ଭୁବନେଶ୍ୱର: ଶେଷରେ ଅଟକି ରହିଥିବା ଧର୍ମପଦ ପୁରସ୍କାର ଆୟୋଜନର ବାଟ ଫିଟିଲା । ଏହାର ଫଳସ୍ୱରୂପ ସୋମବାର ଦିନ ୭ ବର୍ଷର ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି । ୭ ଜଣଙ୍କ ମଧ୍ୟରୁ ୩ ଜଣ ଆରପାରିକୁ ଚାଲି ଯାଇଥିବା ବେଳେ ଯେବେ ଏ ପୁରସ୍କାର ତାଙ୍କ ପତ୍ନୀ ପୁତ୍ରଙ୍କ ହାତରେ ଧରାଇ ଦିଆଯାଇଥିଲା, ସେମାନଙ୍କ ଆଖିରୁ ନିଗିଡ଼ି ଆସିଥିଲା ଲୁହଧାର । ୨୦୦୯ରୁ ୨୦୧୫ ମସିହା ପର୍ଯ୍ୟନ୍ତ ଓଡ଼ିଶା ଲଳିତ କଳା ଏକାଡେମିର ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି । ୨୦୦୯ ପାଇଁ ସ୍ୱର୍ଗତ ଗୋକୁଳି ବିହାରୀ ପଟ୍ଟନାୟକଙ୍କ ଉଦେଶ୍ୟରେ ତାଙ୍କ ପତ୍ନୀ ଅନସୂୟା ପଟ୍ଟନାୟକ, ୨୦୧୦ ମସିହା ପାଇଁ ସ୍ୱର୍ଗତ ଅସୀମ ବସୁଙ୍କ ଉଦେ୍ଧଶ୍ୟରେ ତାଙ୍କ ପତ୍ନୀ ଗୀତା ବସୁ, ୨୦୧୧ ମସିହା ପାଇଁ ଡ.ଦୁର୍ଗାପ୍ରସାଦ ଦାସ ୨୦୧୨ ମସିହା ପାଇଁ ପଦ୍ମଶ୍ରୀ ସୁଦର୍ଶନ ସାହୁ, ୨୦୧୪ ମସିହା ପାଇଁ ସ୍ୱର୍ଗତ ଦିନନାଥ ପାଠୀଙ୍କ ଉଦେଶ୍ୟରେ ତାଙ୍କ ପୁତ୍ର ସୌଭାଗ୍ୟ ପାଠୀ ଏବଂ ୨୦୧୫ ମସିହା ପାଇଁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ସେମାନଙ୍କ ଘରେ ପୁରସ୍କୃତ କରାଯାଇଥିଲା । ୨୦୧୩ ମସିହା ନିମନ୍ତେ ଏହି ପୁରସ୍କାର ପାଇବାକୁ ଥିବା ପଦ୍ମଭୂଷଣ ଯତୀନ ଦାସ ଏବେ ଦିଲ୍ଲୀରେ ଅବସ୍ଥାନ କରୁଥିବାରୁ ସେ ନିଜେ ଆସି ପୁରସ୍କାର ଗ୍ରହଣ କରିବେ ବୋଲି କହିଥିବା ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ସୂଚନା ଦିଆଯାଇଛି । ପୁରସ୍କାର ଗ୍ରହଣ ଅବସରରେ ସ୍ୱର୍ଗତ ଗୋକୁଳି ବିହାରୀ ପଟ୍ଟନାୟକଙ୍କ ଝିଅ ତଥା ଶିଳ୍ପା ସଂଗୀତା ପଟ୍ଟନାୟକ କହିଛନ୍ତି, ଧର୍ମପଦ ପୁରସ୍କାର ପାଇବା ବିଷୟ ବାପା ଜାଣିଥିଲେ । ମାତ୍ର ଦୁଃଖ ଲାଗୁଛି ଯେ ସେ ନିଜେ ଏହା ପାଇପାରିଲେ ନାହିଁ । ମୋ’ ବାପା ଯେମିତି ଏହି ପୁରସ୍କାର ନିଜେ ଗ୍ରହଣ କରିପାରିଲେ ନାହିଁ, ସେମିତି ପରସ୍ଥିତି ଯେପରି ଭବିଷ୍ୟତରେ ସୃଷ୍ଟି ନହେଉ, ସେଥିପାଇଁ ଅନୁରୋଧ କରୁଛି । ସାରା ଜୀବନ କଳାର ଉପାସନା କରିବା ପରେ ସ୍ୱୀକୃତି ନ ମିଳିବାର ଦୁଃଖ ସିଏ ହିଁ ଜାଣିଛି, ଯିଏ ପୁରସ୍କାର ପାଇ ମଧ୍ୟ ଗ୍ରହଣ କରିପାରିନାହାନ୍ତି । ଏଥିପାଇଁ ସେ ସରକାର ଓ ବିଶେଷକରି ଓଡ଼ିଶା ଲଳିତ କଳା ଏକାଡେମି ସଚିବ ଗଜେନ୍ଦ୍ର ସାହୁଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
ଏଥିସହ ୨୦୧୫ରୁ ୨୦୨୦ ମଧ୍ୟରେ ଦିଆଯିବାକୁ ଥିବା ଧର୍ମପଦ ପୁରସ୍କାର ନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ସେ ଅନୁରୋଧ କରିଛନ୍ତି । ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ତାମ୍ରଫଳକ ଦେଇ ଶିଳ୍ପୀମାନଙ୍କୁ ସମ୍ବର୍ଧିତ କରାଯାଇଥିଲା । ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡ଼ିଶା ଲଳିତ କଳା ଏକାଡେମିର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ସଚିବ ଗଜେନ୍ଦ୍ର ସାହୁ ସମସ୍ତ ଶିଳ୍ପୀଙ୍କ ବାସଭବନକୁ ଯାଇ ପୁରସ୍କାର ପ୍ରଦାନ କରିଥିଲେ ।