ବର୍ଷା ନାହିଁ! ଉଠା ଜଳସେଚନ ଭରଷାରେ ଚାଷୀ

ଯାଜପୁର : ବର୍ଷା ନାହିଁ । ଜମି ଫାଟି ଆଁ । ଚାଷ କାମରେ ବ୍ୟାଘାତ ଘଟିଥିବା ବେଳେ ଚିନ୍ତାରେ ପଡ଼ିଛି ଚାଷୀ । ଅନ୍ୟ ଉପାୟ ନଥିବାରୁ ଧାନ ବିଲକୁ ବଂଚାଇବା ପାଇଁ ହେଉ କିମ୍ବା ଧାନ ରୁଆ ପାଇଁ ଉଠା ଜଳ ସେଚନ ଉପରେ ନିର୍ଭର କରୁଥିବାର ଦେଖିବାକୁ ମିଳିଛି । ଆଷାଢ଼ ମାସ ଶେଷ ଭାଗ ଓ ଶ୍ରାବଣ ଆରମ୍ଭରେ ମୁଷଳ ଧାରାରେ ବର୍ଷା ହୋଇଥାଏ । ହେଲେ କିଛି ଦିନ ହେବ ଦଶରଥପୁର ବ୍ଲକର ୩୫ଟି ପଂଚାୟତରେ ଆକଷ୍ମିକ ଭାବେ ମୈାସୁମୀ ଉଭାନ ହୋଇଯାଇଛି । ଅସହ୍ୟ ଗୁଳୁଗୁଳି ଓ ଖରାଯୋଗୁ ଧାନ ବିଲ ଫାଟିବା ଆରମ୍ଭ କଲାଣି । ଚାଷୀ ପକାଇଥିବା ଧାନ ତଳି ମରିବାକୁ ଆରମ୍ଭ କଲାଣି । ଏପରିକି କେତେକ ଖାଲୁ୍ରଆ ଜମିରେ ଚାଷୀ ଧାନ ତଳି ଓ ଧାନ ରୁଆ ନିମନ୍ତେ ଉଠା ଜଳସେଚନ ଉପରେ ନିର୍ଭର କରୁଥିବାର ପରିଲକ୍ଷିତ ହୋଇଛି । ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପଂଚାୟତ ଦେଇ ଯାଇଥିବା ଜଳ ସଂପଦ ବିଭାଗ କେନାଲ ଗୁଡ଼ିକରେ ବିଭାଗ ତରଫରୁ ବାହାଘର ବେଳେ ବାଇଗଣ ରୁଆ ନ୍ୟାୟରେ ଏବେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଚାଷୀଙ୍କୁ ବିପଦ ମୁହଁକୁ ଠେଲି ଠିକାଦାରଙ୍କୁ ବଂଚାଇବା ନିମନ୍ତେ ବିଭାଗୀୟ ଅଧିକାରୀମାନେ ସ୍ଥାନୀୟ କେନାଲ ମାନଙ୍କରେ ଆବଶ୍ୟକତା ଅନୁଯାୟୀ ପାଣି ଛାଡ଼ୁନଥିବାର ଅଭିଯୋଗ ହୋଇଛି । ଏମିତିକି ଅଦ୍ୟାବଧି ସ୍ଥାନୀୟ ଅଂଚଳର ସମସ୍ତ ମୁଖ୍ୟ ଓ ଶାଖା କେନାଲ ଗୁଡ଼ିକ ସଫେଇ କରାଯାଇ ନଥିବା ହେତୁ କେନାଲ ପାଣି ଚାଷ ଜମିକୁ ଯିବା ନେଇ ଆଶଙ୍କା ପ୍ରକାଶ ପାଇଛି । ସେହିପରି ରକ୍ଷଣାବେକ୍ଷଣ ଅଭାବରୁ କେନାଲ ବନ୍ଧରେ ସୃଷ୍ଟି ହୋଇଥିବା ଏକାଧିକ ଘାଇ ମରାମତି ହେଉନାହିଁ । ଜଳ ସଂପଦ ବିଭାଗ ପକ୍ଷରୁ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନାଲ ସଫେଇ କରାଯିବା ସହ ଘାଇ ମରାମତି ଓ ପାଣି ଯୋଗାଇ ଦେବାକୁ ଚାଷୀ ମହଲରୁ ଦାବି ହୋଇଛି ନଚେତ୍ ଚଳିତ ବର୍ଷ ବ୍ଲକରେ ଧାନ ଚାଷ ବାଧା ହେବାର ଆଶଙ୍କା ବୃଦ୍ଧି ପାଇଲାଣି ।

Leave A Reply

Your email address will not be published.

three × 1 =