ୍ତ ହୋଇପାରି ନାହିଁ । ଏହାର ଭୟବହତା ଉପରେ ଏବେ ବି ପାଶ୍ୱର୍ବର୍ତୀ ଲୋକେ ସଚେତନ ନୁହନ୍ତି । ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର କରି ପୋପାଡ଼ିବା ପରେ ତାହା ସିଧାସଳଖ ଯାଇ ଚିଲିକାରେ ମିଶୁଛି । ଚିଲିକା ପାଣିରେ ବଦା ଗଦା ପ୍ଲାଷ୍ଟିକ ବର୍ଜ୍ୟ ଭାସମାନ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳୁଛି । ଚିଲିକାରେ ମାଛ ଓ ଜଳଜୀବ ତାହା ଖାଉଛନ୍ତି । ମଣିଷ ଚିଲିକା ମାଛକୁ ଖାଇ ସ୍ୱାସ୍ଥ୍ୟପ୍ରତି ବିପଦ ମଧ୍ୟ ବୃଦ୍ଧି ଯୋଗୁଁ ଜୈବ ବିବିଧତା ଧୀରେ ଧୀରେ ବିପନ୍ନ ହେବାକୁ ବସିଛି । ଚିଲିକା ଉପକୂଳବର୍ତୀ ଗାଁଗୁଡ଼ିକରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ନ କରିବା ଲାଗି ଲୋକଙ୍କୁ ସଚେତନ କରାଯାଉଛି । ଚିଲିକା ଉନ୍ନୟନ କର୍ତୃପକ୍ଷଙ୍କ ପକ୍ଷରୁ ସଚେତନତା ମୂଳକ କାର୍ଯ୍ୟକ୍ରମ ବ୍ୟାପକ କରିବା ଜରୁରୀ ହୋଇପଡ଼ିଛି । ପ୍ଲାଷ୍ଟିକ ବର୍ଜ୍ୟ ସାଙ୍ଗକୁ ଘେରି, ଶହ ଶହ ଡିଜେଲ ଚାଲିତ ଡଙ୍ଗାର ବ୍ୟବହାର, ପ୍ରଦୂଷଣ, ଆଦି କାରଣରୁ ପ୍ରାକୃତି ସୌନ୍ଦର୍ଯ୍ୟ ଭରା ଚିଲିକା ନଷ୍ଟ ହେବାରେ ଲାଗିଛି । ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ୧୯୧୬ ମସିହାରେ ଚିଲିକାର ଜୈବ ବିବଧତା ଉପରେ ପୂର୍ଣ୍ଣଙ୍ଗ ସର୍ଭେ କରିଥିଲା । ସେତେବେଳେ ୫ ଶହ ପ୍ରଭାତିର ପ୍ରାଣୀ ଓ ଉଭିଦ ଚିଲିକାରେ ରହିଥିବା ଜଣା ପଡ଼ିଥିଲା । ୧୯୯୫ ମସିହାରେ ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ପୁନଃସର୍ଭେ କରା ଯାଇଥିଲା । ଏହି ସର୍ଭେରେ ୨୭ଟି ଶ୍ରେଣୀର ୧୨୫୮ ପ୍ରଜାତିର ପ୍ରାଣୀ ଓ ଉଭିଦ ଦେଖାଯାଇ ନ ଥିଲା ଚିଲିକା ପାଣିର ଲବଣାକ୍ତ ଅଂଶ କମୁଥିବା ଓ ପରିବେଶଗତ ସଙ୍କଟ ସୃଷ୍ଟି ହୋଇଥିବା ଉକ୍ତ ସଂସ୍ଥା ପକ୍ଷରୁ ସ୍ପଷ୍ଟ ରିପୋର୍ଟ ଦିଆ ଯାଇଥିଲା । ଏହି ରିପୋର୍ଟ ଆଧାରରେ ଚିଲିକା ଉନ୍ନୟନ କର୍ତୃପକ୍ଷ ୨୦୦୩-୦୪ରେ ଚିଲିକା ମୁହାଣ ଖୋଳିବା ପରେ ଚିଲିକାା ପାଣିର ଲବାଣାକ୍ତ ସ୍ଥିତିରେ କିଛିଟା ସୁଧାର ଆସିଥିଲା । ପୂର୍ଣ୍ଣଙ୍ଗ ସର୍ଭେର ଶହେ ବର୍ଷ ପରେ ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ଚିଲିକାର ଜୈବ ବିବଧତା ଉପରେ ୨୦୧୬ରେ ସର୍ଭେ ହୋଇଛି । ୨୫ ଜଣ ବୈଜ୍ଞାନିକ ସାମିଲ୍ ହୋଇ ଏହି ସର୍ଭେ କରିଛନ୍ତି । ହେଲେ ଏହି ସର୍ଭେ ରିପୋର୍ଟ ଚଳିତ ବର୍ଷ ପ୍ରକାଶ ପାଇବା ରହିଛି । ରିପୋର୍ଟ ପ୍ରକାଶ ପାଇବା ପରେ ଚିଲିକାର ଜୈବ ବିବିଧତା ସଂକ୍ରାନ୍ତୀୟ ବହୁ ରୋଚକ ତଥ୍ୟ ପଦାକୁ ଆସିବା ବୋଲି କୁହାଯାଉଛି । ଚିଲିକା ହ୍ରଦର ପରିଚାଳନା ସଂକ୍ରାନ୍ତରେ ଚିଲିକା ଉନ୍ନୟନ କର୍ତୃପକ୍ଷ, ଜଙ୍ଗଲ ପରିବେଶ ଓ ଋତୁ ପରିବର୍ତନ ମନ୍ତ୍ରଣାଳୟ ପକ୍ଷରୁ ଏକ ଦୀର୍ଘମିଆଦି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

5 × two =