ଭୁବନେଶ୍ୱର,୮ ।୦୬(ନି.ପ୍ର.): ନୟାଗଡ଼ ଜିଲ୍ଲାର ଦଶପଲା ଥାନା ଅନ୍ତର୍ଗତ ଗିରିପୂଜା ଜଙ୍ଗଲରେ ଏସ୍ଟିଏଫ୍ ଚଢ଼ାଉ କରି ୨ଟି କଲରାପତରିଆ ବାଘ ଛାଲ ଓ ୨ଟି ହରିଣ ଛାଲ ଜବତ କରିବା ସଙ୍ଗେ ସଙ୍ଗେ ୨ ଜଣଙ୍କୁ ଗିରଫ କରିଛି । ଗିରଫଦ୍ୱୟ ହେଲେ ପ୍ରତାପ କୁମାର ନାୟକ ଓ କିଶୋର ଚନ୍ଦ୍ର ଦେହୁରୀ । ଉଭୟଙ୍କୁ ଆଜି ଦଶପଲା ଜେଏମ୍ଏଫ୍ସି ଅଦାଲତରେ ହାଜର କରାଯାଇଛି । ବେଆଇନ ଭାବେ ବାଘ ଓ ହରିଣ ଛାଲ ରଖିଥିବାରୁ ସେମାନଙ୍କର ବିରୋଧରେ ଆଇପିସିର ୩୭୯, ୪୧୧, ୧୨୦(ବି) ଏବଂ ବନ୍ୟଜନ୍ତୁ ସୁରକ୍ଷା ଆଇନର ୫୧ ଧାରା ମାମଲା ରୁଜୁ କରାଯାଇଛି । ଜବତ ଛାଲକୁ ପରୀକ୍ଷା ପାଇଁ ଡେରାଡୁନସ୍ଥିତ ୱାଇଲ୍ଡ୍ ଲାଇଫ୍ ଇନଷ୍ଟିଟ୍ୟୁଟ ପଠାଇଥିବା ବେଳେ ଏସ୍ଟିଏଫ୍ ତଦନ୍ତ ଜାରି ରଖିଛି ।