ବାଘ ଛାଲ , ୨ ହାତୀ ଦାନ୍ତ ଜବତ: ୨ ଗିରଫ


ନୟାଗଡ଼: ବନ୍ୟଜନ୍ତୁ କାରବାର ନେଇ ନୟାଗଡ଼ ଜିଲ୍ଲାରେ ପୁଣି ଏସଟିଏଫ ଚଢ଼ାଉ କରିଛି । ନୟାଗଡ଼ ଜିଲ୍ଲାର ଶକ୍ତିପୀଠ ନିକଟରେ ଥିବା ଗଣିଆ-ଚାମୁଣ୍ଡିଆ ରୋଡରେ ଚଢ଼ାଉ କରି ଏସଟିଏଫ ଚିତାବାଘ ଛାଲ ଓ ହାତୀ ଦାନ୍ତ ଜବତ କରିଛି । ଏହା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗଣିଆରେ ଥିବା ମା’ କଳପାଟ ଠାକୁରାଣୀଙ୍କ ମନ୍ଦିର ନିକଟରେ ଅଭିଯୁକ୍ତମାନେ କାରବାର ଚଳାଇଥିବା ବେଳେ ଏସଟିଏଫ ଚଢ଼ାଉ କରି ଚିତାବାଘ ଛାଲ, ହାତୀ ଦାନ୍ତ ଓ ଶିକାର ପାଇଁ ବ୍ୟବହାର ହୋଇଥିବା ଅସ୍ତ୍ରଶସ୍ତ୍ର ଜବତ କରିଥିବା ଜଣାପଡିଛି । ଗିରଫ ଦୁଇ ଅଭିଯୁକ୍ତମାନେ ହେଲେ ଗଣିଆ ଥାନା ବେଠିଆ ସାହିର ବିମ୍ବାଧର ତରାଇ ଓ କଟକ ଜିଲ୍ଲା ନରସିଂହପୁର ଥାନା ଚକରଗଡ଼ାର ରମେଶ ପ୍ରତିହାରୀ । ପୂର୍ବରୁ ରଣପୁର, ଦଶପଲ୍ଲା ଅଂଚଳରୁ ବାଘ ଛାଲ ବେପାରୀ ଗିରଫ ହୋଇଥିବା ବେଳେ, ଏଥର ଗଣିଆ ବ୍ଲକରୁ ଏଭଳି କାରବାର ଧରାପଡିଛି । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ବନ୍ୟ ଜୀବନ (ସୁରକ୍ଷା) ଅଧିନିୟମ, ୧୯୭୨ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଗତ ଏକ ବର୍ଷ ମଧ୍ୟରେ ବନ୍ୟଜନ୍ତୁ ଅପରାଧୀଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଏସଟିଏଫ୍ ୧୩ଟି ଚିତାବାଘ ଛାଲ, ୯ଟି ହାତୀ ଦାନ୍ତ, ୦୨ ହରିଣ ଚର୍ମ ଜବତ କରିଛି । ଏହା ସହ ୨୭ ବନ୍ୟଜନ୍ତୁ ଅପରାଧୀଙ୍କୁ ଗିରଫ କରାଯାଇଛି । ବନ୍ୟ ଜୀବନ ଅପରାଧୀଙ୍କ ବିରୋଧରେ ମୋଟ ୧୫ଟି ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.

four × 4 =