ବିଜୁ ଛାତ୍ର ଜନତା ଦଳର ୧୭୦ ୟୁନିଟି ରକ୍ତ ସଂଗ୍ରହ

ଭୁବନେଶ୍ୱର: କରୋନା ମହାମାରୀ ସଂକ୍ରମଣ ବଢି ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ରୋଗୀମାନେ ରକ୍ତ ଅଭାବ ନଭୋଗିବା ନିମନ୍ତେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଇ ରକ୍ତ ସଂଗ୍ରହ କାର୍ଯ୍ୟ କରାଯାଉଛି । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ବିଜୁ ଜନତା ଦଳ ଜିଲ୍ଲା ସଭାପତି ତଥା ଖଣି ଇସ୍ପାତ, ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ପରାମର୍ଶ ଓ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲା ସଭାପତି ସୁରଜ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଢେଙ୍କାନାଳ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ “ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିରରେ ଢେଙ୍କାନାଳ ବିଧାୟକ ତଥା ରାଜ୍ୟ ସାଧାରଣ ସଂପାଦକ ଓ “ଓଡିଶା ମୋ ପରିବାର’ର ଭାରପ୍ରାପ୍ତ ପଦାଧିକାରୀ ସୁଧିର କୁମାର ସାମଲ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଏହି ମହାମାରୀ ସମୟରେ ଆବଶ୍ୟକ ପଡୁଥିବା ରକ୍ତର ଚାହିଦା ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ବିଜୁ ଜନତା ଦଳ ତରଫରୁ ଆରମ୍ଭ ହୋଇଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଏକ ଉତମ ମାଧ୍ୟମ ବୋଲି ଶ୍ରୀ ସାମଲ କହିଥିଲେ । ଏହି ଶିବିରରେ ମୋଟ୍ ୧୭୦ ୟୁନିଟି ରକ୍ତ ସଂଗ୍ରହ କରାଯାଇଥିଲା । ସୂଚନାଥାଉକି, କରୋଣା ମହାମାରୀ ସଂକ୍ରମଣ ରୋକିବା ନିମନ୍ତେ ସାରା ଭାରତ ବର୍ଷ ତଥା ରାଜ୍ୟରେ ମାର୍ଚ୍ଚ ମାସ ଠାରୁ ଆରମ୍ଭ ହୋଇଥିବା ଲକଡାଉନ ସମୟରେ ମଧ୍ୟ ଗରିବ ଲୋକମାନଙ୍କୁ ରକ୍ତ ଯୋଗାଣ ନିମନ୍ତେ ବିଜୁ ଛାତ୍ର ଜନତା ଦଳ ତରଫରୁ ଅନେକ ଗୁଡିଏ ରକ୍ତଦାନ ଶିବିର ଆୟୋଜନ କରାଯାଇ ପାଖାପାଖି ୬୦୦ ୟୁନିଟି ରକ୍ତ ସଂଗ୍ରହ କରାଯାଇଥିଲା । ଆଜିର ଏହି ଶିବିରରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ନରୋତମ ସାହୁ, ପ୍ରମୁଖ ପରିଚାଳନା କରିଥିଲେ । ଆଗାମୀ ଦିନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ବ୍ୟାପକ ରକ୍ତଦାନ ଶିବିର ଢେଙ୍କାନାଳ ଜିଲ୍ଲାରେ ଆୟୋଜନ ହେବା ପାଇଁ ଛାତ୍ର ବିଜେଡି ସଭାପତି ସମସ୍ତ ଛାତ୍ରଙ୍କୁ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.

five × five =