ବାଲି ଓ ମୋରମ ମାଫିଆ ସକ୍ରିୟ

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ମୋରଡା ଓ ରାସଗୋବିନ୍ଦପୁର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଲଘୁଖଣିଜ ଦ୍ରବ୍ୟର ଚୋରା ଚାଲାଣ ରୋକିବାରେ ବିଫଳ ହୋଇଛି ସ୍ଥାନୀୟ ପ୍ରଶାସନ । ତେବେ କିଛି ମାସ ପୂର୍ବରୁ ନିଲାମ ବାଲି ଘାଟ ର ଅବଧି ସରିବା ପରେ ମଧ୍ୟ ବାଲି ଚୋରି ବଢିଯାଇଛି । ଯେତେବେଳେ ଲଘୁଖଣିଜ ଦ୍ରବ୍ୟର ବେଆଇନ ଚୋରା ଚାଲାଣ ସ୍ଥାନୀୟ ଲୋକଙ୍କ ଦ୍ୱାରା ଅଭିଯୋଗ ହୁଏ ସେତେବେଳେ ଲୋକ ଦେଖାଣିଆ ଜୋରିମାନା କରି ବାହାଦୁରୀ ନେଇଥାନ୍ତି ସ୍ଥାନୀୟ ପ୍ରଶାସନ । ମୋରଡା ଓ ରାସଗୋବିନ୍ଦପୁର ତହସିଲ ଅଞ୍ଚଳରେ ସକ୍ରିୟ ଭାବରେ ବାଲି ଓ ମୋରମ ମାଫିଆମାନେ ଅବାଧରେ ଚୋରା କାରବାର ଚଳାଇଛନ୍ତି । ଜଙ୍ଗଲ ଜାଗାରୁ ଦିନ ଓ ରାତିରେ ମୋରମ ଓ ପଥର ଖୋଳି ନିଆଯାଉଥିବା ଦେଖିବାକୁ ମିଳୁଛି । ତହସିଲ ପକ୍ଷରୁ କାଁଭାଁ ମଝିରେ ମଝିରେ ଚଢାଉ କରାଯାଉଛି ସତ କିନ୍ତୁ ମାଫିଆ ମାନଙ୍କର ଚୋରା ବେପାର ରେ କିଛି ଫରକ ପଡୁନଥିବା ଦେଖାଯାଉଛି । ଅନ୍ୟପଟେ ବାଲି ମାଫିଆ ମାନେ ବାଲି ନିଲାମ ଘାଟରୁ ଛାଡି ଯେଉଁଠି ପାରୁଛନ୍ତି ସେଇଠି ମନ ଇଚ୍ଛା ବାଲି ଉଠାଇ ବିକୁଛନ୍ତି । ସେ ପୁଣି ଚଢା ଦାମରେ । ଅପରପକ୍ଷରେ ବଡ ବଡ ଟ୍ରକରେ ପୋଡଶୀ ପଶ୍ଚିମବଙ୍ଗ ଅଞ୍ଚଳକୁ ଚୋରା ଚାଲାଣ ମଧ୍ୟ ହେଉଛି । ବାଲି ମାଫିଆ ମାନେ ଦିନ ଦ୍ୱିପ୍ରହରରେ ନଦୀ ଭିତରେ ଜେସିବି ଦ୍ୱାରା ଟ୍ରାକ୍ଟର, ଟ୍ରକ, ଡମ୍ପର ଭର୍ତ୍ତି କରି ବାଲି ଉଠାଇ ଚାଲାଣ କରୁଥିବା ଏକ ନିତି ଦିନିଆ କଥା । ଏଭଳି ଘଟଣା ମୋରଡା ଓ ରାସଗୋବିନ୍ଦପୁର ତହସିଲ ଅନ୍ତର୍ଗତ ନିଲାମ ଅବଧି ସରି ଯାଇଥିବା ଘାଟ ପିଙ୍ଗୁଳି, ପଥରଚଟିଆ, ବାଛୁରୀପାଳ, ବଡାମପୁର, ଏକତାଳି ସତସଗାଡ଼ିଆ ମାଣିକପୁର ହାଣ୍ଡିଧୁଆ, ପାଇକସାହି , ମୁରୁଡ଼ା, ଟୁକପଳାଶିଆ, ଖୁରୁଣ୍ଟିଆ , ଗୁହାଳଡିହା,ଭରଡାନଣ୍ଡା, ଖୁଣ୍ଟାପାଳ,ବରକନ୍ଦ, କୁସୁମକୁଟି, ବଡମୁଣ୍ଡାବଣୀ ନଦୀ କୂଳରୁ ପ୍ରତ୍ୟେକ ଦିନ ବେଆଇନ ବାଲି ଉଠୁ ଥିବାର ଦେଖିବାକୁ ମିଳୁଛି । ତାହା ପୁଣି ବିନା ଟିଟି ପରମିଟରେ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ପ୍ରଶାସନ ତତ୍ପରତା ଦେଖା ଯାଉ ନଥିବାରୁ ସରକାରଙ୍କ ବହୁ ପରିମାଣରେ ରାଜସ୍ୱ ହାନୀ ମଧ୍ୟ ହେଉଛି । କାରଣ ସମୟ ଉପଯୋଗୀ ଯଦି ନିଲାମ ଦିଆଯାଇଥାନ୍ତା ତେବେ ଚୋରି କମିବା ସହିତ ରାଜସ୍ୱ ମଧ୍ୟ ମିଳିପାରନ୍ତା । ଜିଲ୍ଲାପାଳ ଏନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜିବୀ । ଗୋଟିଏ ପଟେ ଉଜୁଡୁଛି ପରିବେଶ ଆଉ ଗୋଟିଏ ପଟେ ସରକାର ହରାଉଛନ୍ତି ରାଜସ୍ୱ । ପୋଲିସ କୁ କ୍ଷମତା ଦିଆଯାଇଥିଲେ ମଧ୍ୟ ପୋଲିସ ମଧ୍ୟ ଚୋରା ବାଲି ଗାଡି ଧରିବାରେ ସେଭଳି ଆଖିଦୃଶିଆ ସଫଳତା ପାଉ ନଥିବା ଦେଖା ଯାଉଛି ।

Leave A Reply

Your email address will not be published.

four × 3 =