ବଡଦାଣ୍ଡରୁ ହଟିଲା ବ୍ୟାରିକେଡ୍

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ କରାଯାଇଥିବା ଦିର୍ଘ ବ୍ୟାରିକେଡକୁ ଆଜି ପ୍ରଶାସନ ଉଠାଇ ଦେଇଛି । ପୁରୀ ଏସ୍ପି କନୱର ବିଶାଲ ସିଂହ ଏହି ସୂଚନା ଦେଇ କହିଛନ୍ତି ଯେ, ଶୃଙ୍ଖଳିତ ଦର୍ଶନ ପାଇଁ ଜଗନ୍ନାଥ ବଲ୍ଳଭ ଠାରୁ ମରିଚିକୋଟ ପର୍ଯ୍ୟନ୍ତ ଯେଉଁ ବ୍ୟାରିକେଡ୍ କରାଯାଇଥିଲଶ, ତାକୁ ହଟାଇ ଦିଆଯିବ । ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି । ଶ୍ରଦ୍ଧାଳୁମାନଙ୍କ ଠାରୁ ନିଆଯାଇଥିବା ମତାମତ ଆଧାରରେ ଏହି ନିଷ୍ପତି ନିଆଯାଇଥିବା କୁହାଯାଇଛି । ଏହା ସହିତ ପୁରୀ ଏସ୍ପି ଭକ୍ତ ଓ ସାଧାରଣ ଲୋକଙ୍କୁ ଦର୍ଶନ ବ୍ୟବସ୍ଥା ନେଇ ଅଧିକରୁ ଫିଡ୍ବ୍ୟାକ୍ ବା ମତାମତ ଦେବାକୁ ଅନୁରୋଧ କରିଛନ୍ତି । ସେହିସବୁ ମତାମତକୁ ନେଇ ଭିଡକୁ ନିୟନ୍ତ୍ରଣ କରି ଶ୍ରୀଜିଉଙ୍କ ଦର୍ଶନ ପାଇଁ କିଭଳି ଆହୁରି ସୁନ୍ଦର ବ୍ୟବସ୍ଥା କରିହେବ, ସେ ଉପରେ ବିଚାର କରାଯାଉଛି । କରୋନା ଯୋଗୁ ୧୦ ମାସ ବନ୍ଦ ରହିବା ପରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହୋଇଛି । ଜାନୁଆରୀ ୨୧ ତାରିଖରୁ ଲୋକେ ବିନା କୋଭିଡ୍ ରିପୋର୍ଟରେ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି । ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ପ୍ରୋଟୋକଲ୍ ମିନି ମାର୍କେଟ ଛକରୁ ବ୍ୟାରିକେଡ୍ରେ ପ୍ରବେଶ କରି ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଉଛନ୍ତି । ଦର୍ଶନ ପରେ ସେମାନେ ଉତର ଦ୍ୱାର ଦେଇ ବାହାରୁଛନ୍ତି । ଭକ୍ତମାନଙ୍କୁ ହାତ ସାନିଟାଇଜ୍ କରି ମନ୍ଦିରକୁ ପ୍ରବେଶ କରିବାକୁ କୁହାଯାଇଥିବା ବେଳେ ସାମାଜିକ ଦୂରତା ରକ୍ଷା କରିବା, ଦେବାଦେବୀଙ୍କୁ ସ୍ପର୍ଶ ନକରିବା, ପାନ ଓ ଗୁଟଖା ଛେପ ନପକାଇବାକୁ କୁହାଯାଇଛି । ତା’ ସହିତ ଶ୍ରୀ ମନ୍ଦିର ଭିତରେ କିମ୍ବା ବାହାରେ ମହାପ୍ରସାଦ ସେବନ ନକରିବା ଭଳି ସମସ୍ତ ଏସଓପି ପାଳନ କରିବାକୁ କୁହାଯାଇଛି । ତର୍ମାଲ୍ ସ୍କ୍ରିନିଂ ବେଳେ ଶରୀରର ତାପମାତ୍ରା ୧୦୦ ଉପରକୁ ରହିଲେ ଭକ୍ତଙ୍କୁ ମନ୍ଦିର ଭିତରକୁ ନଛାଡିବାକୁ ବ୍ୟବସ୍ଥା ହୋଇଛି । ସେହିପରି କରୋନାକୁ ଦୃଷ୍ଟିରେ ରଖି ମନ୍ଦିରକୁ ସାନିଟାଇଜ୍ କରିବା ପାଇଁ ରବିବାର ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିଛି ।

Leave A Reply

Your email address will not be published.

3 × 3 =