ବଧୂ ହତ୍ୟା : ଜେଲଗଲେ ଶାଶୂ, ଶ୍ୱଶୁର, ସ୍ୱାମୀ

ବାଲିକୁଦା: ବଧୁହତ୍ୟା ଅଭିଯୋଗରେ ଶାଶୂ, ଶ୍ୱଶୁର ଓ ସ୍ୱାମୀକୁ ଆଜି ବାଲିକୁଦା ପୁଲିସ କୋର୍ଟ ଚାଲାଣ କରିଛି । ଜାମିନି ନା ମଂଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆ ଯାଇଛି । ବାଲିକୁଦା ଥାନା ଅଧୀନ ବାଲିସାହି ଗାଁରେ ଗତକାଲି ଉକ୍ତ ଘଟଣା ଘଟିଥିଲା । ଉକ୍ତ ଗାଁର ବ୍ରଜବନ୍ଧୁ ପରିଡାଙ୍କ ବଡ଼ ବୋହୁ ଚିନ୍ମୟୀ ଓରଫ୍ ଟୁଇଁ (୨୫)ଙ୍କର ସନେ୍ଦହ ଜନକ ଭାବେ ମୃତ୍ୟୁ ଘଟିଥିଲା । ତାଙ୍କ ଶୋଇବା ଘର ପଙ୍ଖାରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହିଥିଲେ । ହେଲେ ଅଧିକ ଯୌତୁକ ପାଇଁ ଟୁଇଁକୁ ତାର ଶାଶୁଘର ଲୋକେ ହତ୍ୟା କରିଥିବା ତାଙ୍କ ଭାଇ ଜଗଦିଶ୍ ବାଲିକୁଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଟୁଇଁର ଶାଶୂ ଝୁନିଲତା(୬୦) ଶ୍ୱଶୁର ବ୍ରଜବନ୍ଧୁ(୬୫) ଓ ସ୍ୱାମୀ ରାଜେଶ(୩୩)ଙ୍କୁ ଗତକାଲି ଥାନାରେ ଅଟକ ରଖିବା ପରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । କେସ୍ ନଂ ୨୧୪/୨୦ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରାଯାଇଛି । ତଦନ୍ତକାରୀ ଅଧିକାରୀ ଭାବେ ଏସଆଇ ଚିରଂଜୀବ ବେହେରା ଘଟଣାର ତଦନ୍ତ ଚଳାଇଛନ୍ତି । ସୂଚନା ଥାଉକି ବାଲିସାହି ଗାଁର ବ୍ରଜବନ୍ଧୁ ପରିଡ଼ାଙ୍କ ପୁଅ ରାଜେଶ(୩୩)ଙ୍କ ସହିତ ୭ ବର୍ଷ ତଳେ ଓଷକଣା ଗାଁର ବଂଶୀଧର ସ୍ୱାଇଁଙ୍କ ଝିଅ ଟୁଇଁଙ୍କୁ ବିବାହ କରିଥିଲେ । ବିବାହ ସମୟରେ ପୁଅ ଘରର ଦାବି ମୁତାବକ ୨ ଲକ୍ଷ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ସମସ୍ତ ଘରକରଣା ଜିନିଷ ମାନ ଦିଆ ଯାଇଥିଲା । ମାତ୍ର ପୁଅ ଘରେ ଜାଗା ନଥିବାରୁ ଖଟ ଓ ଫ୍ରିଜ ଦିଆ ଯାଇ ନ ଥିଲା । ଏହି ଖଟ ଆଣିବା ପାଇଁ ବୋହୁ ଟୁଇଁ ଉପରେ ଶାଶଘର ପରିବାର ଲୋକେ ନିର୍ଯ୍ୟାତନା ଦେଇ ଆସୁଥିବା ଟୁଇଁର ଭାଇ ବାଲିକୁଦା ଥାନାରେ କରିଥିବା ଅଭିଯୋଗରେ ଉଲ୍ଲେଖ କରିଛି ।

Leave A Reply

Your email address will not be published.

1 × 1 =