ବଲାଙ୍ଗିର: ଆମର ଚାଷୀ ଠିକ୍ ସମୟରେ ଚାଷ ପାଇଁ ଔଷଧ ପାଉ ନାହିଁ, ସାର ପାଉ ନାହିଁ, ବିହନ ପାଉ ନାହିଁ, ଧାନ ଅମଲ କଲାପରେ ତାର ଉଚିତ ମୂଲ୍ୟ ପାଉନାହିଁ । ବିଭାଗୀୟ ଅଧିକାରୀମାନେ ମଧ୍ୟ ତତ୍ପରତା ସହିତ ଚାଷୀଙ୍କୁ ସହାୟତା କରିବା ଦେଖାଯାଉ ନାହିଁ । ଚାଷୀ ଦରକାର କରୁଥିବା ସାର ଠିକ୍ ସମୟରେ ତ ପାଉ ନାହିଁ ଓଲଟା ଯେତେବେଳେ ପାଉଛି ବହୁତ ଚଢାଦରରେ କିଣିବା ପାଇଁ ବାଧ୍ୟ ହେଉଛି । ଠିକ୍ ସମୟରେ ଓ ଠିକ୍ ଦରରେ ସାର ନ ପାଇବା ଦ୍ୱାରା ସେ ଘୋର ସମସ୍ୟା ଭିତରେ ଗତି କରୁଛି ତେଣୁ କୃଷି ବିଭାଗ ସାରର କଳାବଜାରିରେ ଲଗାମ ଲଗାଉ ନଚେତ ସେମାନେ ଚାଷୀଙ୍କ ଆକ୍ରୋଶର ଶିକାର ହେବେ ବୋଲି ଆଜି ବଲାଙ୍ଗିର ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ବିଭାଗ ଦ୍ୱାରା ଅନୁଷ୍ଠିତ ବିହନ ବଂଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବଲାଙ୍ଗିରର ବିଧାୟକ ନରସିଂହ ମିଶ୍ର ଜିଲ୍ଲା କୃଷି ବିଭାଗକୁ ସତର୍କ କରିଛନ୍ତି ।

ଜିଲ୍ଲା ଯୋଜନା ଅଧିକାରୀ ସୁଧାକର ନନ୍ଦଙ୍କ ସଂଯୋଜନାରେ ତଥା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବିହନ ବଂଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ବଲାଙ୍ଗିର ସଦର ବ୍ଲକ ଅଂଚଳର ପଂଚାୟତମାନଙ୍କରୁ ଆସିଥିବା ସମସ୍ତ ·ଷୀଙ୍କ ସହିତ ଚାଷ ସମୟରେ ସେମାନେ ସମ୍ମୁଖିନ ହେଉଥିବା ପ୍ରାୟ ସମସ୍ତ ସମସ୍ୟା ଉପରେ ଆଲୋଚନା କରିଥିଲେ । ବିହନ ବଂଟନ କାର୍ଯ୍ୟକ୍ରମ କୃଷି ବିଭାଗ ବହୁ ବିଳମ୍ବରେ କରିଥିବାରୁ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ । ବିଶେଷ କରି ସାର କଳାବଜାରିକୁ ନେଇ ଶ୍ରୀ ମିଶ୍ର ଜିଲ୍ଲା କୃଷି ଅଧିକାରୀଙ୍କୁ ତାଗିଦ୍ କରିବା ସହ ପ୍ରତ୍ୟେକ ଚାଷୀ ଯେପରି ଆଗାମି ଦିନରେ ସରକାର ଦରରେ ସାର ପାଇବେ ତାର ବ୍ୟବସ୍ଥା କରନ୍ତୁ ବୋଲି ତାଗିଦ୍ କରିଥିଲେ । ସାର, କିଟନାଶକ, ବିହନ ଠିକ୍ ସମୟରେ ମିଳିପାରୁ ନ ଥିବାର ପ୍ରତ୍ୟେକ ଚାଷୀ ଅଭିଯୋଗ କରିବା ସହ ଭିଏଡବ୍ଲୁ ମାନେ ନିଜ ନିଜ ହେଡ୍କ୍ୱାଟରରେ ରହୁନଥିବାରୁ ଚାଷୀମାନଙ୍କ ପାଇଁ ଆସୁଥିବା ସରକାରୀ ଯୋଜନା ଲାଭ କେବଳ କଳାବଜାରୀ ଓ ଅସାଧୁ ସାର, ବିହନ, କିଟନାଶକ ବ୍ୟବସାୟୀମାନେ ଉଠାଉଛନ୍ତି ବୋଲି ଆଲୋଚନା ହୋଇଥିଲା ଏବଂ କିଟ ନାଶକ ଔଷଧ ପୂର୍ବଭଳି ସହକାରୀ ବିକ୍ରୟ କେନ୍ଦ୍ରରେ ମିଳିଳେ ଚାଷୀମାନେ ଠିକ୍ ହିସାବରେ ତାର ଲାଭ ପାଇପାରିବେ ବୋଲି ବିଧାୟକ ମିଶ୍ର ଜିଲ୍ଲା କୃଷି ଅଧିକାରୀଙ୍କୁ ତାର ବ୍ୟବସ୍ଥା କରିବା ପାଇଁ କହିଥିଲେ ।

ଆହୁରି ମଧ୍ୟ ଚାଷୀମାନେ ଶ୍ରୀ ପଦ୍ଧତିରେ ଚାଷ କଲେ ୩୦ ରୁ ୩୫ କ୍ୱିଂଟାଲ ଧାନ ପାଉଛନ୍ତି, ସରକାର କିନ୍ତୁ ତାର ଅଧା ଧାନ ଚାଷୀ ପାଖରୁ କିଣୁଛି । ଫଳରେ ବଳକା ଧାନ କମ୍ ରେଟ୍ ରେ ବିକିବା ପାଇଁ ଚାଷ ବାଧ୍ୟ ହେଉଛନ୍ତି । ଏହି ପରି ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ସରକାର, ବିଭାଗ ଓ ଅସାଧୁ ବ୍ୟବସାୟୀ ସବୁ କ୍ଷେତ୍ରରେ ଚାଷୀଙ୍କୁ ଲୁଟୁଛନ୍ତି ବୋଲି ଶ୍ରୀ ମିଶ୍ର ନିଜ ପ୍ରତିିକ୍ରିୟାରେ କହିଛନ୍ତି । ବିଭିନ୍ନ ପଂଚାୟତରୁ ଆସିଥିବା ତଥା ବିଜିଆରଇଆଇ ଯୋଜନାରେ ସାମିଲ ଥିବା ଚାଷୀମାନଙ୍କୁ ମାନ୍ୟବର ବିଧାୟକ ବିହନ ଓ ଅନ୍ୟାନ୍ୟ ସାମଗ୍ରୀ ବଂଟନ କରିଥିଲେ । ଶେଷରେ ବଲାଙ୍ଗିର ସଦର ବ୍ଲକର ସହକାରୀ କୃଷି ଅଧିକାରୀ ହରେକୃଷ୍ଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।