ବରୁଣେଇରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ପୁଣିଥରେ କ୍ରାଇମବ୍ରାଂଚ ଏସଟିଏଫ୍ ଜାଳରେ ପଡିଛନ୍ତି ବ୍ରାଉନସୁଗାର ବେପାରୀ ଓ ଏଜେଂଟ । ଖୋର୍ଦ୍ଧା ବରୁଣେଇ ରୋଡରୁ ଏସଟିଏଫ୍ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିବା ସହ ୪ ଜଣ ଏଜେଂଟଙ୍କୁ ଧରିଛି । ସେମାନଙ୍କଠାରୁ ୧ କେଜି ୫୦ ଗ୍ରାମ ବ୍ରାଉନସୁଗାର, ନଗଦ ୫ ଲକ୍ଷ ୩୦ ହଜାର ଟଙ୍କା, କାର, ପ୍ୟାକିଂ ମେସିନ୍ ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ ବିଜୟ ମହାନ୍ତି, ଜଳେଶ୍ୱର ଝାଡେଶ୍ୱରପୁର ଅଂଚଳର ଶେଖ୍ ଜୁମାର ଓରଫ ବଦରୁଦ୍ଧିନ୍, ଜଗତସିଂହପୁର ଅଂଚଳର ସୌମ୍ୟଜିତ ପରିଜା, ସାଗର ବେହେରା ଓ ସପନ ଭଟ୍ଟାଚାର୍ଯ୍ୟ । ଏସଟିଏଫ ସୂଚନା ଅନୁସାରେ, ଗତକାଲି ବ୍ରାଉନସୁଗାର କାରବାର ଖବର ମିଳିବା ପରେ ବରୁଣେଇ ରୋଡରେ ଚଢ଼ଉ ହୋଇଥିଲା । ସେଠାରୁ ବିଜୟ ମହାନ୍ତିକୁ ଗିରଫ କରାଯିବା ସହ ବ୍ରାଉନସୁଗାର ଜବତ କରାଯାଇଥିଲା । ବ୍ରାଉନସୁଗାର କେଇଁଠୁ ଆସିଲା ପଚାରାଉରା ପରେ ୪ ଜଣ ଆଣି ଦେଇଥିବା କହିଥିଲା । ସେମାନେ ଆସିଥିବା କାର୍ ନମ୍ବର ସହ ମୋବାଇଲ ନମ୍ବର ମଧ୍ୟ ଦେଇଥିଲା । ମୋବାଇଲ୍ ନମ୍ବରକୁ ଟ୍ରାକ୍ କରିବା ପରେ ସେମାନଙ୍କୁ ଧରିବା ଲାଗି ଏସ୍ଟିଏଫର ଟିମ୍ ବାଲେଶ୍ୱର ଅଭିମୁଖେ ଯାଇଥିଲା । ଆଉ ଜାତୀୟ ରାଜପଥର ବସ୍ତା ନିକଟରୁ କାର୍ ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନଙ୍କଠାରୁ ଟଙ୍କା ଜବତ କରାଯାଇଥିଲା । ଏସଟିଏଫ୍ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କ ଆଜି କୋର୍ଟଚାଲାଣ କରିଛି । ଉଲ୍ଲେଖଯୋଗ୍ୟ, ୨୦୨୦ରୁ ଏବେ ସୁଦ୍ଧା ଏସଟିଏଫ ୨୯ କେଜି ବ୍ରାଉନସୁଗାର, ୬୪ କ୍ୱିଂଟାଲ ଗଞ୍ଜେଇ ଜବତ କରିବା ସହ ଶହେରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Leave A Reply

Your email address will not be published.

two × 1 =