ଅଭିଯୁକ୍ତ ମାନଙ୍କୁ ଧରିବାରେ ପୋଲିସ ବିଫଳ
ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ବରିଷ୍ଠ ସାମ୍ବାଦିକ ତଥା ଯୁବ ବ୍ୟବସାୟୀ ଟି ସଞ୍ଜୀବ ସୁବୁଦ୍ଧିଙ୍କ ଉପରକୁ ଗତ ଶୁକ୍ରବାର ୧୨ ତାରିଖ ରାତ୍ରି ପ୍ରାୟ ୯ଟା ୩୦ ମିନିଟ ରେ ସ୍ଥାନୀୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ତିନିଜଣ ମୁଖାଧାରୀ ଅଜଣା ଦୁର୍ବୁତ୍ତ ଦେଶୀ ବନ୍ଧୁକ ରେ ଗୋଟିଏ ରାଉଣ୍ଡ ଗୁଳି ଫୁଟାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।ଗୁଳିଟି ସାମ୍ବାଦିକଙ୍କ ଅଣ୍ଟା ରେ ବାଜିଥିଲା ଓ ସେ ମଟରସାଇକେଲ ରୁ ତଳେ ପଡିଯାଇଥିଲେ ତାଙ୍କୁ ତୁରନ୍ତ ବିଶାଖାପାଟଣା ରେଫର କରାଯାଇଥିଲା । ସାମ୍ବାଦିକ ଜଣକ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ସ୍ଥାନୀୟ ଜନସାଧାରଣ ଘଟଣାନେଇ ଭୟଭୀତ ହୋଇଯାଇଥିବାବେଳେ ଏହାର ତୀବ୍ରବିରୋଧ କରିବା ସହିତ ଘଟଣା ରେ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ଶୀଘ୍ର ଧରିବା ପାଇଁ ଦାବିକରିଥିଲେ ।ଆଉ ଏହିକ୍ରମରେ ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସହାଇ ମୀନା ଘଟଣାକୁ ଗୁରୁତ୍ୱର ସହିତ ନେଇ ଘଟଣାସ୍ଥଳ ପରିଦର୍ଶନ କରିବାପରେ ଜିଲ୍ଲାର ଦକ୍ଷ ପୋଲିସ ଅଧିକାରୀଙ୍କୁ ନେଇ ୬ ଗୋଟି ଟିମ ଗଠନ କରି ଏହି ଗୁଳିମାଡ଼ ଘଟଣା ର ତଦନ୍ତ ଆରମ୍ଭ କରାଇଥିଲେ ।ଉମେରକୋଟ ଏସଡିପିଓ ଦିନେଶ ନାୟକ, ନବରଙ୍ଗପୁର ଥାନାଅଧିକାରୀ ତାରିକ ଅହମ୍ମଦ,ପାପଡ଼ାହାଣ୍ଡି ଥାନାଧିକାରୀ ଶୁଭେନ୍ଦୁ ଶବର,ଝରିଗାଁ ଥାନାଧିକାରୀ ଉମେଶ ଚନ୍ଦ୍ର ସାହୁ ଏବଂ ଉମେରକୋଟ ଥାନାଧିକାରୀ ନରେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଏହି ଗୁଳିମାଡ଼ ଘଟଣା ର ଭିନ୍ନ ଭିନ୍ନ ଦିଗପ୍ରତି ଅନୁଧ୍ୟାନ କରି ତଦନ୍ତ ଆରମ୍ଭକରି ଅନେକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଇଥିଲା ।ପୋଲିସ ତରଫରୁ ଖୁବଶୀଘ୍ର ଦୋଷୀକୁ ଧରିବାରେ ସଫଳ ହେବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା । ଦୁର୍ବୁତ୍ତଙ୍କ ସନ୍ଧାନରେ ପୋଲିସ ଅସଫଳ ଥିବାବେଳେ ପରିବାର ସଦସ୍ୟ ମଧ୍ୟ ସାମ୍ବାଦିକ ଙ୍କ ସୁରକ୍ଷା ନେଇ ଚିନ୍ତିତ ।ଟି ସଞ୍ଜୀବ ସୁବୁଦ୍ଧି ଙ୍କୁ ଗୁଳିମାଡ଼ କଲା କିଏ ?ଏହିପ୍ରଶ୍ନ ସର୍ବତ୍ର ଆଲୋଚନା ର ବିଷୟ ପାଲଟିଥିବାବେଳେ,ଯେଉଁ ଭଳି ଭାବେ ତିନି ଅଜଣା ଦୁର୍ବୁତ୍ତ ପିଛା କରି ଗୁଳି ଚଳାଇଛନ୍ତି ଏହା ନିଶ୍ଚିତ ଭାବରେ ଯୋଜନାବଦ୍ଧ ଆକ୍ରମଣ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଗୁଳିମାଡ଼ ର କାରଣ ବ୍ୟବସାୟୀକ ଶତ୍ରୁତା ନା ସାମ୍ବାଦିକତା ସମୟରେ ଘଟିଥିବା ଘଟଣାବଳି ମଧ୍ୟରେ ସୃଷ୍ଟି ହୋଇଥିବା ଶତ୍ରୁତା ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହେଉଛି ।