ବରଗଡ଼: ବରଗଡ଼ ଜିଲ୍ଲାରେ ଧାନ କିଣା ବିକା ଗତ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିଲା । ୧୮୫ଟି କେନ୍ଦ୍ରରେ ଧାନ କିଣାବିକା ହେଉଥିଲା । ମାତ୍ର ଏବେ ଅଧିକାଂଶ ପ୍ୟାକ୍ସ ବନ୍ଦ ହେଇଗଲାଣି । ଧାନ କିଣାବିକାରେ ଚାଷୀ ଯେତେ ସଂକୃକ୍ତ ନୁହନ୍ତି, ତା’ଠୁ ଅଧିକ ସଂପୃକ୍ତ ଅଛନ୍ତି ଧାନ ବେପାରୀ । ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରି ବେପାରୀ ମାନେ ଧାନ କିଣାବିକା କରୁଛନ୍ତି । ଦୁଇମାସ ଧରି କାରବାର ହେଉଥିଲେ ମଧ୍ୟ ଜିଲ୍ଲାର ଚାଷୀ ଶୃଙ୍ଖଳିତ ଭାବେ ଧାନ ବିକ୍ରି କରିପାରୁ ନଥିବା ଅଭିଯୋଗ ହେଉଛି । ଚଳିତବର୍ଷ ବରଗଡ ଜିଲ୍ଲାକୁ ୭୪ ଲକ୍ଷ ୧୬ ହଜାର ୫୨୫ କ୍ୱଂଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆଯାଇଛି । ଶନିବାର ସୁଦ୍ଧା ୭୧ ଲକ୍ଷ ୧୬ ହଜାର ୫୨୫ କ୍ୱଂଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆଯାଇଛି । ଶନିବାର ସୁଦ୍ଧା ୭୧ ଲକ୍ଷ ୩୨ ହଜାର ୮୧୨ କ୍ୱଂଟାଲ ଧାନ କିଣାଯାଇଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକାଂଶ ମଣ୍ଡିରେ ଧାନ ବସ୍ତା ଗଦା ହୋଇ ରହିଛି । ବରଗଡ ଜିଲ୍ଲାକୁ ରାଜ୍ୟ ବାହାରୁ ଧାନ ଚାଲାଣ ହେଉଛି । ମଣ୍ଡିରେ ଧାନ ପଡି ରହିଥିବା ବେଳେ ଏଠାରେ ଟାର୍ଗେଟ ଦିଆଯାଉ ନାହିଁ । ମାତ୍ର ଏଠାକାର ମିଲର୍ସ ମାନଙ୍କୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରପଡା ଜିଲ୍ଲାରୁ ଧାନ ଉଠାଇବା ପାଇଁ ଅନୁମତି ଦିଆଯାଉଛି । ଏହି ଅନୁମତି ବଳରେ ବିଭିନ୍ନ ଫନ୍ଦି ଫିକର କରାଯାଇ ବେଆଇନ ଭାବେ ଧାନ ଚୋରା ଚାଲାଣ ହେଉଛି । ପ୍ରଶାସନ ପକ୍ଷରୁ ଧାନକୁ ଜବତ କରାଯାଉଥିଲେ ମଧ୍ୟ ତାର କିଛି ଫରକ ପଡୁ ନାହିଁ । ଚଳିତବର୍ଷ ୧ ଲକ୍ଷ ୩୨ ହଜାର ଚାଷୀ ଧାନ ବିକିବା ପାଇଁ ଫଜିକୃତ ହୋଇଥିଲେ । ସେଥିମଧ୍ୟରୁ ଏକ ଲକ୍ଷ ୧୪ ହଜାର ୫୩୦ ଜଣ ଚାଷୀଙ୍କ ଧାନ ବିକ୍ରି ହୋଇଯାଇଛି । ଏବେ ୧୮ ହଜାର ଚାଷୀଙ୍କ ଧାନ ବିକ୍ରି ହୋଇ ପାରି ନାହିଁ । ମଣ୍ଡିରେ ଧାନ ପଡି ରହିଥିବା ବେଳେ ଚାଷୀଙ୍କ ଟୋକନ୍ ଲାପ୍ସ ହୋଇଗଲାଣି । ଯେଉଁ ଚାଷୀମାନଙ୍କ ଟୋକନ୍ ଲାପ୍ସ ହୋଇଯାଇଛି ସେମାନଙ୍କ ଧାନ କିପରି ମଣ୍ଡିରୁ ଉଠିବ ସେ ନେଇ ଯୋଗାଣ ବିଭାଗ ଅଧିକାରୀଙ୍କ ପାଖରେ କୌଣସି ସୂଚନା ନାହିଁ । ୧୮ ହଜାର ଚାଷୀ ଏଯାଏଁ ଧାନ ବିକି ନାହାନ୍ତି, ମାତ୍ର ଧାନର ଟାର୍ଗେଟ ପୂରଣ ହେବା ଉପରେ । ଗତ ତିନି ଦିନ ହେଲା ବରଗଡ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ କିଛି କିଛି ବର୍ଷା ହେଉଛି । ଖୋଲା ଆକାଶ ତଳେ ପଡିରହିଥିବା ଧାନ ବସ୍ତା ଏବେ ଓଦା ହେଲାଣି । ଏମିତିରେ ଧାନ ଉଠାଇବା ପାଇଁ ମିଲର୍ସ ମାନେ ଚାହୁଁ ନାହାନ୍ତି, କାରଣ ଆଗାମୀ ଦିନରେ ଏହା ସେମାନଙ୍କୁ ସୁହାଇବ । ଏ ପର୍ଯ୍ୟନ୍ତ ଅତାବିରା ଓ ବରଗଡ ଅଂଚଳରୁ ଧାନ ଉଠିଯାଇଥିବା ବେଳେ ପଦ୍ମପୁର ଅଂଚଳରୁ ଧାନ ଉଠିନି ଏବଂ ପାଖାପାଖି ୯ ଲକ୍ଷ ବସ୍ତା ଧାନ ଖୋଲା ଆକାଶ ତଳେ ପଡି ରହିଛି । ମଣ୍ଡି ବ୍ୟବସ୍ଥାକୁ ଦୁର୍ବଳ କରି ଦେଇ ଚାଷୀ ମାନଙ୍କୁ ମାର୍କେଟ ୟାର୍ଡରୁ ମୁହଁ ଫେରାଇ ନେବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ଚାଷୀ ମାନେ ଅଭିଯୋଗ କରୁଛନ୍ତି । ବରଗଡ ଜିଲ୍ଲାରେ ମଣ୍ଡି ବ୍ୟବସ୍ଥାକୁ ଅଧିକ ଜଟିଳ ଓ ବେପାରୀମାନଙ୍କ କବଜାରେ ଛାଡି ଦିଆଯାଉଥିବାରୁ ଚାଷୀମାନେ ଏହି ବ୍ୟବସ୍ଥା ଅପେକ୍ଷା ନିଜ ଉଦ୍ୟମରେ କମ୍ ଦାମ୍ରେ ହେଉ ପଛେ ଧାନ ବିକ୍ରି କରିବାକୁ ପସନ୍ଦ କରୁଛନ୍ତି । ପ୍ରତିମଣ୍ଡିରେ ଯଦି ସିସି ଟିଭି ବ୍ୟବହାର କରାଯାଇ ଲୋକଙ୍କ ଗତିବିଧିକୁ ନୀରକ୍ଷଣ କରାଯାଆନ୍ତା ତାହେଲେ ମଣ୍ଡିରେ ଚୋରା କାରବାର ଅଧା କମିଯାଆନ୍ତା । ଚୋରା ଚାଲାଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଟାକ୍ସ ଫୋର୍ସ ଗଠନ କରାଯାଇଛି । ମାତ୍ର ପ୍ରକୃତରେ ମାର୍କେଟୟାର୍ଡ ଗୁଡିକୁ ଜଗିବା ପାଇଁ ବ୍ୟବସ୍ଥା ହେବା କଥା । ଚାଷୀଙ୍କ ନାଁରେ ମଣ୍ଡି କାରବାର କରାଯାଉଥିଲେ ମଧ୍ୟ ଏହା କେବଳ ବେପାରୀମାନଙ୍କ ସଲାସୁତୁରା ଓ ମିଲର୍ସମାନଙ୍କ ଚକ୍ରାନ୍ତରେ ଚାଲୁଥିବା ଅଭିଯୋଗ ହେଉଛି । ଏବେ ମଣ୍ଡିରେ ଧାନ ପଡିଛି ହେଲେ ଚାଷୀଙ୍କ ପାଖରେ ଟୋକନ୍ ନାହିଁ । ଫଜିକୃତ ହୋଇଥିବା ଚାଷୀ ଟୋକନ୍ ପାଇ ମଧ୍ୟ ଧାନ ବିକ୍ରି କରିବାରୁ ବଂଚିତ ହେଉଛନ୍ତି । ଏବେ ଯେଉଁମାନଙ୍କ ଟୋକନ୍ ଲାପ୍ସ ହୋଇଯାଇଛି ସେମାନଙ୍କ ଧାନ ଉଠିବ ନା ନାହିଁ ଏବଂ ଯେଉଁ ମାନେ ମଣ୍ଡିରେ ଧାନ ପକାଇଛନ୍ତି ସେମାନେ ବିକ୍ରି କରି ପାରିବେ ନା ନାହିଁ ତାକୁ ନେଇ ଚାଷୀ ଚିନ୍ତିତ ଅଛନ୍ତି ।