ଭୁବନେଶ୍ୱର: ବଡ଼ଚଣାରୁ ଅପହରଣ ହୋଇଥିବା ଅମିନ ଦାଶରଥୀ ନାୟକଙ୍କୁ ବାଲିପାଟଣା ଥାନା ପୋଲିସ ସହଯୋଗରେ ବଡ଼ଚଣା ଥାନା ପୋଲିସ ବନମାଳିପୁରରୁ ଉଦ୍ଧାର କରିଛି । ଏହି ମାମଲାରେ ପୋଲିସ ଅପହରଣକାରୀ ମାମୁ ଓ ଭଣଜାଙ୍କୁ ଗିରଫ କରିଛି । ସେମାନେ ହେଲେ, ମାମୁ ରବୀନ୍ଦ୍ର ଦାଶ ଓ ଭଣଜା ସୁଶାନ୍ତ ପଣ୍ଡା ସେମାନଙ୍କଠାରୁ ଅପହରଣରେ ବ୍ୟବହୃତ ହୋଇଥିବା କାର୍ ସମେତ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ବାଲିପାଟଣା ଥାନା ପୋଲିସ ମିଳିଥିବା ସୂଚନା ଅନୁସାରେ, ଗତକାଲି ଅଭିଜିତ ନାୟକ ତାଙ୍କ ବାପା ଦାଶରଥୀ ନାୟକ (୭୨)ଙ୍କୁ ଅପହରଣ କରାଯାଇଥିବା ସମ୍ପର୍କରେ ବଡ଼ଚଣା ଥାନାରେ ଅଭିଯୋଗ କରିଥିଲେ । ବଡ଼ଚଣା ପୋଲିସ ଅଭିଯୋଗ ଆଧାରରେ ତଦନ୍ତ କରି ଫୋନ୍ ଟ୍ରାକିଂ କରିଥିଲା । ଟ୍ରାକିଂରୁ ଦାଶରଥୀ ବାଲିପାଟଣା ଥାନା ଅଂଚଳରେ ଥିବା ଜଣାପଡ଼ିଥିଲା । ତେଣୁ ବିଳମ୍ବିତ ରାତିରେ ବଡ଼ଚଣା ଥାନା ପୋଲିସ ଏବଂ ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ସଦଳବଳେ ବନମାଳିପୁର ଫାଣ୍ଡି ଅଂଚଳରେ ଚଢ଼ଉ କରିଥିଲେ । ଅଭିଯୁକ୍ତ ରବିନ୍ଦ୍ରଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରି ଦାଶରଥୀଙ୍କୁ ଉଦ୍ଧାର କରାଯାଇଥିଲା ଓ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରାଯାଇଥିଲା । ସୂଚନା ନୁସାରେ, ବଡ଼ଚଣା ଅଂଚଳରେ ରବୀନ୍ଦ୍ରଙ୍କ ଏକ ମୂଲ୍ୟବାନ ଜମି ଥିଲା । ଦାଶରଥୀ ସରକାରୀ ଅମିନ ଥିବା ସମୟରେ ଚଂଚକତା କରି ସେହି ଜମିକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମରେ କରି ଦେଇଥିଲେ । ଏବେ ଉକ୍ତ ପ୍ଲଟ ଉପରେ ନିର୍ମାଣ କାମ ଆରମ୍ଭ ହେବା ରବୀନ୍ଦ୍ର ଖୋଳତାଡ଼ କରିବା ପରେ ଦାଶରଥୀଙ୍କ ଉପରେ ତାଙ୍କର ସନେ୍ଦହ ହୋଇଥିଲା । ତେଣୁ ସେ ଗତକାଲି ଏକ ବାହାନା କରି ଦାଶରଥୀଙ୍କୁ କଡେ଼ଇ ଛକକୁ ଡାକିଥିଲେ । ସେଠାରୁ ତାଙ୍କୁ କାର୍ ଯୋଗେ ଅପହରଣ କରି ବନମାଳିପୁର ନେଇ ଆସିଥିଲେ ।