ଯାଜପୁର: ଦଶରଥପୁର ବ୍ଲକ୍ ଦୁଦୁରୁଅଂଟା ଦେଇ ପ୍ରବାହିତ କାଣୀ ନଦୀବନ୍ଧ ସ୍ଥାନୀୟ ପଂଚାୟତ ସମେତ ଦଶରଥପୁର ବ୍ଲକର ନଦୀନାଳ ଘେରା ୧୦ଟି ପଂଚାୟତ ପାଇଁ ଅଭିସାପ ପାଲଟିଛି । ଚଳିତ ବର୍ଷର ୫୦ ଫୁଟ ଓସାର ଘାଇକୁ ଲଗାଇ ପୁର୍ବରୁ ବର୍ଷା ଋତୁରେ ଏଠାରେ ୫ ଥର ଘାଇ ହେବା ଯୋଗୁ ନିକଟସ୍ଥ ୧୦ ଗୋଟି ପଂଚାୟତ ମାନଙ୍କରେ ପ୍ରଭୃତ କ୍ଷୟକ୍ଷତି ଘଟି ଚାଲିଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଶୁକ୍ରବାର ଦିନ ୧୧ଟା ଦଶରଥପୁର ଠାରେ ବୈତରଣୀ ନଦୀର ଜଳପତନ ବିପଦ ସଙ୍କେତର ୯.୫୨ ମିଟରକୁ ଟପି ରାତ୍ରି ୯ ଟା ସୁଦ୍ଧା ୧୦.୯୫ ମିଟର ଥିବା ବେଳେ ଶନିବାର ଦିନ ୧୧ ଟା ସୁଦ୍ଧା ବନ୍ୟା ଜଳର ପରିମାଣ ହ୍ରାସ ପାଇ ୧୦.୭୦ ମିଟରରେ ପହଂଛିଥିବା ଜଳସେଚନ କାର୍ଯ୍ୟାଳୟ ସୂଚନାରୁ ଜଣାଯାଇଛି । ତେବେ ଦୁଦୁରାଅନ୍ତା ପଂଚାୟତର କଂଟାପଡା ଗ୍ରାମ ପାଶ୍ୱର୍ ବୈତରଣୀ ନଦୀର ଶାଖା କାଣି ନଦୀର ଦୁଇ ପାଶ୍ୱର୍ ବନ୍ଧ ଶୁକ୍ରବାର ବିପଦସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ବନ୍ଧର ସୁରକ୍ଷା ନିମନ୍ତେ ଜଳସେଚନ ବିଭାଗ ପକ୍ଷରୁ ନଦୀବନ୍ଧ ମରାମତି ଜାରିରହିଥିଲା । ଉକ୍ତ ସ୍ଥାନରେ ବନ୍ଧର ଉଭୟ ପାଶ୍ୱର୍ରେ ବାଉଁଶ ଓ କାଠ ବହ୍ଲା ପୋତାହେବା ସହ ବାଲିବସ୍ତା ପକାଇ ତ୍ୱରିତ ମରାମତି କାର୍ଯ୍ୟ ଜାରି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ବିଳମ୍ବିତ ରାତି ପାଖାପାଖି ୧୨ ଟାରେ ଏକ ୨୦ ଫୁଟ ଓସାରର ଘାଇ ସୃଷ୍ଟି ହୋଇ ଦିନ ୧୨ଟା ସୁଦ୍ଧା କ୍ରମଶଃ ଏହା ୫୦ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁ ନଦୀ ପାଶ୍ୱର୍ବର୍ତୀ ବାସିନ୍ଦାଙ୍କ ନିଦ ହଜି ଯାଇଛି । ବୈତରଣୀ ଓ କାଣୀ ନଦୀରେ ବନ୍ୟା ଆସିବା ଫଳରେ ଦୁଦୁରାଅଂଟା, ମଲ୍ଳିକାପୁର, ଦତପୁର, ନିଜାମପୁର, କୟାଁ, ଖାନନଗର, କମାରଢ଼ିହି, ମଙ୍ଗଳପୁର, ଶୁଶୁଆ, କସପା ଆଦି ପଂଚାୟତ ବ୍ୟାପକ ଜଳମଗ୍ନ ହୋଇପଡ଼ିବା ସହିତ ରାସ୍ତାଘାଟ, ବିଦ୍ୟାଳୟ, ଚାଷଜମି ବନ୍ୟା ଜଳରେ ବୁଡ଼ିରହିଛି । ବିଶେଷ କରି ଦୁଦୁରାଅଂଟା, କୟାଁ, ନିଜାମପୁର, କମାରଢ଼ିହି, ଖାନନଗର, ପଂଚାୟତର ଅବସ୍ଥା ଅଧିକ ଶୋଚନୀୟ ହୋଇପଡ଼ିଛି । ମହାମାରୀ କରୋନା ଯୋଗୁ ଲୋକମାନେ ଗୃହବନ୍ଦୀ ହୋଇପଡ଼ିଥିବା ବେଳେ କଂଟାପଡ଼ା ଦେଇ ପ୍ରବାହିତ ବନ୍ୟା ଜଳକୁ ନେଇ ଏହି ପଂଚାୟତ ଗୁଡ଼ିକର ଅବସ୍ଥା ବସ୍ତୁତଃ ନକହିବା ଭଲ । ବନ୍ୟା ପ୍ରକୋପରେ ନଦୀକୂଳବର୍ତୀ ବାସିନ୍ଦା ଭୟ ଓ ଆଶଙ୍କା ଭିତରେ ଜୀବନ ବିତାଉଛନ୍ତି । ମହାମାରୀ କରୋନା ସାଙ୍ଗକୁ ବନ୍ୟା ପ୍ରଭାବରେ ଜନସାଧାରଣଙ୍କ ମଧ୍ୟରେ ଥଣ୍ଡା, ଜ୍ୱର ଓ ଝାଡ଼ା ଆଦି ରୋଗ ବ୍ୟାପିକା ଆଶଙ୍କା ବୃଦ୍ଧି ପାଇବା ସହ ଖଟିଖିଆ ଦିନ ମଜୁରିଆ ଚରମ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ବହୁ ଆଶା ଭରଷା ରଖି କରିଥିବା ଧାନ ଓ ପନିପରିବା ଫସଲ ଗଣ୍ଡାଙ୍କ ମଧ୍ୟ ସଂପୂର୍ଣ୍ଣ ନଷ୍ଟ ହେବାର ପରିଲକ୍ଷିତ ହୋଇଛି । ମଲ୍ଲିକାପୁର ପଂଚାୟତର ମଲ୍ଲିକାପୁର, ଦାଣ୍ଡିସାହି, ବଣିଆପାଟଣା, ବୈଷପାନ ଆଦି ଗ୍ରାମ ଗୁଡିକ ସମେତ ଦୁଦୁରାଅନ୍ତା ପଂଚାୟତର କଂଟାପଡା, ନରଣଗୋଚ୍ଛା, ଦୁଦୁରାଅନ୍ତା ଆଦି ଗ୍ରାମ ପ୍ରଭାବିତ ହୋଇଛି । ଦୁଦୁରାଅଣ୍ଟା ମୁଖ୍ୟ ଗ୍ରାମ୍ୟ ରାସ୍ତାରେ ଅତଡ଼ା ଖସି ରାସ୍ତା ପରିସ୍ଥିତି ଶୋଚନୀୟ ହେବା ସହ ବ୍ଲକର ଆଦର୍ଶ ବିଦ୍ୟାଳୟ ଚାରିପଟେ ବନ୍ୟାପାଣି ଲହଡ଼ି ମାରୁଛି । ସେହିପରି ଦତପୁର, କୟାଁ, କମାରଢ଼ିହି, ନିଜାମପୁର, ମଙ୍ଗଳପୁର, ଖାନନଗର, ଶୁଶୁଆ, କସପା ଆଦି ପଂଚାୟତ ମାନଙ୍କରେ ବନ୍ୟା ଜଳ ପ୍ରବାହିତ ହୋଇ ପନପରିବା ଓ ଧାନ ଚାଷରେ ବ୍ୟାପକ କ୍ଷୟକ୍ଷତି ଘଟିବାର ଆଶଙ୍କା ବୃଦ୍ଧି ପାଇଛି । ଶହଶହ ହେକ୍ଟର ଧାନ ଜମିରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ କଣ୍ଟପଡା ପୋଲ ଉପରେ ଦେଢଫୁଟର ବନ୍ୟା ଜଳ ପ୍ରବାହିତ ହେବା ସହ ଆଖୁଆସାହି – ଦାଣ୍ଡିସାହି ରାସ୍ତାର କେତେକ ସ୍ଥାନରେ ବନ୍ୟା ଜଳ ଲହଡ଼ି ମାରୁଛି । ସେହିପରି ପଲ୍ଲାସାହି ଓ ମଲ୍ଲିକାପୁର ରାସ୍ତାରେ ଯାତାୟତ ବିଚ୍ଛିନ୍ନ ହୋଇଛି । କଂଟାପଡା ଗ୍ରାମର ୫ ଦଳିତ ପରିବାର କଂଟାପଡା ପ୍ରକଳ୍ପ ଉପ୍ରା ବିଦ୍ୟାଳୟରେ ଆଶ୍ରୟ ନେଉଥିବା ବେଳେ ଶତାଧିକ ଗୃହପାଳିତ ପଶୁ ଭୋକ ଉପାସରେ ବନ୍ଧା ହୋଇ ରହିଛନ୍ତି । ଚଳିତ ବର୍ଷକୁ ଲଗାଇ କାଣୀ ନଦୀର କଂଟାପଡ଼ାଠାରେ ୫ଥର ଘାଇ ସୃଷ୍ଟି ହେବା ସ୍ଥାନୀୟ ଅଂଚଳରେ ପ୍ରଶାସନର କାର୍ଯ୍ୟ ଶୈଳୀକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ବିହିତ ପ୍ରତିକାର କରିବାକୁ ସାଧାରଣରେ ଦାବି ହୋଇଛି ।