ବାତ୍ୟାର ୨୪ ଘଂଟା ମଧ୍ୟରେ ବିଦ୍ୟୁତ ସରବରାହ : ଶକ୍ତିମନ୍ତ୍ରୀ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ୟାସ୍‌’ ଦ୍ୱାରା ସଂଘଟିତ ସମ୍ଭାବ୍ୟ କ୍ଷୟକ୍ଷତିର ମୁକାବିଲା ସହ ବାତ୍ୟା ପରବର୍ତୀ ୨୪ ଘଂଟା ମଧ୍ୟରେ ବିଦ୍ୟୁତ ସରବରାହର ପୁନରୁଦ୍ଧାର ନିମନ୍ତେ ନିଜକୁ ପ୍ରସ୍ତୁତ ରଖିବାକୁ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ଆଜି ସମସ୍ତ ବିତରଣ କମ୍ପାନୀ, ଗ୍ରୀଡ଼୍‌କୋ, ଓପିଟିସିଏଲ୍‌, ପିଜିସିଆଇଏଲ୍ ଓ ଏନ୍‌ଟିପିସିର ଅଧିକାରୀମାନଙ୍କୁ ନେଇ ଏକ ଭର୍ଚୁଆଲ ବୈଠକରେ ସମୀକ୍ଷା କରି କହିଛନ୍ତି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରିବାକୁ ଏକ ବ୍ଲ୍ୟୁ ପ୍ରିଂଟ ତିଆରି ସହ ମାନବସମ୍ବଳ ବିନିଯୋଗ, ଯନ୍ତ୍ରପାତିର ଉପଯୋଗ ଓ ସରଞ୍ଜାମ ଉପଲବ୍ଧ ଆଦିକୁ ପ୍ରଭାବୀ ଭାବେ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଗତ ଅମ୍ଫାନବେଳେ ବିଦ୍ୟୁତ କର୍ମଚାରୀମାନେ ଯେଉଁ ଅକ୍ଳାନ୍ତ ପରିଶ୍ରମ କରି ବିଦ୍ୟୁତ ସେବାର ପୁନରୁଦ୍ଧାର କରିଥିଲେ ତା’ର ଭୂୟସୀ ପ୍ରଶଂସା କରିବା ସହ ଏଥର ମଧ୍ୟ ଆମକୁ ସମାନ ଧରଣର ପ୍ରତିବଦ୍ଧତା ପ୍ରଦର୍ଶନ କରିବାକୁ ହେବ ବୋଲି ସେ କହିଥିଲେ ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏ ଦିଗରେ ଉପଯୁକ୍ତ ପ୍ରସ୍ତୁତିର ନେତୃତ୍ୱ ନେଇଥିବାରୁ ମନ୍ତ୍ରୀ କ୍ୟାପ୍‌ଟେନ୍ ମିଶ୍ର ଖୁସି ବ୍ୟକ୍ତ କରିଥିଲେ । କର୍ମଚାରୀଙ୍କ ନିୟୋଜନବେଳେ ଯେପରି ତାଙ୍କର ସୁରକ୍ଷା, ରହିବା, ଖାଦ୍ୟପେୟ ଇତ୍ୟାଦିରେ କୌଣସି ପ୍ରକାର ସମସ୍ୟା ନଉପୁଜେ ସେଥିପ୍ରତି ବିଶେଷ ଯନିବାନ ହେବାକୁ ସେ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକର ମୁଖ୍ୟ ନିର୍ବାହୀମାନଙ୍କୁ ପରାମର୍ଶ ଦେଇଥିଲେ । ଆଗୁଆ ଭାବେ ଆବଶ୍ୟକୀୟ ବିଦ୍ୟୁତ ଉପକରଣ ସମ୍ଭାବ୍ୟ ପ୍ରଭାବିତ ସ୍ଥାନଗୁଡ଼ିକରେ ମହଜୁଦ ରଖିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ତା’ଛଡ଼ା ବିଦ୍ୟୁତଜନିତ ଧନଜୀବନ ହାନି ଯେପରି ନଘଟେ ସେଥିପାଇଁ ଧ୍ୟାନ ଦେବାକୁ ସେ କହିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ-ମୃତ୍ୟ ମିଶନକୁ ସଫଳ କରିବାକୁ ସେ ପରାମର୍ଶ ଦେବା ସହ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବା ଅଧିକାରୀମାନେ ସ୍ଥାନୀୟ ଅଂଚଳର ଜନପ୍ରତିନିଧିମାନଙ୍କ ସହ ଯୋଗାଯୋଗରେ ରହି ସେମାନଙ୍କ ସହଯୋଗ ନେବାକୁ କହିଥିଲେ । ସେ କହିଥିଲେ ଯେ ତା’ଛଡ଼ା ପ୍ରତି ଜିଲ୍ଲାରେ ନିୟନ୍ତ୍ରଣ କକ୍ଷ ସ୍ଥାପନ ସହ ଜିଲ୍ଲା ପ୍ରଶାସନ ସହିତ ଲଗାତାର ସଂପର୍କରେ ରହିବା ଏବଂ ସର୍ବଦା ଆଖି ଓ କାନ ଖୋଲା ରଖିବାକୁ । ସଂପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍‌ପିଟାଲ୍ ଗୁଡ଼ିକ କାର୍ଯ୍ୟକ୍ଷମ ରହିଛି । ତେଣୁ ଏହି ବାତ୍ୟା ସମୟରେ କିପରି ବିକଳ୍ପ ଜରିଆରେ ବିଦ୍ୟୁତ ଯୋଗାଣ କରାଯିବ ସେଥିପାଇଁ ପ୍ରକୃତ ଆକଳନ କରି ଡିଜି ସେଟ୍ ଉପଲବ୍ଧ କରିବାକୁ ହେବ ।
ବାତ୍ୟା ପରବର୍ତୀ ୨୪ ଘଂଟା ମଧ୍ୟରେ ଜିଲ୍ଲା ସଦର ମହକୁମା, କୋଭିଡ୍‌? ହସ୍‌?ପିଟାଲ୍ସ, ଅକ୍ସିଜେନ ପ୍ଲାଂଟ, ବ୍ଲକ୍ ମୁଖ୍ୟାଳୟ, ପାଣିପମ୍ପ ପ୍ରଭୃତି ସ୍ଥାନକୁ ଅଗ୍ରାଧିକାର ଭିତିରେ ବିଦ୍ୟୁତ ଯୋଗାଣ କରାଯିବ । ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ ତରଫରୁ ଆବଶ୍ୟକୀୟ ମାନବ ସମ୍ବଳ ଓ ଉପକରଣ, ଯାନବାହନ ଆଦି ଆଗୁଆ ଭାବେ ପ୍ରସ୍ତୁତ ରଖାଯାଇଥିବା ପ୍ରକାଶ କରାଯାଇଥିଲା । ଏଥି ସହିତ ତ୍ୱରିତ କାର୍ଯ୍ୟାରମ୍ଭ ସକାଶେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଂଟ, କେବୁଲ, ତାର, ଟ୍ରାନ୍ସଫରର୍ମ, ଶକ୍ତିଚାଳିତ କରତ, ବାଉଁଶ ସିଡ଼ି, ଡବଲ ପୁଲି, ହାଇଡ୍ରା ମେସିନ୍‌, ପୋଲ ମାଷ୍ଟର, ୱେଲ୍‌ଡିଂ ମେସିନ୍‌, ଆସ୍କା ଲାଇଟ୍‌, ଡିଜି ସେଟ୍‌, ଟର୍ଚ୍ଚ ଲାଇଟ୍‌, ଭ୍ରାମ୍ୟମାଣ ପାୱାର ବ୍ୟାଙ୍କ, ଫାଷ୍ଟ-ଏଡ୍ ବକ୍ସ, କର୍ମଚାରୀମାନଙ୍କ ପାଇଁ ଶୁଖିଲା ଖାଦ୍ୟ, ଔଷଧ, ସାପ ବିଷନାଶକ ଔଷଧ ଆଦି ମହଜୁଦ୍ ରଖାଯାଇଥିବା କୁହାଯାଇଛି । ଏଥି ସହିତ କର୍ମଚାରୀମାନଙ୍କ ସକାଶେ ବର୍ଷାତି ପୋଷାକ, ମାସ୍କ, ହ୍ୟାଣ୍ଡ ଗ୍ଲୋଭସ୍ ଇତ୍ୟାଦି ଠୁଳ କରାଯାଇଥିବା ଜଣାପଡ଼ିଛି । ଆସନ୍ତାକାଲିଠାରୁ ବିଦ୍ୟୁତ କମ୍ପାନୀଗୁଡ଼ିକ ଏବଂ ଓପିଟିସିଏଲ୍ ତରଫରୁ ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଜ୍ଞାପନ ପ୍ରକାଶ କରାଯିବ ।
ତା’ଛଡ଼ା ଆସନ୍ତାକାଲିଠାରୁ ମକ୍ ଡ୍ରିଲ୍ କରାଯାଇ କର୍ମଚାରୀମାନଙ୍କୁ ତ୍ୱରିତ ସେବା ଏବଂ ପୁନରୁଦ୍ଧାର ଉପରେ ତାଲିମ ଦିଆଯିବ । କମ୍ପାନୀର ମୁଖ୍ୟ ପରିଚାଳକମାନଙ୍କୁ ସ୍ୟାଟେଲାଇଟ୍ ଫୋନ୍ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଫଳରେ ବିଶେଷ ଯୋଗାଯୋଗ ସମସ୍ୟା ଉପୁଜିଲେ ତାହା କାର୍ଯ୍ୟରେ ଆସିବ । ଆଜି ‘ୟାସ୍‌’ ହ୍ୱାଟ୍ସ-ଅପ୍ ଗ୍ରୁପ୍ ସୃଷ୍ଟି କରି ପରସ୍ପର ମଧ୍ୟରେ ସୂଚନା ଆଦାନପ୍ରଦାନ ସକାଶେ ପଦକ୍ଷେପ ନିଆଯାଇଛି ।
ଆଜିର ଏହି ସମୀକ୍ଷାରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରୀଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତ୍ରିଲୋଚନ ପଣ୍ଡା, ନିର୍ଦ୍ଦେଶକ(ଅର୍ଥ) ଗଗନ ବିହାରୀ ସ୍ୱାଇଁ, ନୋଡାଲ ଅଧିକାରୀ, ଡିସ୍‌କମ୍ ଉମାକାନ୍ତ ସାହୁ, ଗ୍ରୀଡ୍‌କୋର ବାଣିଜ୍ୟ ଓ କାରବାର ବିକାଶ ନିର୍ଦ୍ଦେଶକ ଉପେନ୍ଦ୍ର ପ୍ରସାଦ ପତି, ନିର୍ଦ୍ଦେଶକ(ଅପରେସନ୍‌) ଶ୍ରୀ ବି.ବି. ମେହେଟ୍ଟାଙ୍କ ସମେତ ଟିପିଏନ୍‌ଓଡିଏଲ୍‌, ଟିପିସିଓଡିଏଲ୍‌ର ମୁଖ୍ୟ ନିର୍ବାହୀ ଏବଂ ଅନ୍ୟ ସର୍କଲର ପ୍ରତିନିଧି ଅଧିକାରୀଗଣ ଯୋଗ ଦେଇଥିଲେ ।

Leave A Reply

Your email address will not be published.

3 × three =