ବାଲେଶ୍ୱରରେ ଦିନକରେ ଚିହ୍ନଟ ୧୩୩ ପଜିଟିଭ୍

ବାଲେଶ୍ୱର: ଓଡ଼ିଶାରେ ବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କ ପାଇଁ ଉଦ୍ବେଗର ବିଷୟ ହୋଇଛି । ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେ ପହଞ୍ଚିବା ପରେ କ୍ରମହ୍ରାସମାନ ଅବସ୍ଥାରେ ଏହା କମିବ ବୋଲି ଜଣାପଡ଼ିଛି । ତେବେ ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନତା ସୃଷ୍ଟି ସାଙ୍ଗକୁ ସାମାଜିକ ଦୂରତା ରକ୍ଷା ପାଇଁ କୁହାଯାଉଥିଲେ ବି ସାଧାରଣ ଲୋକେ ଏହାକୁ ଗୁରୁତ୍ୱ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ହୋଇଛି । ଦୈନିକ ୪ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇ ଚାଲିଥିବା ବେଳେ ମୃତୁ୍ୟ ସଂଖ୍ୟା ବି ଧିରେ ଧିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୪୧୮୦ ଜଣ ସଂକ୍ରମିତ ହୋଇଥିବା ବେଳେ ରାଜ୍ୟର ଆଜି ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୧ହଜାର ୩୪୧ରେ ପହଞ୍ଚିିଛି । ଅନ୍ୟପକ୍ଷରେ ଆଜି ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଦ୍ୟାବଧି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୮୨ ଛୁଇଁଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ବାଲେଶ୍ୱରର ସ୍ଥିତି କ୍ରମଶଃ ବିଗିଡ଼ିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୧୩୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅଦ୍ୟାବଧି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୮୮୪ରେ ପହଞ୍ଚିଛି । ଆଜିସୁଦ୍ଧା ଜିଲ୍ଲାରେ ୪୫୫୬ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୧୩୦୭ ଜଣ ଆକ୍ରାନ୍ତ ଏବେ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପକ୍ଷରେ ଆଜି କୌଣସି କରୋନା ରୋଗୀଙ୍କର ମୃତ୍ୟୁ ହୋଇନଥିବା ବେଳେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬ରେ ସ୍ଥିର ରହିଛିି । ତେବେ ବ୍ଲକ ତୁଳନାରେ ବାଲେଶ୍ୱର ପୌରାଞ୍ଚଳରେ ବଢ଼ୁଥିବା ସଂକ୍ରମିତଙ୍କ ସଂଖ୍ୟା ସମସ୍ତଙ୍କ ଚିନ୍ତା ବଢ଼ାଇଛି । ସେହିଭଳି ଜିଲ୍ଲାର ଗୋଟିଏ ଗୋଟିଏ ଅଞ୍ଚଳରେ ଏକକାଳୀନ ଅଧିକ ସଂଖ୍ୟକ ପଜିଟିଭ ଚିହ୍ନଟ ହେବା ସ୍ଥାନୀୟ ସଂକ୍ରମଣକୁ ସଙ୍ଗୀନ ସ୍ଥିତିରେ ପଞ୍ଚାଇବାର ଆଶଙ୍କା ସୃଷ୍ଟି କରିଛି ।

Leave A Reply

Your email address will not be published.

4 × three =