ଭୁବନେଶ୍ୱର: କୋଭିଡ୍ କଟକଣା ଓ କର୍ଡା ସୂରକ୍ଷା ବ୍ୟବସ୍ଥା ମଧ୍ୟରେ ବାଲେଶ୍ୱର ଓ ତିର୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ଶାନ୍ତି ପୂ୍ର୍ଣ୍ଣଭାବେ ଭୋଟ୍ ଗ୍ରହଣ ଶେଷ ହୋଇଛି । ଫଳରେ ଉଭୟ ନିର୍ବାଚନ ମଣ୍ଡଳିରେ ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟିଂ ମେସିନରେ ସିଲ୍ ହୋଇଯାଇଛି । ଆଜି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା । କେତେକ କାଁ ଭାଁ ଘଟଣାକୁ ଛାଡିଦେଲେ କୌଣସି ଠାରେ ଅପ୍ରିତୀକର ଘଟଣା ଘଟିଥିବା ରିପୋର୍ଟ ମିଳିନାହିଁ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରୁ ମିଳିଥିବା ସୂତଚା ଅନୁଯାୟୀ, ଉଭୟ ଆସନରେ ହାରାହାରି ୭୨% ମତଦାତା ମତସାବ୍ୟସ୍ତ କରିଛନ୍ତି । ଆସନ୍ତା ୧୦ ତାରିଖ ଦିନ ଉଭୟ ଆସନରେ ଭୋଟ ଗଣତି ହେବ । ରାଜ୍ୟ ମୁଖ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ନ ୩ଟା ସୁଦ୍ଧା ଉଭୟ ଆସନରେ ହାରାହାରି ୫୫.୦୪% ମତଦାତା ଭୋଟ୍ ଦେଇଥିଲେ । ବାଲେଶ୍ୱରରେ ୫୪.୮୫ % ମତଦାତା ଭୋଟ ଦାନ କରିଥିଲା ବେଳେ ତିର୍ତୋଲରେ ୫୫.୨୩% ଭୋଟର ଭୋଟ୍ ଦେଇଥିଲେ । ତେବେ ପୂର୍ବାହ୍ନରେ ମତଦାନ ହାର ଅତ୍ୟନ୍ତ ମାନ୍ଦା ରହିଥିଲା । ସକାଳ ୯ଟା ସୁଦ୍ଧା ମାତ୍ର ୬ପ୍ରତିଶତ ମତଦାତା ମତଦାନ କରିଥିଲେ । ମାତ୍ର ସେହିପରି ଅପରାହ୍ନ ୧ଟା ସୁଦ୍ଧା ହାରାହାରି ୪୦.୫୧% ମତଦାତା ଭୋଟ ଦେଇଥିଲେ । ତେବେ ଅପରାହ୍ନରେ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକରେ ଉଭୟ ପୁରୁଷ ମହିଳା ଓ ଯୁବ ଭୋଟରଙ୍କ ଲମ୍ବା ଧାଡି ଲାଗି ରହିଥିଲା । ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ଉଭୟ ବାଲେଶ୍ୱର ଓ ତିର୍ତୋଲରେ ଭୋଟ ଗ୍ରହଣ ହେଉଥିଲା ବେଳେ ମାତ୍ର ୧ହଜାର ଭୋଟରଙ୍କୁ ନେଇ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକ ଗଠନ କରାଯାଇଛି । ତିର୍ତୋଲରେ ମୋଟ ୩୭୩ଟି ବୁଥ୍ ପ୍ରତିଷ୍ଠା ହୋଇଥିଲା ବେଳେ ବାଲେଶ୍ୱରରେ ୩୪୬ଟି ବୁଥରେ ଭୋଟ୍ ଗ୍ରହଣ ହୋଇଥିଲା । ନିର୍ବାଚନ କମିଶନଙ୍କ ନିର୍ଦେଶ ଅନୁଯାୟୀ ଆଜି ଭୋଟ୍ ଗ୍ରହଣ କେନ୍ଦ୍ର ଗୁଡିକରେ ପ୍ରଥମେ ଭୋଟ୍ ଦାତା ମାନଙ୍କର ଥର୍ମାଲ ସ୍କିନିଂ କରାଯାଇଥିଲା । ପରେ ସେମାନଙ୍କୁ ସାନିଟାଇଜର, ମାସ୍କ ଓ ଗ୍ଲୋବ୍ସ ପ୍ରଦାନ କରାଯାଇଥିଲା । ଡାହାଣ ହାତରେ ଗ୍ଲୋବସ୍ ପିନ୍ଧି ଭୋଟ ଦାତା ମାନେ ବୁଥରେ ପ୍ରବେଶ କରିଥିଲେ । ଅନ୍ୟପକ୍ଷରେ ଯେଉଁମାନେ ଥର୍ମାଲ ସ୍କିନିଂରେ ସନ୍ଧିଗ୍ଧ ଥିବା ଜଣାପଡିଥିଲା ସେମାନଙ୍କୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ କୁହାଯାଇଥିଲା । ତିର୍ତୋଲରେ ଆଜି କଂଗ୍ରେସ ପ୍ରାର୍ଥୀ ହିମାଂସୁ ମଳିକ ମତଦାନ କରିଥିଲା ବେଳେ ନିର୍ବାଚନ ମଣ୍ଡଳିର ବାସିନ୍ଦା ହୋଇନଥିବାରୁ ବିଜେଡି ପ୍ରାର୍ଥୀ ବିଜୟ ଦାସ ଓ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ନିଜ ନିଜର ଭୋଟ ଦେଇପାରି ନଥିଲେ । ସେହିପରି ବାଲେଶ୍ୱର ସଦର ଆସନରେ ବିଜେଡି ପ୍ରାର୍ଥୀ ସ୍ୱରୁପ୍ ଦାସ , ବିଜେପିର ମାନସା ଦତ୍, କଂଗ୍ରେସର ମମତା କୁଣ୍ଡୁ ଓ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ନିଜ ନିଜ ବୁଥରେ ଭୋଟ୍ ଦେଇଥିଲେ । କେତେକ ବୁଥରେ ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟିଯୋଗୁଁ ମତଦାନ ବିଳମ୍ବିତ ହୋଇଥିଲା ବେଳେ ଏକ ନିଦ୍ଧିଷ୍ଟି ଦଳରର ଚିରିକୁଟି ବାଂଟିବା ଅଭିଯୋଗରେ ଜଣେ ପୋଲିସ ଓ ବିଏଲଓଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଥିଲା । ଆଜି ତିର୍ତୋଲ ଉପନିର୍ବାଚନ ଲାଗି ମତଦାନ ଚାଲିଥିବା ବେଳେ କେତେକ ସ୍ଥାନରେ ଲୋକେ ସ୍ଥାନୀୟ ସମସ୍ୟାକୁ ନେଇ ଭୋଟ୍ ବର୍ଜନ କରିବା ଘଟଣା ସାମ୍ନାକୁ ଆସିଛି ।ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ଜିଳ୍ଲାର ତିର୍ତୋଲ ବ୍ଲକ୍ ଅନ୍ତର୍ଗତ କଟରା ପଞ୍ଚାୟତର ବେଗିନିଆ ଗାଁର ଲୋକେ ୧୫. ୧୬. ୧୭, ୧୮, ଓ ୧୯ ନମ୍ବର ୱାର୍ଡରେ ରାସ୍ତା ସମସ୍ୟାକୁ ନେଇ ଭୋଟ୍ ବର୍ଜନ କରିବା ପାଇଁ ଆଗରୁ ଚେତାବନୀ ଦେଇଥିଲେ । ତେବେ ଅନେକ ବୁଝାଶୁଛା ପରେ ୧୫, ୧୬, ୧୭ ଓ ୧୮ ନମ୍ବର ୱାର୍ଡରେ ମତଦାନ ଆରମ୍ଭ ହୋଇଛି । ସେହିପର ଆଜି ବାଲେଶ୍ୱର ସଦର ଉପନିର୍ବାଚନରେ ସାରଥି ପଞ୍ଚାୟତର ନନ୍ଦଚକ ଗ୍ରାମ ବାସୀ ମାନେ ଭୋଟ୍ ବର୍ଜନ କରିଛନ୍ତି । ମାତ୍ର ୧୨୭ ଜଣ ଭୋଟର ଥିବା ଗ୍ରାମର ଗ୍ରାମବାସୀ ମାନେ କହିଛନ୍ତି ଯେ, ନନ୍ଦଚକରେ ଅନେକ ସମସ୍ୟା ରହିଛି । ସେମାନେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି । ଯେହେତୁ ସରକାର ଗାଁ ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରିପାରୁ ନାହାନ୍ତି ଓ ସେମାନଙ୍କ ମୌଳିକ ସୁବିଧା ପ୍ରଦାନ କରୁନାହାନ୍ତି, ତେଣୁ ଏହାର ପ୍ରତିବାଦରେ ନନ୍ଦଚକ ଗାଁ ଲୋକ ଭେଟ ବର୍ଜନ କରିଛନ୍ତି ।