ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ସହିତ ତାଳ ଦେଇ ଶିଶୁ ଶ୍ରମିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ରୋଜଗାର ହରାଇ ହନ୍ତସନ୍ତ ହେଉଥିବା ଗରିବ ପରିବାରର ପିଲାମାନେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ଗତ ୩ ମାସରେ ରାଜଧାନୀରୁ ୮୦ ଶିଶୁ ଶ୍ରମିକ ଉଦ୍ଧାର ହେବା ଘଟଣା, ଏହି ସମସ୍ୟା ବୃଦ୍ଧିର ଜ୍ୱଳନ୍ତ ନମୁନା ଭାବେ ଗ୍ରହଣ କରାଯାଇପାରେ । ଶ୍ରମ ଆଇନରେ ରହିଥିବା ଦୁର୍ବଳତା ପାଇଁ ଏହି ସମସ୍ୟା ଦିନକୁ ଦିନ ଉତ୍କଟ ହେଉଛି ବୋଲି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ପକ୍ଷରୁ ଅଭିଯୋଗ ହୋଇଆସୁଛି । ଗତ ୩ ମାସ ମଧ୍ୟରେ ରାଜଧାନୀର ବିଭିନ୍ନ ଥାନା ଅଂଚଳରୁ ପାଖାପାଖି ୮୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଛି ବୋଲି ଚାଇଲ୍ଟ ଲାଇନ୍ ପକ୍ଷରୁ ସୂଚନା ମିଳିଛି । ମେ’ ୧୨ ତାରିଖରେ କ୍ୟାପିଟାଲ ଥାନା ନିକଟରୁ ଏକ ୧୦ ବର୍ଷର ନାବାଳକ ଉଦ୍ଧାର ହୋଇଥିଲା । ଜୁନ୍ ୧୮ ତାରିଖରେ ନୟାପଲ୍ଳୀ ଦୁର୍ଗାମଣ୍ଡପ ନିକଟରୁ ଜନୈକ ବ୍ୟକ୍ତିଙ୍କ ଘରେ କାମ କରୁଥିବା ଜଣେ ନାବାଳକ ଉଦ୍ଧାର ହୋଇଥିଲା । ସେହିପରି ଜୁଲାଇ ୪ରେ ବରମୁଣ୍ଡାରୁ ଓ ଜୁଲାଇ ୧୭ରେ ଧଉଳି ରାସ୍ତାରୁ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା । ଜୁଲାଇ ୧୨ ତାରିଖରେ ଗଙ୍ଗୁଆ ଅଂଚଳରେ ଜଣେ ବ୍ୟକ୍ତି ଏକ ନାବାଳିକାକୁ ମିଛରେ ଝିଅ ବୋଲି କହି ଘରେ କାମ କରାଉଥିଲେ ଓ ପରେ ଘଟଣା ଜଣାପଡ଼ିବାରୁ ତାକୁ ଚାଇଲ୍ଡ ଲାଇନ୍ ପକ୍ଷରୁ ଉଦ୍ଧାର କରାଯାଇଥିଲା । ଚାଇଲ୍ଡ ଲାଇନ୍ ନିଦେ୍ର୍ଧଶକ ବେଣୁଧର ସେନାପତିଙ୍କ କହିବା କଥା କରେନା କଟକଣା ଯୋଗୁଁ ବିଦ୍ୟାଳୟ ବନ୍ଦ ରହିଛି ଓ ଅନ୍ଲାଇନ୍ରେ ପାଠ ପଢ଼ା ଚାଲିଛି । କିନ୍ତୁ ଶହ ଶହ ଗରିବ ପିଲା ମୋବାଇଲ୍ ଫୋନ୍ ଡାଟା ଓ ନେଟ୍ ସମସ୍ୟା ପାଇଁ ଏଥିରୁ ବଂଚିତ ହେଉଛନ୍ତି । ଫଳରେ ସେମାନେ ପାଠ ପଢ଼ା ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ପାଠପଢ଼ା ଥିବାରୁ ଗରିବ ପରିବାରର ଏହି ପିଲାମାନେ ବାପା ମା’ଙ୍କ କଥାରେ କିଛି ରୋଜଗାର କରିବା ପାଇଁ ପରଘରେ କାମ ପାଇଟି କରିବାକୁ ବାଧ୍ୟ ହେଉଛନ୍ତି । ମହାମାରୀ କରୋନା ପାଇଁ ଶିଶୁ ଶ୍ରମିକ ସମସ୍ୟା ବୃଦ୍ଧି ଉଦ୍ବେଗଜନକ ସ୍ଥିତିକୁ ଆସିଯିବ ବୋଲି ନୋବେଲ ପୁରସ୍କାର ବିଜୟୀ କୈଳାସ ସତ୍ୟାର୍ଥୀଙ୍କ ଚିଲଡ୍ରେନ୍ସ ଫାଉଣ୍ଡେସନ (କେଏସ୍ସିଏଫ) ଭବିଷ୍ୟବାଣୀ କରିଛି । ତାଙ୍କ ସଂସ୍ଥା ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଦର୍ଶାଯାଇଛି ଯେ କରୋନାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟରେ ଥିବା ଶ୍ରମ ଆଇନର ଦୁର୍ବଳତାକୁ ସମୀକ୍ଷା କରାଯାଇ ସେଗୁଡିକୁ ତୁରନ୍ତ ରଦ୍ଧ କରାଯିବା ଉଚିତ । ଦୁର୍ବଳ ଶ୍ରମ ଆଇନ ଶିଶୁ ଶ୍ରମିକ ବୃଦ୍ଧି ଘଟାଇବ । ଏଥିସହ ରିପୋର୍ଟରେ ଦର୍ଶାଯାଇଛି ଯେ କରୋନା ମହାମାରୀ ହେତୁ ସୃଷ୍ଟି ହୋଇଥିବା ଅର୍ଥନୈତିକ ସଙ୍କଟ କାରଣରୁ ୨୧ ପ୍ରତିଶତ ପରିବାର ଆର୍ଥିକ ଅନଟନରେ କାଳ କାଟୁଥିବାରୁ ସେମାନେ ନିଜ ପିଲାମାନଙ୍କୁ ଶ୍ରମିକଭାବେ ଖଟାଇ କିଛି ରୋଜଗାର ଆଶା କରୁଛନ୍ତି ।